ପ୍ରଥମ ସ୍ତ୍ରୀକୁ ନିର୍ଯାତନା, ଦ୍ବିତୀୟ ବିବାହ କରି ଜେଲ୍‌ଗଲା ସ୍ବାମୀ

ରେଢ଼ାଖୋଲ : ପ୍ରଥମ ସ୍ତ୍ରୀକୁ ନିର୍ଯାତନା ଦେବା ଓ ଦ୍ବିତୀୟ ବିବାହ କରିବା ଅଭିଯୋଗରେ ରେଢ଼ାଖୋଲ ଥାନା ପୁଲିସ ତେରବେଡ଼ା ଗାଁର ସୂର୍ଯ୍ୟନାରାୟଣ ପ୍ରଧାନ (୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ସୂର୍ଯ୍ୟକାନ୍ତ ଆଜକୁ ୭ ବର୍ଷ ତଳେ ନାକଟିଦେଉଳ ବ୍ଲକ କମଳାନାଳୀ ଗ୍ରାମର ରବିନ୍ଦ୍ର ପ୍ରଧାନଙ୍କ ରୋଜିକୁ ବିବାହ କରିଥିଲେ। ଏବେ ସେମାନଙ୍କର ଏକ ଛଅ ବର୍ଷର ପୁତ୍ର ସନ୍ତାନ ଅଛି। ହେଲେ ବିବାହର କିଛି ବର୍ଷ ପରେ ସୂର୍ଯ୍ୟନାରାୟଣ ଅଧିକ ‌ଯୌତୁକ ଦାବିରେ ନିର୍ଯାତନା ଦେଇଥିଲେ। ସୂର୍ଯ୍ୟନାରାୟଣଙ୍କ ଅତ୍ୟାଚାର ସହି ନପାରି ରୋଜି କିଛିମାସ ହେଲା ବାପଘର କମଳାନାଳୀକୁ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ସୂର୍ଯ୍ୟନାରାୟଣଙ୍କ ଚରିତ୍ରରେ କୌଣସି ପରିବର୍ତ୍ତନ ହେବାରୁ ରୋଜିଙ୍କ ପିତା ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସୂର୍ଯ୍ୟନାରାୟଣକୁ ଗିରଫ କରଯାଇ ଥିଲା। ପରେ ସେ ଜାମିନରେ ଆସିଥିଲେ।

ବର୍ତ୍ତମାନ ଏହି ମାମଲା ରେଢ଼ାଖୋଲ କୋର୍ଟରେ ବିଚାରାଧୀନ ରହିଛି। ହେଲେ ସୂର୍ଯ୍ୟକାନ୍ତ ରୋଜିଙ୍କ ପରିବାରର ଅଗୋଚରରେ ଗତ ଅକ୍ଟୋବର ମାସରେ ରିଆମାଳର ସନ୍ତୋଷ ପ୍ରଧାନଙ୍କ ଝିଅ ଝୁନୁଙ୍କୁ ଲୁଚିଛପି ବିବାହ କରିଥିଲେ। ବିବାହ ପରେ ସୂର୍ଯ୍ୟନାରାୟଣ ଝୁନୁଙ୍କୁ ଆଣି ନିଜ ତେରବେଡା ଗ୍ରାମର ଘରେ ରଖିଥିଲେ। ଏହା ଜାଣିବା ପରେ ରୋଜିଙ୍କ ପରିବାର ପକ୍ଷରୁ ପୁଣି ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଗୁରୁବାର ସକାଳୁ ଅଭିଯୁକ୍ତ ସୂର୍ଯ୍ୟନାରାୟଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର