ନୟାଗଡ଼ ଭାପୁର ବ୍ଲକ ଅଧ୍ୟକ୍ଷାଙ୍କୁ ନ୍ୟାୟ ଦାବି ଜୋର୍‌ ଧରିଲା: ପିଏମ୍‌ଜିରେ ଧାରଣା ଦେଲା ରାଷ୍ଟ୍ରୀୟ ଦଳିତ ମହାସଂଘ

ଭୁବନେଶ୍ବର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରି ରାଷ୍ଟ୍ରୟୀ ଦଳିତ ମହାସଂଘ ପକ୍ଷରୁ ଲୋୟର୍‌ ପିଏମ୍‌ଜି ଠାରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଦଳିତ ବର୍ଗର ମହିଳା ଅଧ୍ୟକ୍ଷା ଶ୍ରୀମତି ବେହେରାଙ୍କୁ ହତ୍ୟା ଧମକ ଦିଆ ଯାଇଥିବା ବେଳେ ଫତେଗଡ଼ ଥାନା ପୁଲିସ ଏତଲା ପାଇ ଚୁପ୍‌ ବସିଛି। ଏମିତିକି ତାଙ୍କୁ କାର୍ଯ୍ୟାଳୟରେ ପୂରାଇ ଦିଆ ଯାଉନଥିବା ଓ ତାଙ୍କ ସିଲ୍‌, ଲେଟର ପ୍ୟାଡ୍‌କୁ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କାର ମିଛ ବିଲ୍‌ କରାଯାଇଥିବା ଭଳି ସଂଗିନ୍ ଅଭିଯୋଗ ହୋଇଛି। ମାତ୍ର ଏସବୁର ତଦନ୍ତ କରାଯାଉ ନାହିଁ। ବରଂ ତାଙ୍କୁ ପଦବିରୁ ହଟାଇବା ପାଇଁ ଷଡ୍‌ଯନ୍ତ୍ର କରି ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜି ଜଣେ ଦଳିତ ମହିଳାଙ୍କୁ ନ୍ୟାୟ ଦେଉନଥିବା ଅଭିଯୋଗରେ ଏହି ଗଣଧାରଣା ହୋଇଥିବା କୁହାଯାଇଛି।

ଅଧ୍ୟକ୍ଷା ଶ୍ରୀମତି ବେହେରା କହିଛନ୍ତି ଯେ ଦୁଇ ବର୍ଷ ହେବ ସେ ବ୍ଲକ କାର୍ଯ୍ୟାଳୟ ଭିତରୁ ପ୍ରବେଶ କରିପାରୁନାହାନ୍ତି। ତାଙ୍କୁ ଜାତିଆଣ କଥା କହି ଗାଳି ଦିଆଯାଉଛି ଓ ମାରିଦେବା ପାଇଁ ଧମକ ଦିଆଯାଉଛି। ତାଙ୍କୁ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଏବଂ ତାଙ୍କ ମୁଖ୍ୟ ମହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା ଓ ଯୋଗେନ୍ଦ୍ର କୁମାର ସ୍ବାଇଁ ମାଡ଼ ମାରିବା ଓ କାର୍ଯ୍ୟ କରାଇ ଦେଉନଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଲେଟର ପ୍ୟାଡ୍‌, ସିଲ୍, ଜାତିଗତ ପ୍ରମାଣପତ୍ର, ଭୋଟର କାର୍ଡ, ଆଧାର କାର୍ଡ ଓ ଘରର ପଟ୍ଟା ନେଇଯାଇଛନ୍ତି। ତାଙ୍କ ଅଫିସ୍ ଗୃହକୁ ବଳପୂର୍ବକ ମାଡ଼ି ବସିଛନ୍ତି। ତାଙ୍କ ଜାଲ୍‌ ଦସ୍ତଖସ୍ତ ବଳରେ ବହୁ ମିଛ ବିଲ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଛନ୍ତି। ଏହି ସମସ୍ତ ଅଭିଯୋଗ ନେଇ ଫତେଗଡ଼ ଥାନାରେ ଏତଲା କରାଯାଇଥିଲେ ମଧ୍ୟ ଥାନା ଅଧିକାରୀ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।

ଜାତୀୟ ଦଳିତ ମହାସଂଘ ସଭାପତି ଅଶୋକ ମଲ୍ଲିକ କୁହିଛନ୍ତି ଯେ ଉପାଧ୍ୟକ୍ଷ ଗୟାଧର ପରିଡ଼ା ବ୍ଲକ କାର୍ଯ୍ୟାଳୟରେ ଗୁଣ୍ଡାରାଜ ଚଳାଇଛନ୍ତି। ଗତ ୧୧ ତାରିଖରେ ରାଷ୍ଟ୍ରୀୟ ଦଳିତ ମହାସଂଘ ହସ୍ତକ୍ଷେପ କରିବା ପରେ ଥାନାରେ ଏତଲା ରେଜିଷ୍ଟର ହୋଇଛି। ମାତ୍ର ପୁଲିସ ଚୁପ୍ ବସିଛି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଅଧ୍ୟକ୍ଷାଙ୍କ ନାମରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ଏଥିସହିତ ଗୟାଧର ପରିଡ଼ା ଏବଂ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ଯଦି ଏହା କରାନଯାଏ, ରାଷ୍ଟ୍ରୀୟ ଦଳିତ ମହାସଭା ଏହି ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ‌ସେ ଚେତାବନୀ ଦେଇଛନ୍ତି। ଆଜିର ଗଣଧାରଣାରେ ଦଳିତ ମହାସଂଘ ପକ୍ଷରୁ ଦେବରାଜ ନାୟକ, ସଞ୍ଜୟ ଘଡ଼େଇ, ରୀନାରାଣୀ ନାୟକ, ଫତିମା ବେଗମ୍‌ ଓ ରବି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର