ଲୋଇସିଂହା: ନିଜ ପରିବାରରୁ ପରିବେଶ ସୁରକ୍ଷା ପାଇଁ ଚିନ୍ତନ ଆବଶ୍ୟକ। ପରିବେଶ ପ୍ରଦୂଷଣର କୁପ୍ରଭାବରେ ଜଳ, ବାୟୁ ଏବଂ ଖାଦ୍ୟ ପଦାର୍ଥ ବିଷାକ୍ତ ହୋଇ ପଡୁଥିବା ବେଳେ ପ୍ରତ୍ୟେକ ପରିବାର ତଥା ପ୍ରତ୍ୟେକ ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତା ନଷ୍ଟ ହେଉଛି। ଲୋକେ ନାନା ରୋଗର ଶିକାର ହୋଇ ଅକାଳରେ ପ୍ରାଣ ହରାଉଥିବା ଦେଖାଯାଉଛି। ଏଥିରୁ ରକ୍ଷାପାଇବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ବୃକ୍ଷରୋପଣ ସହ ନିଜ ଅଞ୍ଚଳର ନଦୀ, ନାଳ, ପୋଖରୀର ସୁରକ୍ଷା, ଜୈବିକ ବିଷମୁକ୍ତ ଚାଷ ସହ ବର୍ଜ୍ୟବସ୍ତୁର ସୁପରିଚାଳନା ଜରୁରୀ। ଅନ୍ୟଥା ସମସ୍ତଙ୍କ ଭବିଷ୍ୟତ ବିପଦପୂର୍ଣ୍ଣ ବୋଲି ‘ସମ୍ବାଦ’ ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ପରିବେଶ ପଞ୍ଚାୟତରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି।
ପ୍ରଧାନ ଆଚାର୍ଯ୍ୟ ଶିବ ବାରିକଙ୍କ ଅଧ୍ୟକ୍ଷତାରେ ତଥା ‘ସମ୍ବାଦ-ଆମ ଓଡ଼ିଶା’ ବ୍ଲକ୍ ସଂଯୋଜକ ବିମଳ ଚରଣ ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆସେମ୍ଲି ଅଫ୍ ସିନିୟର ସିଟିଜେନ୍ର ଅଧ୍ୟକ୍ଷ ବିଭୂତି ଭୂଷଣ ସାହାଣୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପରିବେଶ ପ୍ରଦୂଷଣର ଭୟାବହତା ସହ ଏହାର ନିରାକରଣ ପାଇଁ ପ୍ରତ୍ୟେକ ପରିବାର ପକ୍ଷରୁ ବୃକ୍ଷରୋପଣ ସଂପର୍କରେ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷା ନିରୀକ୍ଷକ ତଥା ବରିଷ୍ଠ ଚାଷୀ ରାଜେନ୍ଦ୍ର ବିଶ୍ବାଳ ମାଟି ମା’ର ସୁରକ୍ଷା ପାଇଁ ଜୈବିକ କୃଷି ଓ ବିଷମୁକ୍ତ ଚାଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପତଞ୍ଜଳି ଯୋଗ ସମିତି ବଲାଙ୍ଗୀରଜିଲ୍ଲା ଅଧ୍ୟକ୍ଷ ଅଶୋକ ଅଗ୍ରୱାଲ ବୃକ୍ଷରୋପଣର ଆବଶ୍ୟକତା ଉପରେ ସୂଚନା ଦେଇଥିଲେ। ବନ କର୍ମଚାରୀ ବସନ୍ତ ମହାକୁର ଜଙ୍ଗଲ ସୁରକ୍ଷା ସଂପର୍କରେ କହିଥିବାବେଳେ ଲୋଇସିଂହା ସଂକୁଳ ବିଦ୍ୟୁତ୍ ପରିଷଦ ଅଧ୍ୟକ୍ଷ ତଥା ଲେଖକ ରାମଚନ୍ଦ୍ର ପଟେଲ ଶିଶୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଉଦାହରଣ ଦେଇ ବୃକ୍ଷରୋପଣ ଓ ଯତ୍ନ ଉପରେ ଗୁରୁତ୍ବାରୋପ କରିଥିଲେ। ପୂର୍ବତନ ମାଧ୍ୟମିକ ଶିକ୍ଷକ ସଂଘର ବରିଷ୍ଠ କର୍ମକର୍ତ୍ତା ସୋମନାଥ ବିଶ୍ବାଳଙ୍କ ସହ ଛାତ୍ର ସୂର୍ଯ୍ୟସ୍ବରୂପ ବେହେରା ଓ ଗୁରୁମା କୁମୁଦିନୀ ସାହୁ ପରିବେଶ ପ୍ରଦୂଷଣ ସଂପର୍କରେ ସୂଚନା ଦେଇ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ ଓ ତାର ଯତ୍ନ ନେବାକୁ ଆହ୍ବାନ ଦେଇଥିଲେ। ଗୁରୁମା ଶ୍ରୀମାଞ୍ଜଳି ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଗୁରୁଜୀ ପ୍ରେମାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ।