ପୁରୀ : ବିଶିଷ୍ଟ ସନ୍ଥ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ବିଗ୍ରହ ଅନାବରଣ କରାଯାଇଛି। ଶ୍ରୀୟଦୁଗିରି ୟଥିରାଜ ମଠ ପକ୍ଷରୁ ତାଳବଣିଆସ୍ଥିତ ହେଲିପ୍ୟାଡ୍ ଛକରେ ପ୍ରତିଷ୍ଠା ହୋଇଥିବା ବିଗ୍ରହକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନାବରଣ କରିଛନ୍ତି।
ଏହି ଅବସରରେ ରାଜ୍ୟପାଳ କହିଥିଲେ , ଶୁଦ୍ଧପୂତ ଭାବନା ବିନା ଜାଗତିକ ପ୍ରେମ ଯଥେଷ୍ଟ ନୁହେଁ। ଶ୍ରୀରାମାନୁଜାଚାର୍ଯ୍ୟ ପବିତ୍ରତାର ପ୍ରତୀକ ହୋଇଥିବାରୁ ଏହି ବିଗ୍ରହ କେବଳ ଲୋକଙ୍କୁ ଅନୁପ୍ରାଣିତ କରିବ ନାହିଁ ବରଂ ସେମାନଙ୍କ ମଧ୍ୟରେ ପବିତ୍ର ଭାବନା ଉଦ୍ରେକ କରିବ। ଏ ମାଟି ଗୋଟିଏ ବିଶ୍ବ, ଗୋଟିଏ ପରିବାରର ମନ୍ତ୍ର ବାଣ୍ଟି ଆସୁଛି। ବିଶ୍ବର ବିଭିନ୍ନ ଦେଶ ଯେତେବେଳ ଅସ୍ଥିର, ଶଙ୍କାଗ୍ରସ୍ତ ଓ କିଛି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଯୁଦ୍ଧ ଓ ମାରଣାସ୍ତ୍ର ଯୋଗାଉଛନ୍ତି ସେତେବେଳେ ଭାରତ କ୍ଷତିଗ୍ରସ୍ତ ରାଷ୍ଟ୍ରକୁ ଔଷଧ, ଖାଦ୍ୟ ପାନୀୟ ଯୋଗାଇ ପ୍ରେମର ବାର୍ତ୍ତା ବାଣ୍ଟୁଛି ବୋଲି କହିଥିଲେ।
ଶ୍ରୀରାମାନୁଜାଚାର୍ଯ୍ୟ ଭକ୍ତି ମାର୍ଗର ପ୍ରଚାର କରିଛନ୍ତି। ଶ୍ରୀରାମାନୁଜାଚାର୍ଯ୍ୟ ୯୬୦ ବର୍ଷ ପୂର୍ବେ ପୁରୀକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ ଆଜି ସେଇ ମାଟିରେ ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ଗୌରବର କଥା। ଶ୍ରୀକ୍ଷେତ୍ରରେ ମଠ ନିର୍ମାଣ ସହ ଏକ ଗୋଶାଳା ନିର୍ମାଣ କରାଯିବ ବୋଲି ସେ କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତା ଜରିଆରେ କହିଥିଲେ, ଆଧ୍ୟାତ୍ମିକ ସମ୍ପତ୍ତି ହିଁ ଭାରତର ମୂଳଶକ୍ତି। ଜଗଦ୍ଗୁରୁ ରାମାନୁଜାଚାର୍ଯ୍ୟଙ୍କ ଦର୍ଶନ ଅନୁଯାୟୀ ମାନବବାଦ ସବୁଠୁ ଉପରେ। ସମାଜ ସଂସ୍କାରକ, ଭକ୍ତି ଦର୍ଶନ ବିତରଣ କରିବା ସହ ସମଗ୍ର ଜୀବନ ମାନବ ସମାଜ ପାଇଁ ସମର୍ପି ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ବାର୍ତା ଦେଇଥିଲେ।
ପରମହଂସ ପ୍ରଜ୍ଞାନାନନ୍ଦ ଜୀ କହିଥିଲେ, ମାନବିକ ମୂଲ୍ୟବୋଧ ଆଧାରିତ ଆମ ସଂସ୍କୃତିକୁ ଭୁଲି ଆମେ ପାଶ୍ଚାତ୍ୟକୁ ଅନ୍ଧ ଅନୁକରଣ କରୁଛେ। ତେବେ ଆମ ସଂସ୍କୃତି ଜାତୀୟ ସଂହତି ଓ ମାନବ ସମାଜକୁ ଆଲୋକ ଦେଖାଉଛି ବୋଲି ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଦ୍ବାରକାନାଥ ଶେଷାଦ୍ରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।