ବନ୍ଦ ହେବ ଆଇସିସିଆର୍‌ କାର୍ଯ୍ୟାଳୟ, ସାଂସ୍କୃତିକ ଜଗତରେ ଅସନ୍ତୋଷ

କାର୍ଯ୍ୟାଳୟ ପାଇଁ ଜମି ଦେଲେନି ରାଜ୍ୟ ସରକାର, ୪ ବର୍ଷ ତଳେ ବନ୍ଦ ପ୍ରକ୍ରିୟା ସ୍ଥଗିତ ଥିଲା

ଭୁବନେଶ୍ବର : ଜୁଲାଇ ୧ରୁ ବନ୍ଦ ହୋଇଯିବ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଅଧୀନରେ ଥିବା ‘ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌)’ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ। ଚଳିତ ମାସ ହେବ ଭୁବନେଶ୍ବର ପଳାଶପଲ୍ଲୀସ୍ଥିତ ଏହି ଆଞ୍ଚଳିକ କାର୍ଯ୍ୟାଳୟର ଶେଷ କାର୍ଯ୍ୟ ମାସ। ଏନେଇ ଆଇସିସିଆର୍‌ର ଆଞ୍ଚଳିକ ନିର୍ଦ୍ଦେଶିକା ମିନାକ୍ଷୀ ମିଶ୍ର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି କାର୍ଯ୍ୟାଳୟକୁ ବନ୍ଦ କରାଯାଇ କୋଲକାତାସ୍ଥିତ ଜୋନ୍‌ କାର୍ଯ୍ୟାଳୟ ଅଧୀନରେ ଓଡ଼ିଶା ସମ୍ପର୍କିତ କାର୍ଯ୍ୟ କରିବାକୁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଖବର ଜଣାପଡ଼ିବା ପ‌ରେ ରାଜ୍ୟର ସାଂସ୍କୃତିକ ଜଗତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଏପରି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଛି।

ଆଇସିସିଆର୍‌ ପକ୍ଷରୁ ଏପରି ଏକ ଚରମ ନିଷ୍ପତ୍ତି କାହିଁକି ନିଆଗଲା, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୪ ବର୍ଷ ତଳେ ଏମିତି ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ପ୍ରବଳ ପ୍ରତିବାଦ ଭିତରେ ପ୍ରକ୍ରିୟା ସ୍ଥଗିତ ରହିଥିଲା। ଏବେ ପୁଣି ଥରେ ଆଇସିସିଆର୍‌ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇ ଓଡ଼ିଶାର କଳାକାରଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ଦିଗରେ ରାଜ୍ୟ ସରକାରଙ୍କ ଖାମଖିଆଲ ଆଭିମୁଖ୍ୟ ବି କିଛି କମ୍ ନାହିଁ। ୨୦୧୬ ମସିହା ଜାନୁଆରି ମାସରୁ ସ୍ଥାୟୀ ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଆଇସିସିଆର୍‌ ରାଜ୍ୟ ସରକାରଙ୍କୁ ଜମି ପ୍ରଦାନ ନିମନ୍ତେ ବାରମ୍ବାର ଚିଠି ଲେଖି ଆସୁଥିଲେ ମଧ୍ୟ ସରକାର ସାମାନ୍ୟ ତତ୍ପରତା ପ୍ରକାଶ କରି ନାହାନ୍ତି। ଆଇସିସିଆର୍‌ କାର୍ଯ୍ୟାଳୟ ବନ୍ଦ ହେବା ପଛରେ ଏହା ଆଉ ଏକ କାରଣ ବୋଲି କୁହାଯାଉଛି।

ରାଜ୍ୟରେ ଲୋକକଳାକୁ ଉଜ୍ଜୀବିତ ରଖିବା, ଲୁକ୍କାୟିତ କଳାକୁ ଲୋକଲୋଚନକୁ ଆଣିବା, ରାଜ୍ୟର କଳାକାରମାନଙ୍କୁ ଦେଶ ବାହାରକୁ ନେଇ ସେଠାରେ ଆମ କଳା, ସଂସ୍କୃତିର ପ୍ରଚାର, ପ୍ରସାର କରିବା ତଥା ଅନୁନ୍ନତ ରାଷ୍ଟ୍ରରୁ ପିଲାଙ୍କୁ ଆଣି ଓଡ଼ିଶାରେ ଶିକ୍ଷାଦାନ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଆଇସିସିଆର୍‌ର ଏକ ଆଞ୍ଚଳିକ
କାର୍ଯ୍ୟାଳୟ ଓଡ଼ିଶାରେ ଖୋଲିଥିଲା। ପ୍ରଥମେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏହା କାର୍ଯ୍ୟ ଆରମ୍ଭ କରିଥିଲା। ପ‌ରେ ୨୦୧୫ ମସିହା ଭୁବନେଶ୍ବର ପଳାଶପଲ୍ଲୀରେ ଅସ୍ଥାୟୀ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଏହାର ସ୍ଥାୟୀ କାର୍ଯ୍ୟାଳୟ ପାଇଁ ସହର ମଝିରେ ୨ ଏକର ଜମି ପ୍ରଦାନ କରିବାକୁ ୨୦୧୬ ଜାନୁଆରିରେ ଆଇସିସିଆର୍‌ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ନ ମିଳିବାରୁ ୨୦୧୬ ଏପ୍ରିଲ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ପୁଣି ଆଇସିସିଆର୍‌ ଚିଠି ଲେଖି ଜମି ପ୍ରଦାନ ପାଇଁ ଅନୁରୋଧ କରିଥିଲା। ପରେ ୨୦୧୮ ମସିହାରେ ଆଇସିସିଆର୍‌ ପକ୍ଷରୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୁରୁଣା କ୍ୟାମ୍ପସକୁ ଆଞ୍ଚଳିକ କାର୍ଯ୍ୟାଳୟ ନିମନ୍ତେ ବ୍ୟବହାର ପାଇଁ ଅନୁମତି ଦେବାକୁ ସଂସ୍କୃତି ବିଭାଗକୁ ଚିଠି ଲେଖାଗଲା। ତେବେ ଏହି କ୍ୟାମ୍ପସ୍‌କୁ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ଲାସିକାଲ୍‌ ଓଡ଼ିଆ (ସିଆଇସିଓ) ପ୍ରତିଷ୍ଠା ପାଇଁ ଦିଆଯାଇଥିବାରୁ ସଂସ୍କୃତି ବିଭାଗ ନିଜର ଅକ୍ଷମତା ପ୍ରକାଶ କରିଥିଲା। ଜମି ପା‌ଇଁ ସାଧାରଣ ପ୍ରଶାସନ ବିଭାଗକୁ ଯୋଗାଯୋଗ କରିବାକୁ ବିଭାଗ ପକ୍ଷରୁ ଆଇସିସିଆର୍‌କୁ କୁହାଯାଇଥିଲା। ୨୦୧୮ ଜୁନ୍‌ ୨୫ରେ ସତ୍ୟନଗରସ୍ଥିତ ତୋ‌ଷାଳି ଭବନରେ ଆଇସିସିଆର୍‌ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଜାଗା ଦେବାକୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ନିବେଦନ କରାଯାଇଥିଲା। ଏହି ଚିଠିର କୌଣସି ଉତ୍ତର ମିଳିନଥିଲା।

ଏମିତି ପତ୍ରାଳାପ ମଧ୍ୟରେ ୨୦୧୮ ମସିହାରେ ଏହି କାର୍ଯ୍ୟାଳୟକୁ କୋଲକାତା ସ୍ଥାନାନ୍ତର ପାଇଁ ଆଇସିସିଆର୍‌ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଗଲା। ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡକୁ ମିଶାଇ ଏକ ଜୋନ୍‌ ଗଠନ କରି କୋଲକାତା କାର୍ଯ୍ୟାଳୟ ଦ୍ବାରା ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ସେହି ସମୟରେ ନିଷ୍ପତ୍ତି ହେଲା। ହେଲେ ଓଡ଼ିଶାରେ ଏହାର ପ୍ରବଳ ବିରୋଧ ହୋଇଥିଲା। ପୂର୍ବ ଭାରତର କଳା ଓ ସଂସ୍କୃତି ମାନଚିତ୍ରରେ ଓଡ଼ିଶା ସର୍ବୋତ୍ତମ ସ୍ଥାନ ହୋଇଥିବା ବେଳେ ଏଠା‌ରୁ ଆଇସିସିଆର୍‌ର ଆଞ୍ଚଳିକ କାର୍ଯ୍ୟଳୟ ସ୍ଥାନାନ୍ତରଣ ଏକ ନିନ୍ଦନୀୟ ବିଷୟ ବୋଲି ସମାଲୋଚନା ହୋଇଥିଲା। ସେହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମାମଲାରେ ହସ୍ତକ୍ଷେପ କରି ଆଇସିସିଆର୍‌କୁ ଚିଠି ଲେଖିଥିଲେ। ତେବେ ଏପରି ବନ୍ଦ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଆଇସିସିଆର୍‌ ପକ୍ଷରୁ ସଫେଇ ଦିଆଯାଇଥିଲା। ଫଳରେ ପ୍ରସଙ୍ଗଟି ଥମିଯାଇଥିଲା। କିନ୍ତୁ ଏବେ ପୁଣି ଆଇସିସିଆର୍‌ ଏପରି ଚରମ ନିଷ୍ପତ୍ତି ନେବା ଦ୍ବାରା ଓଡ଼ିଶାର କଳାକାର କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର