ସ୍ବାମୀ ହେବ ତ ଏମିତି: ରୋଗାଗ୍ରସ୍ତ ପତ୍ନୀଙ୍କ ସେବା ସହ ୩ ପିଲାଙ୍କୁ ସମ୍ଭାଳୁଛନ୍ତି ଜଗା

ସରକାରଙ୍କର କୌଣସି ମୌଳିକ ସୁବିଧା ମିଳୁନି

ମାଲକାନଗିରି: ଜଗା କାବାସୀ।ଘର ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ପଞ୍ଚାୟତର ତାଳପଦର ଗ୍ରାମରେ ଘର।ପିଲାଟି ଦିନରୁ ବାପା ମାଆଙ୍କୁ ହରାଇ ଜଗା ଏକ ପ୍ରକାର ଅନାଥ ଜବୀନ ବିତାଉଥିଲେ।ଜଗା କୋୟା ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଗ୍ରାମବାସୀ ତାଂକୁ ସହଯୋଗ କରିଆସୁଥିଲେ।ଦିନ ମଜୁରିଆ ଭାବେ କାମ କରି ନିଜର ପେଟ ପୋଷୁଥିଲା।ପରେ ସେ ପାର୍ବତୀଙ୍କୁ ବାହା ହୋଇ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ।ଜଗା ଏବଂ ପାର୍ବତୀ ଦୁହେଁ ଖୁବ ଖୁସିରେ ଚଳୁଥିଲେ।ଏହି ଦମ୍ପତ୍ତିଙ୍କର ତିନୋଟି ସନ୍ତାନ ମଧ୍ୟ ହୋଇଥିଲା।ତେବେ ଭଗବାନ କିନ୍ତୁ ଜଗା ଉପରେ ସାହା ହୋଇନଥିଲେ।ତାଂକର ସୁଖି ପରିବାର ଦେଖୁ ଦେଖୁ ଦୁଃଖରେ ପରିଣତ ହୋଇଗଲା।ଏହି ଦମ୍ପତ୍ତିର ଦୁଇଟି ପୁଅ ଜନ୍ମ ହେବା ପରେ ତୃତୀୟ ସନ୍ତାନ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲେ।ତୃତୀୟ ସନ୍ତାନ ଜନ୍ମ ହେବା ପରେ ଅଚାନକ ପାର୍ବତୀ ରୋଗାଗ୍ରସ୍ତ ହେଲେ।ତାଂକ ଶରୀର ଅଣ୍ଟାରୁ ତଳକୁ ଆଉ କାମ କରିଲା ନାହିଁ।

ଜଗା ଦିନ ମଜୁରିଆ ହୋଇଥିବାରୁ ସ୍ତ୍ରୀ ପାର୍ବତୀକୁ ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇପାରିଲା ନାହିଁ।ତୃତୀୟ ସନ୍ତାନଟି ଝିଅ ଜନ୍ମ ହୋଇଥିଲା।ପାର୍ବତୀ ଶଯ୍ୟାସାୟୀ ହୋଇଗଲେ।ଗୋଟିଏ ସ୍ଥାନରେ ହିଁ ପଡି ରହିଲେ।ଘରର କୌଣସି କାମ କରିପାରିଲେ ନାହିଁ।ତିନି ତିନି ସନ୍ତାନ ସହ ପାର୍ବତୀର ଭାର ଜଗା ମୁଣ୍ଡରେ ପଡିଲା।ଜଗା ଏମାନଙ୍କ ପାଇଁ ଦୁଇ ବେଳା ମୁଠାଏ ଦାନା ଯୋଗାଡ କରିବ ନା ଏମାନଙ୍କର ସେବା ଶୁଶ୍ରୁସା କରିବ କିଛି ଭାବି ପାରୁନଥିଲା।କିନ୍ତୁ ଦମ୍ଭର ସମସ୍ତ କାର୍ଯ୍ୟକୁ ସେ କରିବାକୁ ଅହରହ ଚେଷ୍ଟା କରୁଛନ୍ତି।ସ୍ତ୍ରୀକୁ ଶୌଚ କରିବାକୁ ନେବା ଠାରୁ ଆରମ୍ଭ କରି ଗାଧୋଇବା ଏବଂ ଖୁଆଇବା କାମ ମଧ୍ୟ ଜଗା ଏବେ କରୁଛନ୍ତି।ଏଥିସହ ତିନି ପିଲାଙ୍କ ଯତ୍ନ ମଧ୍ୟ ନେଉଛନ୍ତି।ଭଗବାନ ଦାଉ ସାଧିଲା ଭଳି ଜଗାର ପରୀକ୍ଷା କରି ଚାଲିଛନ୍ତି।ଅନ୍ୟଦିଗରେ ଜଗାର ରହିବା ପାଇଁ ଘର ମଧ୍ୟ ନାହିଁ।

