ଭଦ୍ରକ: ଭଦ୍ରକ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଅବ୍ୟବସ୍ଥିତ ଭାବେ ଚାଲିଛି। ଜିଲ୍ଲାର ୬୦ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ରର ଘର ନଥିବାରୁ କିଛି କେନ୍ଦ୍ର ଲୋକଙ୍କର ଘରେ ତ ପୁଣି ଆଉ କିଛି କେନ୍ଦ୍ର ସ୍କୁଲ ବାରଣ୍ଡାରେ ଚାଲିଛି। ଭଦ୍ରକ ଜିଲ୍ଲାରେ ଆଇସିଡିଏସ ଯୋଜନାରେ ଚାଲିଥିବା ଅନେକ ଅଙ୍ଗନବାଡି କେନ୍ଦ୍ରର ସ୍ଥାୟୀ ପକ୍କା ଘର ନଥିବା ବେଳେ କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଣରେ ମଧ୍ୟ ଅଚଳାବସ୍ଥା ଲାଗିରହିଛି।
ସବୁ ଅଙ୍ଗନବାଡି କେନ୍ଦ୍ରକୁ ରନ୍ଧନ ଗ୍ୟାସ ସଂଯୋଗ କରାଯିବା ନେଇ ସରକାର ଘୋଷଣା କରି ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହି ସହାୟତା ବିଭାଗୀୟ ଅଧିକାରୀଙ୍କ ଆକାଉଣ୍ଟରେ ପଡ଼ିରହିଥିଲେ ମଧ୍ୟ ତା’ର ଉପଯୋଗ ହୋଇ ପାରୁନାହିଁ। କେନ୍ଦ୍ରଗୁଡ଼ିକରେ ଗ୍ୟାସ ସଂଯୋଗ ବିଳମ୍ବ ହେଉଥିବାରୁ ଏଲପିଜି ସଂଯୋଗର ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇ ପାରୁନାହିଁ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସହଯୋଗୀ ଅଧିକାରୀ ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଖାଦ୍ୟ ଯୋଗାଣ ନେଇ ଯେତିକି ତତ୍ପରତା ପ୍ରକାଶ କରାଯାଉଛି ରନ୍ଧନ ଗ୍ୟାସ୍ ଯୋଗାଣରେ ସେଭଳି ଆନ୍ତରିକତା ପ୍ରଦର୍ଶନ କରା ଯାଉନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗତ ତିନିମାସ ହେବ ସିଡିପିଓଙ୍କ ଅଫିସ୍ରେ ଗ୍ୟାସ ସଂଯୋଗ ଟଙ୍କା ଆସି ପଡ଼ିରହିଛି। ସେପଟେ କିନ୍ତୁ ଅସ୍ବାସ୍ଥ୍ୟକର ପରିବେଶରେ ଜିଲ୍ଲାର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ କାଠଚୁଲିରେ ରୋଷେଇ କରି ଶିଶୁମାନଙ୍କୁ ଖାଦ୍ୟ ଦିଆଯାଉଛି। କାଠ କିମ୍ବା କୋଇଲା ବ୍ୟବହାର ନକରିବା ପାଇଁ ସରକାର ଗତ ଫେବ୍ରୁଆରି ୨୮ ତାରିଖରୁ ଗାଇଡଲାଇନ୍ ଜାରି କରିବା ସହ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ପ୍ରତି କେନ୍ଦ୍ରକୁ ରନ୍ଧନ ଗ୍ୟାସ୍ ଯୋଗାଣ କରିବାକୁ ନିର୍ଦ୍ଦେଶ ଦେବା ସହ ଅର୍ଥ ମଧ୍ୟ ମଞ୍ଜୁର କରିଥିଲେ। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ମାର୍ଚ୍ଚ ୨୦ ତାରିଖରେ ଜିଲ୍ଲାରେ ଥିବା ୮ଟି ଆଇସିଡିଏସର ସିଡିପିଓମାନଙ୍କ ଆକାଉଣ୍ଟକୁ ଏଲ୍ପିଜି ସଂଯୋଗ ପାଇଁ ପ୍ରଥମ ଦଫାରେ ୧ କୋଟି ୮୨ ଲକ୍ଷ ୬୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା।
ଡବଲ ସିଲିଣ୍ଡରଯୁକ୍ତ ଏଲପିଜି ସଂଯୋଗ ଲାଗି ପ୍ରତି ଅଙ୍ଗନବାଡି କେନ୍ଦ୍ର ପିଛା ୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲା। ଜିଲ୍ଲାରେ ମୋଟ ୨ ହଜାର ୪୩୫ଟି ଅଙ୍ଗନବାଡି କେନ୍ଦ୍ରକୁ ଏଲପିଜି ସଂଯୋଗ ପାଇଁ ଏହି ଅର୍ଥ ମଞ୍ଜୁର ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ଅନେକ କେନ୍ଦ୍ରକୁ ଗ୍ୟାସ୍ ସଂଯୋଗ କରାଯାଇନାହିଁ। ଚାନ୍ଦବାଲି ବ୍ଲକରେ ମୋଟ ୫୬୧ଟି କେନ୍ଦ୍ର ରହିଥିବା ବେଳେ ଭଦ୍ରକ ବ୍ଲକରେ ୪୫୦ଟି କେନ୍ଦ୍ର ରହିଛି। ବାସୁଦେବପୁର ବ୍ଲକରେ ୪୨୨ କେନ୍ଦ୍ର, ଧାମନଗର ବ୍ଲକରେ ୩୫୩, ତିହିଡି ବ୍ଲକରେ ୩୦୪, ଭଣ୍ଡାରିପୋଖରୀ ବ୍ଲକରେ ୨୪୦, ବନ୍ତ ବ୍ଲକରେ ୨୩୮ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏହିସବୁ କେନ୍ଦ୍ରକୁ ତୁରନ୍ତ ଏଲପିଜି ସଂଯୋଗ ପାଇଁ ଦାବି ହୋଇଛି।
ଏ ସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ପଚାରିବାରୁ ଏବେ ସୁଦ୍ଧା ୧୪ ଶହରୁ ଊର୍ଦ୍ଧ୍ବ ଅଙ୍ଗନବାଡି କେନ୍ଦ୍ରକୁ ରନ୍ଧନ ଗ୍ୟାସ୍ ଯୋଗାଣ କରାଯାଇଥିବା କହିଛନ୍ତି। ଖୁବ୍ଶୀଘ୍ର ଅନ୍ୟ କେନ୍ଦ୍ରଗୁଡ଼ିକୁ ମଧ୍ୟ ଗ୍ୟାସ୍ ସଂଯୋଗ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/41-13.jpg)