ଚୋରାମଦ ବିକ୍ରି ଅଭିଯୋଗରେ ସମିତିସଭ୍ୟାଙ୍କ ସ୍ବାମୀ ଗିରଫ

ଦିଗପହଣ୍ଡି : କେ.ନୂଆଗାଁ ଥାନା ପୁଲିସ ଦିଗପହଣ୍ଡି ବ୍ଲକ୍‌ ଚଷାନିମଖଣ୍ଡି ପଞ୍ଚାୟତ ଅଧୀନ ଶ୍ୟାମସୁନ୍ଦରପୁର ଗ୍ରାମରେ ଅତର୍କିତ ଚଢ଼ଉ କରି ବିପୁଳ ପରିମାଣର ଚୋରା ଦେଶୀମଦ ଜବତ କରିଛି। ଚୋରାମଦ ବିକ୍ରି ଅଭିଯୋଗରେ ପୁଲିସ ଚଷାନିମଖଣ୍ଡି ପଞ୍ଚାୟତର ସମିତିସଭ୍ୟାଙ୍କ ସ୍ବାମୀ ମିଟୁ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ କେସ୍‌ ନଂ ନଂ ୧୧୫/୨୨ ରୁଜୁ ହୋଇଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ, ଅଭିଯୁକ୍ତ ମିଟୁ ବହୁବର୍ଷ ଧରି ଗ୍ରାମରେ ଏକ  ଘର ଭିତରେ ଅପମିଶ୍ରିତ ମଦ ପ୍ରସ୍ତୁତ କରି ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଏ ନେଇ ଗ୍ରାମବାସୀ ବାରମ୍ବାର ମିଟୁ ଓ ତାଙ୍କ ପତ୍ନୀଙ୍କୁ ଗ୍ରାମରେ ମଦ ବିକ୍ରି ନକରିବା ପାଇଁ ତାଗିଦ୍ କରୁଥିଲେ ମଧ୍ୟ ସେ ଲୋକଙ୍କୁ ଧମକ ଚମକ ଦେଉଥିଲେ। ସୋମବାର ସନ୍ଧ୍ୟାରେ ଥାନା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଟିମ୍ ସହ ଚଢ଼ଉ କରିଥିଲେ। ପୁଲିସ ଅଭିଯୁକ୍ତ ମିଟୁଙ୍କୁ କାବୁ କରିବା ସହ ୫୦ ଲିଟର ଦେଶୀ ରନ୍ଧାମଦ, ୧୨ କେଜି ମହୁଲ ଓ ୨ କେଜି ପିଡ଼ିଆ ଜବତ କରିଥିଲା।

ସମ୍ବନ୍ଧିତ ଖବର