ସ୍ତ୍ରୀ’ ସହ ଦୁଇ ସନ୍ତାନଙ୍କୁ ହତ୍ୟା ପରେ ଜାଳିଦେବା ଘଟଣାରେ ସ୍ବାମୀ ଗିରଫ

ସାରସକଣା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଢିପାସାହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ମା’ ସହ ଦୁଇ ଶିଶୁ ଜଳିଯିବା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୁଲିସ। ଆରମ୍ଭରୁ ସନ୍ଦେହ ଘେରରେ ଥିବା ଅଭିଯୁକ୍ତ ସ୍ୱାମୀ ମଙ୍ଗଲ ମାରାଣ୍ଡି (୩୫) ହିଁ ହତ୍ୟାକାରୀ ବୋଲି କହିଛି ପୁଲିସ। ପତ୍ନୀ ଓ ପିଲାମାନଙ୍କୁ ନୃଶଂସ ଭାବେ ତଣ୍ଟି ଚିପି ହତ୍ୟା କରିବା ପରେ ସେମାନଙ୍କୁ ଜାଳି ଦେଇଥିଲା ବୋଲି ଅଭିଯୁକ୍ତ ପୁଲିସ ଆଗରେ ସ୍ବୀକାର କରିଛି।

ଗୁରୁବାର ସନ୍ଧ୍ୟାରେ ଟଙ୍କାପଇସାକୁ ନେଇ ପତ୍ନୀ ସୁରୁକୁନି (୨୪)ଙ୍କ ସହ ମଙ୍ଗଲର ଝଗଡ଼ା ହୋଇଥିଲା। ଏହି ସାମାନ୍ୟ ଘଟଣାରେ ମଙ୍ଗଲ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା ଓ ପତ୍ନୀଙ୍କୁ ହତ୍ୟା କରିବାକୁ ସେ ମନେ ମନେ ଯୋଜନା କରିଥିଲା। ସେହି ରାତିରେ ପତ୍ନୀ ସୁରୁକୁନି, ଝିଅ ସରିତା (୬) ଓ ଶିଶୁପୁତ୍ର ଜଗଦୀଶ (୩ ମାସ) ଶୋଇଥିବା ବେଳେ ଏକ କପଡ଼ାରେ ପ୍ରଥମେ ପତ୍ନୀଙ୍କ ବେକକୁ ଚାପି ଧରି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା। ଏତିକିରେ ମନ ବୁଝିନଥିଲା, ଦୁଇ ନିଷ୍ପାପ ଶିଶୁଙ୍କୁ ମଧ୍ୟ ତଣ୍ଟି ଚିପି ହତ୍ୟା କରିଥିଲା ମଙ୍ଗଲ। ପରେ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଘର ଭିତ‌ରେ ଥିବା ସବୁ ଲୁଗାପଟାକୁ ମୃତଦେହ ଉପରେ ପକାଇ ନିଆଁ ଲଗାଇ ଦେଇଥିଲା ଓ ବାହାରକୁ ଆସି ଘରେ ନିଆଁ ଲାଗି ଯାଇଥିବା କହି ଚିତ୍କାର କରିଥିଲା।

ଶୁକ୍ରବାର ସକାଳୁ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗୋଟିଏ ଘରେ ଶୋଇଥିଲେ ବି ଏତେ ବଡ଼ ଅଗ୍ନିକାଣ୍ଡରୁ ମଙ୍ଗଲ କେମିତି ବର୍ତ୍ତିଗଲା ଓ ତା’ ଦେହରେ ନିଆଁର ଧାସ ମଧ୍ୟ ବାଜିଲାନି, ତାହା ସମସ୍ତଙ୍କୁ ଚକିତ କରିଥିଲା। ଏଥିସହ ମୃତ ସୁରୁକୁନିଙ୍କ ବେକରେ ଏକ କପଡ଼ା ଲାଗିଥିବାର ଦେଖିବାକୁ ପାଇଥିଲା ସାଇଣ୍ଟିଫିକ୍‌ ଟିମ୍‌। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରି ଗତକାଲି ମଙ୍ଗଲକୁ ଥାନାକୁ ଆଣିଥିଲା ଝାରପୋଖରିଆ ଥାନା ପୁଲିସ। ଏସ୍‌ପି ରିଷିକେଶ ଦ୍ୟାନଦେଓ ଖିଲାରୀ, ବାରିପଦା ଏସ୍‌ଡିପିଓ କେକେ ହରିପ୍ରସାଦ, ଡିଏସ୍‌ପି ଉପାସନା ପାଢ଼ୀ, ଥାନା ଅଧିକାରୀ ମୁକ୍ତିକୁମାର କୁଲୁ ମଙ୍ଗଲକୁ ମାରାଥନ୍‌ ଜେରା କରିଥିଲେ। ୨୪ ଘଣ୍ଟାର ଜେରା ପରେ ସତ ଓଗାଳିଥିଲା ମଙ୍ଗଲ। ପୁଲିସ ମଙ୍ଗଲକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସେ ଏକୁଟିଆ ଏହି କାଣ୍ଡ କରିଛି ନା ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି, ସେ ଦିଗରେ ତଦନ୍ତ ଜାରି ରଖିଛି ପୁଲିସ।

ସମ୍ବନ୍ଧିତ ଖବର