ପୁଣି ମାତିଲେ ମୂର୍ତ୍ତି ଚୋର: ବୀରନରସିଂହପୁର ଗୋପୀନାଥ ମନ୍ଦିରରୁ ୫ ଅଷ୍ଟଧାତୁ ମୂର୍ତ୍ତି ଚୋରି

ପୁରୀ: ପୁରୀ ଜିଲ୍ଲାରେ ମାତିଛନ୍ତି ମୂର୍ତ୍ତି ଚୋରି ଗ୍ୟାଙ୍ଗ। ପୁଣି  ମୂର୍ତ୍ତି ଚୋରି ଘଟଣା ସାମ୍ନାକୁ ଆସିଛି। ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ବୀରନରସିଂହପୁର ଗୋପୀନାଥ ମନ୍ଦିରରୁ ୫ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ଏହାର ଓଜନ ୧୦୦ କେଜିରୁ ଅଧିକ। ଚୋରି ମୂର୍ତ୍ତି ହେଉଛି। ମୂର୍ତ୍ତି ଗୁଡିକ ହେଲା କନକଦୁର୍ଗା, ଲୋକନାଥ , ଜୟଦୁର୍ଗା, ଦୋଳଗୋବିନ୍ଦ ଓ ଛୋଟା ଗୋପାଳଙ୍କ ମୂର୍ତ୍ତି ଚୋରି ହୋଇଛି। ଆଜି ସକାଳୁ ମନ୍ଦିର ପୂଜକ ଦେଖିବା ପରେ ଗ୍ରାମବାସୀ ଓ ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଗତକାଲି ରାତିରେ ମନ୍ଦିର ଗ୍ରିଲ କାଟି ଚୋରି ହୋଇଛି। ଆଗକୁ ଦୋଳ ପୂର୍ଣ୍ଣିମା ଥିବାରୁ କିଭଳି ଦୋଳପୂର୍ଣ୍ଣିମା ପାଳନ ହେବ ତାହାକୁ ନେଇ ଚିନ୍ତାରେ ଅଛନ୍ତି ଗ୍ରାମବାସୀ। ସେପଟେ ଦିନକୁ ଦିନ ପୁରୀ ଜିଲ୍ଲାରେ ୧୦ରୁ ଅଧିକ ମୂର୍ତ୍ତି ଚୋରି ମାମଲା ଚଳିତ ବର୍ଷ ହୋଇଥିଲେ ସୁଦ୍ଧା ପୁଲିସକୁ ମିଳିନାହିଁ ସଫଳତା। କେବକ ୨୦୧୯ରେ ଗୋଟିଏ ଚୋରି ଘଟଣାରେ ୧୦ଟି ମୂର୍ତ୍ତି ଉଦ୍ଧାର କରିଛି ପୁଲିସ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ କଣାସ ବ୍ଲକ୍‌ ଗଡ଼ିଶାଗୋଦା ଥାନା ଶ୍ରୀମୁକୁନ୍ଦପୁର ଈଶାନେଶ୍ବର ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ରାଧାକୃଷ୍ଣ ଓ ଶିବପାର୍ବତୀଙ୍କ ଚାରି ମୂର୍ତ୍ତି ଚୋରି ପରେ ଜିଲ୍ଲା ପୁଲିସର କାର୍ଯ୍ୟଦକ୍ଷତା ଉପରେ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ବଡ଼ କଥା ହେଉଛି, ପୁରୀ ଜିଲ୍ଲାରୁ ତିନି ମାସ ଭିତରେ ୧୦ରୁ ଅଧିକ ପୁରାତନ ମନ୍ଦିରରୁ ଏଭଳି ଲୁଟ୍‌ପାଟ ହେଲାଣି।

ରାଜରାଜୁଡ଼ା ସମୟରୁ ପୁରୀ ଜିଲ୍ଲାରେ ଅନେକ ମନ୍ଦିର ପ୍ରତିଷ୍ଠା ସହ ଏଠାରେ ଅଷ୍ଟଧାତୁରେ ନିର୍ମିତ ବହୁମୂଲ୍ୟ ମୂର୍ତ୍ତି ପୂଜା ପାଉଛନ୍ତି। ଏହି ମୂର୍ତ୍ତିକୁ ଚୋରି ପରେ ବିଦେଶକୁ ରପ୍ତାନି କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ଉଠୁଛି। ମୂର୍ତ୍ତି ଚୋରି ଗ୍ୟାଙ୍ଗର ଚେର ଦେଶ, ବିଦେଶକୁ ବି ଲମ୍ବିଥିବା ପୁଲିସ ଅନୁମାନ କରୁଛି। ସେପଟେ ପୁରୀ ଜିଲ୍ଲାକୁ ନିୟମିତ ବ୍ୟବଧାନରେ ବଞ୍ଜାରାମାନେ ଆସି ରହୁଛନ୍ତି। ଯେଉଁମାନଙ୍କ ଠିକଣା ବି ଆଜି ପର୍ଯ୍ୟନ୍ତ ପୁଲିସ ହସ୍ତଗତ କରିପାରିନି। ପୁଲିସ ଏମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର