ଭୁବନେଶ୍ବର: ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ସରକାରୀ କ୍ବାର୍ଟର୍ସରେ ହୋଇଥିବା ବେଆଇନ ନିର୍ମାଣକୁ ଭାଙ୍ଗିବା ନେଇ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏପରିକି ସରକାରଙ୍କ ବିନା ଅନୁମତିରେ ଏହାକୁ ଭାଙ୍ଗୁଥିବାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ (ବବି) ହାରିବା ପରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ତାଙ୍କ ଦଖଲରେ ଥିବା ଭିଆଇଆଇଆଇଏମ୍‌ଏଆର୍, କ୍ବାର୍ଟର୍ସ ନଂ-୧ ଛାଡ଼ିବାକୁ କୁହାଯାଇଛି। ଏହାପରେ ସେ କ୍ବାର୍ଟର୍ସ ପରିସରରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରୁଛନ୍ତି। ଏପରିକି ବହୁ ଆସବାବପତ୍ର, ଲାଇଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଖୋଲି ନେଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

Advertisment

ଯେମିତି କ୍ବାର୍ଟର୍ସ ପାଇଥିଲି ସେମିତି ଫେରାଇବି: ପ୍ରଣବ
ନିର୍ମାଣ ଭାଙ୍ଗିବା ବେଆଇନ: ସାଧାରଣ ପ୍ରଶାସନ ବିଭାଗ
କେଉଁ ପ୍ରମାଣ ଲୁଚାଇବାକୁ କ୍ବାର୍ଟର୍ସ ଭଙ୍ଗାଯାଉଛି: ବିଜେପି

ପ୍ରଣବ ପ୍ରକାଶ କ୍ବାର୍ଟର୍ସ ପରିସରରେ ନିର୍ମାଣ ହୋଇଥିବା ଆଉ ଏକ ଘରକୁ ଉଚ୍ଛେଦ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପ୍ରଣବ ପ୍ରକାଶ କେବଳ ବିଧାୟକ ଥିଲେ ବି ମନ୍ତ୍ରୀ ଓ ବରିଷ୍ଠ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଆବଣ୍ଟନ ହେଉଥିବା ଏକ ୮ରୁମ୍ ବିଶିଷ୍ଟ କ୍ବାର୍ଟର୍ସରେ ରହୁଥିଲେ। ଏହା ପାର୍ଶ୍ବରେ ଆଉ ଏକ ଅତ୍ୟାଧୁନିକ ଘର ନିର୍ମାଣ ହୋଇଥିଲା। ପ୍ରାୟ ୨୦୦୦ ବର୍ଗଫୁଟ ଅଞ୍ଚଳରେ ଲୁହା ଫ୍ରେମ୍‌ରେ ନିର୍ମିତ ଏହି ଘରର ବେସ୍‌ମେଣ୍ଟର କାନ୍ଥ କଂକ୍ରିଟ ଓ ଇଟାରେ ହୋଇଥିବା ବେଳେ ପ୍ରଥମ ମହଲା ଏବଂ ଏହା ଉପରେ ଥିବା କଟେଜ୍ କାଠ ଓ ପ୍ଲାଏରେ ପ୍ୟାନେଲିଂ ହୋଇଥିଲା। ଏଥି‌ରେ ଦାମୀ ସୋଫା, ବେଡ୍‌, ଲାଇଟ୍ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ସାମଗ୍ରୀ ଥିଲା। ଅଧିକାଂଶ ସରକାରୀ କ୍ବାର୍ଟର୍ସରେ ବେଆଇନ ନିର୍ମାଣ ହେଉଥିଲେ ହେଁ ଏହିଭଳି ଅତ୍ୟାଧୁନିକ ଡିଜାଇନ୍‌ରେ କେହି ବେଆଇନ ନିର୍ମାଣ କରି ନଥିଲେ। ଏପରିକି ରାଜ୍ୟ ସରକାର କୌଣସି କ୍ବାର୍ଟର୍ସରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବେସମେଣ୍ଟ ସହ ଉଡେନ୍ ହାଉସ୍ ନିର୍ମାଣ କରିନାହାନ୍ତି। ହେଲେ ଜଣେ ବିଧାୟକଙ୍କ କ୍ବାର୍ଟର୍ସରେ ପୂର୍ତ୍ତ ବିଭାଗ କାହିଁକି ଏହି ଅତ୍ୟାଧୁନିକ ନିର୍ମାଣ କରିବା ସହ କୋଟିଏରୁ ଅଧିକ ଟଙ୍କାର ଆସବାବପତ୍ର ଯୋଗାଇଥିଲା ତାହାକୁ ନେଇ ବିବାଦ ଦେଖାଦେଇଛି।

ପ୍ରଣବ କ୍ବାର୍ଟର୍ସ ଛାଡ଼ୁଥିଲେ ହେଁ ଏହାକୁ କାହିଁକି ଲୋକ ଲଗାଇ ଭାଙ୍ଗୁଛନ୍ତି ‌ତାହାକୁ ନେଇ ପ୍ରଶ୍ନ ଉଠିଛି। ହେଲେ ସେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ନିୟମ ଅନୁଯାୟୀ, ମୁଁ ଯେପରି କ୍ବାର୍ଟର୍ସ ପାଇଥିଲି ସେହିପରି କ୍ବାର୍ଟର୍ସ ଫେରାଇବି। ମୁଁ ବିଜେଡିର ସଂଗଠନ ସମ୍ପାଦକ ଥିବାରୁ ବହୁ ନେତା ମୋ ପାଖକୁ ଆସୁଥିଲେ। ସେମାନେ ବସିବା ପାଇଁ ଅସ୍ଥାୟୀ ସମ୍ପ୍ରସାରଣ କରି ଏହାକୁ ନିର୍ମାଣ କରାଯାଇଥିଲା। ସେଠାରେ ସେମାନଙ୍କ ବି ଅଭିଯୋଗ ବି ଶୁଣି ପାରୁଥିଲେ। ଆସନ୍ତା ୧୫ତାରିଖ ଭିତରେ କ୍ବାର୍ଟର୍ସ ଛାଡ଼ିବାର ଅଛି, ତେଣୁ କ୍ବାର୍ଟର୍ସକୁ ପୂର୍ବାବସ୍ଥାକୁ ଆଣିବାକୁ କାମ ହେଉଛି। ଏହି କ୍ବାର୍ଟର୍ସ ଭଙ୍ଗା ହେଉଥିବା ଜାଣିବା ପରେ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ଆସି ଏହାର ତଦନ୍ତ କରିଛନ୍ତି। ସେମାନେ ଫଟୋ ଉଠାଇବା ସହ ମାପଚୁପ କରିଛନ୍ତି। ଏହାପରେ ଗଣମାଧ୍ୟମକୁ କହିଛନ୍ତି ଯେ କ୍ବାର୍ଟର୍ସ ଆବଣ୍ଟନବେଳେ ଯାହା ଥିଲା ତାହାଠାରୁ ଅଧିକ ନିର୍ମାଣ ହୋଇଛି। ହେଲେ ଏଥିପାଇଁ ଅନୁମତି ଆଣିଥିଲେ କି ନାହିଁ ତାହା ଜାଣିନି। କିନ୍ତୁ ଏବେ କ୍ବାର୍ଟର୍ସ ଭାଙ୍ଗିବା ବେଆଇନ। ଆମେ ଯାହା ଦେଖିଲୁ ସେନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ। କ’ଣ କାର୍ଯ୍ୟାନୁଷ୍ଠାନ ହେବ ଉପରିସ୍ଥ ଅଧିକାରୀ ନିଷ୍ପତ୍ତି ନେବେ। ଅପରପକ୍ଷେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି ଯେ ପ୍ରଣବ ପ୍ରକାଶ କାହିଁକି ଏକ ଆଲିସାନ୍ କୋଠା ନିର୍ମାଣ କରିଥିଲେ? ସରକାରୀ କ୍ବାର୍ଟର୍ସରେ ସ୍ପାନିସ୍ ସୁଇମିଂ ପୁଲ୍, କୃତ୍ରିମ ଉପାୟରେ ସ୍ନୋ ଫଲ୍‌ ଭଳି ବ୍ୟବସ୍ଥା କାହିଁକି କରିଥିଲେ? ଏଠାରେ ସେ କ’ଣ କରୁଥିଲେ ଯେ ସେହି କଳା କାରନାମାର ପ୍ରମାଣ ଲୁଚାଇବାକୁ ଏହାକୁ ଭାଙ୍ଗୁଛନ୍ତି।