ସୁନ୍ଦରଗଡ଼: ଶୀତ ଯାଇନି, କିନ୍ତୁ ସୁନ୍ଦରଗଡ଼ର ଜୀବନରେଖା ଇବ୍‌ ନଦୀ ଶୁଖିଲା ପଡ଼ିଲାଣି। ଫେବ୍ରୁଆରିରେ ନଦୀ ଶୁଖିଲା ପଡ଼ିଥିବା ବେଳେ ଆଗକୁ ତାତି ବଢ଼ିଲେ ସ୍ଥିତି କ’ଣ ହେବ ଏବେଠୁ ଜଳଜଳ ଦିଶୁଛି। ତେବେ ଆଗରୁ ଚିରସ୍ରୋତା ଥିବା ଏହି ନଦୀର ଦୁରବସ୍ଥା ପଛରେ ରହିଛି ପଡ଼ୋଶୀ ଛତିଶଗଡ଼ର ଚକ୍ରାନ୍ତ। ମହାନଦୀକୁ ନିୟନ୍ତ୍ରଣରେ ରଖିଥିବା ଏହି ରାଜ୍ୟ ଏହାର ପ୍ରମୁଖ ଉପନଦୀ ଇବ୍‌କୁ ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଛି। ନଦୀର ଉପରମୁଣ୍ଡରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ଗୋଟିଏ ପରେ ଗୋଟିଏ ବନ୍ଧ ବାନ୍ଧି ପାଣିକୁ ଅଟକାଇ ଦେଉଛି। ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ଟୋପାଏ ବି ପାଣି ତଳକୁ ଛାଡ଼ୁ ନଥିବାରୁ ଖରା ନ ଆସୁଣୁ ଇବ୍‌ ନଦୀ ଶୁଖି ଯାଇଛି। ଯେଉଁଥି ପାଇଁ କିଛି ବର୍ଷ ହେଲା ଓଡ଼ିଶାର ଦୁଇ ପ୍ରମୁଖ ଜିଲ୍ଲା ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଠିକ୍‌ ଏହି ସମୟରେ ‌ଭୋଗୁଛନ୍ତି ଉତ୍କଟ ଜଳସଂକଟ। ଏ ସ୍ଥିତିରେ ବର୍ଷବର୍ଷ ବିତିଯିବା ପରେ ମଧ୍ୟ ଓଡ଼ିଶା ସରକାରଙ୍କ ଇବ୍‌ ବ୍ୟାରେଜ୍‌ ନିର୍ମାଣ ଶେଷ ହେଉ ନଥିବାରୁ ସୁନ୍ଦରଗଡ଼ରେ ପାଣି କେବେ ଅଟକିବ ବୋଲି ଲୋକେ ପ୍ରଶ୍ନ ଉଠାଉଛନ୍ତି। 

Advertisment

ଛତିଶଗଡ଼ର କୁନ୍‌କୁରିରୁ ବାହାରିଥିବା ଇବ୍‌ନଦୀ ସୁନ୍ଦରଗଡ଼ ଦେଇ ଝାରସୁଗୁଡ଼ା ଜିଲ୍ଲାର ଲଖନପୁରଠାରେ ମହାନଦୀରେ ମିଶିଛି। ସୁନ୍ଦରଗଡ଼ ଜିଲ୍ଲାର ଉପରମୁଣ୍ତ ତେଲିଯୋରଠାରୁ ଶେଷ ମୁଣ୍ତ ଭଷ୍ମା ଯାଏ ୭୦ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଏହି ନଦୀ ସୁନ୍ଦରଗଡ଼ ସହରର ପାନୀୟ ଜଳଯୋଗାଣର ଏକ ବଡ଼ ଉତ୍ସ। ସୁନ୍ଦରଗଡ଼ ସହର ସମେତ ଜିଲ୍ଲାର ବାଲିଶଙ୍କରା, ସବ୍‌ଡେଗା ଏବଂ ଟାଙ୍ଗରପାଲି ବ୍ଲକ୍‌ରେ ଚାଷବାସ ପାଇଁ ମଧ୍ୟ ଏହାର ଅବଦାନ ରହିଛି। କିନ୍ତୁ ୨୦୦୭ରୁ ଛତିଶଗଡ଼ ଜଳସମ୍ପଦ ବିଭାଗ କୁନ୍‌କୁରିଠାରୁ ୩୦ କିଲୋମିଟର ଦୂର ଗୁଲ୍ଲୁ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ଶେଷ କରିବା ପରେ ବେନେଠାରେ ଜଳସେଚନ ପ୍ରକଳ୍ପ ଓ ଓଡ଼ିଶା ସୀମାରୁ ୨୦ କିଲୋମିଟର ଦୂର ସମଡମାଠାରେ ଏକ ଆନିକଟ ନିର୍ମାଣ କରିବାରୁ ନଦୀ ଉପର ମୁଣ୍ଡରେ ହିଁ ବନ୍ଦୀ ହୋଇଯାଇଛି। ଇବ୍‌ ପାଣିରୁ ଛତିଶଗଡ଼ରେ ବିଦ୍ୟୁତ୍‌ ଉତ୍ପାଦନ ଓ ଜଳସେଚନ ଚାଲିଥିବାବେଳେ ତଳମୁଣ୍ଡ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାରେ ପାଣି ଟୋପେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ତେବେ ଇବ୍‌ନଦୀକୁ ଛତିଶଗଡ଼ କବ୍‌ଜା କରିବାର ବହୁ ଦଶନ୍ଧି ପୂର୍ବରୁ ୧୯୮୦ରେ ବାଲିଶଙ୍କରା ବ୍ଲକ୍‌ କଟନିଡିହିଠାରେ ଯୁଗୀଯୁଗେନ୍‌ ଦୁଇ ପାହାଡ଼ ମଝିରେ ଇବ୍‌ ନଦୀରେ ୧୨ ଶହ କୋଟି ବ୍ୟୟରେ ବୃହତ୍‌ ବନ୍ଧ ତିଆରି ପାଇଁ ଯୋଜନା ହୋଇଥିଲା। ତଳସରା ନିର୍ବାଚନମଣ୍ଡଳୀର ୧୦ ଗାଁ ସମ୍ପୂର୍ଣ୍ଣ ଓ ୨୦ ଗାଁ ଆଂଶିକ ଭାବେ ଜଳମଗ୍ନ ହେବାକୁ ଥିବାରୁ ତତ୍କାଳୀନ ବିଧାୟକ ଗଜାଧର ମାଝୀ ବନ୍ଧ ବିରୋଧରେ ସ୍ବର ଉଠାଇଥିଲେ। ଫଳରେ ବନ୍ଧ ବାତିଲ ହୋଇ ଯାଇଥିଲା।

ଉପରମୁଣ୍ଡରେ ଜଳଧାର, ତଳମୁଣ୍ଡରେ ହାହାକାର
ଫେବ୍ରୁଆରିରୁ ଶୁଖିଲା, ସରୁନି ବ୍ୟାରେଜ୍ କାମ
ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଉତ୍କଟ ଜଳସଂକଟ

ତା’ ପରଠାରୁ ଇବ୍‌ନଦୀରେ ବନ୍ଧ ବାନ୍ଧିବା କଥାକୁ ଭୁଲି ଯାଇଥିଲେ ରାଜ୍ୟ ସରକାର। ଏହାର ୩୦ ବର୍ଷ ପରେ ତତ୍କାଳୀନ ବିଧାୟକ ଯୋଗେଶ କୁମାର ସିଂ ସୁନ୍ଦରଗଡ଼ ସହରର ପାନୀୟ ଜଳ ସ˚କଟ ଦୂର କରିବା ଓ ପ୍ରାୟ ୧୦ ହଜାର ହେକ୍ଟର ଜମି ଜଳସେଚନ ପରିକଳ୍ପନାରେ କୋପସିଂହିଠାରେ ଇବ୍ ବ୍ୟାରେଜ ପାଇଁ ପ୍ରସ୍ତାବ ଦେଇଥିଲେ। ୨୦୧୦-୧୧ ଆର୍ଥିକ ବର୍ଷରେ ୪ ଶହ କୋଟିର ଇବ୍‌ ବ୍ୟାରେଜ୍‌ ପ୍ରକଳ୍ପ ଜଳ ସମ୍ପଦ ବିଭାଗର ଅନୁମୋଦନ ଲାଭ କରିଥିଲା। ତତ୍କାଳୀନ ଜଳସମ୍ପଦ ବିଭାଗ ସଚିବ ସୁରେଶ ମହାପାତ୍ର ଏହାକୁ ଗୁରୁତ୍ବର ସହ ନେଇଥିଲେ। ତେବେ ସୁରେଶ ମହାପାତ୍ରଙ୍କ ବଦଳି ହୋଇଯିବା ପରେ ପରବର୍ତ୍ତୀ ସଚିବ ପ୍ରଦୀପ ଜେନା ଅର୍ଥାଭାବ ଦର୍ଶାଇ ପ୍ରକଳ୍ପର ବ୍ୟୟ ଅଟକଳ ୫୦ କୋଟିକୁ ହ୍ରାସ କରିଥିଲେ। ପରେ ତାହା ବି ମିଳିଲା ନାହିଁ ଓ ପ୍ରକଳ୍ପର ଦସ୍ତାବିଜ ଅଳିଆଗଦାକୁ ଚାଲିଗଲା। ଏହା ପରଠାରୁ ବିଭିନ୍ନ ସମୟ‌ରେ ନଦୀରେ ବ୍ୟାରେଜ୍‌, ଆନିକଟର ପ୍ରସ୍ତାବ ଆସିଥିଲା। କିନ୍ତୁ ସର୍ବେକ୍ଷଣ, ଡିପିଆର, ଅନୁମୋଦନ, ଆର୍ଥିକ ମଞ୍ଜୁରିରେ ଅନେକ ବର୍ଷ ବିତିଗଲା। ଶେଷକୁ ୨୦୨୨ ଜାନୁଆରି ୧୦ରେ ନଦୀର କୋପସିଂହା ଓ କୁଡ଼ାବଗାଠାରେ ୪୯୩ କୋଟିର ବ୍ୟାରେଜ୍‌ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ଏଥିରେ ସୁନ୍ଦରଗଡ଼ ପୌରାଞ୍ଚଳ ସହ ସଦର ବ୍ଲକ୍, ଲେଫ୍ରିପଡ଼ା, ବାଲିଶଙ୍କରା ଓ ଟାଙ୍ଗରପାଲି ବ୍ଲକ୍‌ର ୪୭ ହଜାର ଲୋକେ ପ୍ରତ୍ୟକ୍ଷ ଭାବେ ଉପକୃତ ହେବା ସହ ୪୮୮ ହେକ୍ଟର ଜମି ଜଳସେଚିତ ହେବ ବୋଲି ଆଶା ଦେଖାଇଥିଲେ ରାଜ୍ୟ ସରକାର। ୨ ବର୍ଷରେ ବନ୍ଧ କାମ ଶେଷ ହେବ ବୋଲି ଜଳସମ୍ପଦ ବିଭାଗ ଘୋଷଣା କରିଥିଲା। କିନ୍ତୁ ଶିଳାନ୍ୟାସକୁ ୩ ବର୍ଷ ବିତିଗଲାଣି। ବ୍ୟା‌ରେଜ୍‌ କାର୍ଯ୍ୟ ପ୍ରାଥମିକ ପର୍ଯ୍ୟାୟରୁ ବିଶେଷ ଆଗେଇ ପାରିନାହିଁ। 

ଉଲ୍ଲେଖଯୋଗ୍ୟ, ୨୦୨୩ ମେ’ରେ ମହାନଦୀ ଜଳ ବିବାଦର ସ୍ଥିତି ଅନୁଧ୍ୟାନ କରିବାକୁ ଝାରସୁଗୁଡ଼ା ଆସିଥିବା ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ ୨୨ ତାରିଖରେ ସୁନ୍ଦରଗଡ଼ ସବ୍‌ଡେଗା ବ୍ଲକ୍‌ସ୍ଥିତ କଟିଙ୍ଗିଡିହି ଭଗୋପାଲିରେ ୧୯୮୦ରୁ ପ୍ରସ୍ତାବିତ ଇବ୍ ବନ୍ଧ ପ୍ରକଳ୍ପ (ଯୁଗିଯୁଗେନ୍‌ ଡ୍ୟାମ୍‌) ପରିଦର୍ଶନ କରିଥିଲେ। ଏହାସହ ଉପରମୁଣ୍ଡରେ ଛତିଶଗଡ଼ର ଏକାଧିକ ବନ୍ଧ ଯୋଗୁ ତଳମୁଣ୍ଡ ସୁନ୍ଦରଗଡ଼ରେ ଶୁଖିଲା ପଡ଼ିଥିବା ଇବ୍‌ନଦୀକୁ ଦେଖିଥିଲେ। ଟିମ୍ ଅଧଘଣ୍ଟା ଧରି ଇବ୍ ନଦୀର ସ୍ଥିତି ନିରୀକ୍ଷଣ କରିବା ସହ ଅଧିକାରୀମାନଙ୍କ ସହ ପ୍ରସ୍ତାବିତ ବନ୍ଧ ସମ୍ପର୍କରେ ଆଲୋଚନା କରି ଫେରିଯାଇଥିଲେ। ‌ଏସବୁ ପରିଦର୍ଶନ, ନିରୀକ୍ଷଣ ଓ ବ୍ୟାରେଜ ନିର୍ମାଣ ମଧ୍ୟରେ ଇବ୍‌ନଦୀରେ ପାଣି କେବେ ଅଟକିବ ଓ ସୁନ୍ଦରଗଡ଼ର ଜଳସଂକଟ ଦୂର ହେବାକୁ ଆଉ କେ‌ତେ ବର୍ଷ ଲାଗିବ, ତାହା ଦେଖିବାକୁ ବାକି ରହିଛି।