ଏକ କୁଡିଆ ଘରେ ଏହି କୁଟୁମ୍ବ ଯେଣତେଣ ଚଳିଯାଉଛନ୍ତି।ସରକାରଙ୍କ ତରଫରୁ ତାଂକୁ ନା ଘର ମିଳିଛି, ନା ରାସନ କାର୍ଡ।ସରକାରଙ୍କର କୌଣସି ମୌଳିକ ସୁବିଧା ଜଗା ପାଇନଥିଲେ ମଧ୍ୟ ବଂଚିବାକୁ ସଂଘର୍ଷ ଜାରି ରଖିଛନ୍ତି।ନିଜେ ଭାତ ରାନ୍ଧି ପିଲାଙ୍କୁ ଏବଂ ସ୍ତ୍ରୀଙ୍କୁ ଖାଇବାକୁ ଦେବା ପରେ କାମକୁ ବାହାରିଯାନ୍ତି।ଅପରାହ୍ନରେ ଫେରିବା ପରେ ପୁଣି ପରିବାରର ସମସ୍ତ କାର୍ଯ୍ୟ କରନ୍ତି।ସ୍ତ୍ରୀର ଏଭଳି ଅବସ୍ଥା ଥିଲେ ମଧ୍ୟ ଜଗା ତାକୁ ନଛାଡି ତାର ସମସ୍ତ ସେବା କରିବା ଆଜିକା ଦିନରେ ସମସ୍ତ ସ୍ବାମୀଙ୍କ ପାଇଁ ଉଦାହରଣ ବୋଲି କୁହାଯାଇପାରେ।ଯେଉଁ କୁଡିଆ ଘରେ ଜଗା ନିଜ ପିଲା କୁଟୁମ୍ବକୁ ନେଇରହୁଛି,ତାହା ବର୍ଷାଦିନ ହେଲେ ପାଣି ଗଳି ଘର ସନ୍ତସନ୍ତିଆ ହୋଇଯାଉଛି।ଘର ନଥିବା ଲୋକଙ୍କୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗୃହ ପ୍ରଦାନ କରୁଛନ୍ତି।କିନ୍ତ ଜଗା ପାଇଁ ଏହା ସ୍ବପ୍ନ ପାଲଟିଛି।

ଏବେ ଗ୍ରୀଷ୍ଣର ପ୍ରଚଣ୍ଡ ଖରାରେ ମଧ୍ୟ କାମ କରି ନିଜର ପିଲାଙ୍କୁ ଦୁଇ ବେଳା ମୁଠାଏ ଦାନା ଯୋଗାଡ କରୁଛି।ଗରିବମାନଙ୍କୁ ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ଜଗା ପାଇଁ ଏହା ପାଣିର ଗାର ସଦୃଶ୍ୟ ପାଲଟିଛି।ସରକାରଙ୍କର ସମସ୍ତ ଯୋଜନା ଜିଲ୍ଲାର ଲୋକେ କେତେ ପାଇପାରୁଛନ୍ତି ତାହା ଏଥିରୁ ସହଜରେ ଅନୁମେୟ।ଜଗା ଯେତେ କଷ୍ଟ ହେଲେ ମଧ୍ୟ ନିଜେ ସବୁ ସମ୍ଭାଳିବା ସହ ଅନ୍ୟ ପାଖେ ହାତ ପତାଉ ନାହିଁ।ତୁରନ୍ତ ସରକାର ଏବଂ ପ୍ରଶାସନ ତରଫରୁ ଜଗାର ଅବସ୍ଥାକୁ ନେଇ ତଦନ୍ତ କରି ସମସ୍ତ ସହଯୋଗ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର