ଅନୁଗୁଳ: ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା। ସବୁଆଡ଼ୁ ବି‌ରୋଧ ହେଲା ପରେ ଭୁଲ ମାଗିଲେ ନଗରପାଳ। ପ୍ରତିମୂର୍ତ୍ତି ଭାଙ୍ଗି ଆଉ ଥରେ ଠିକ୍‌ ପୋଷାକ ପିନ୍ଧାଯିବ ବୋଲି କୁହାଗଲା। ରାତାରାତି ଭାଙ୍ଗି ପ୍ୟାଣ୍ଟକୁ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା। ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ ଥମୁନି। ନବବାବୁ ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧୁଥିଲା ବେଳେ ଏଠାରେ ତାଙ୍କୁ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଯାଇଛି। ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ନବପ୍ରେମୀ। ଖୋଦ୍‌ ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା ନବବାବୁଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ ଯେ ଅନୁଗୁଳ ପୌରପାଳିକା ପକ୍ଷରୁ ଗୋପବନ୍ଧୁ ପାର୍କରେ ତାଙ୍କର ଏକ ପ୍ରତିମୂର୍ତ୍ତି କରାଯାଇଛି।

Advertisment

ସରଳ ଜୀବନଯାବନ ପାଇଁ ପରିଚିତ ଗାନ୍ଧୀବାଦୀ ନବକୃଷ୍ଣ ଚୌଧୁରୀ ତାଙ୍କ ଜୀବନକାଳ ଭିତରେ ପ୍ୟାଣ୍ଟ, ସାର୍ଟ ପିନ୍ଧି ନ ଥିଲାବେଳେ ଏଠାରେ ତାଙ୍କୁ ପ୍ୟାଣ୍ଟ ଓ କୋର୍ଟ ପିନ୍ଧାଇ ଦିଆଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦର ସ୍ବର ଉଠିବା ପରେ ପୌରପାଳିକା ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ନବବାବୁଙ୍କୁ ଧୋତି ପିନ୍ଧାଇ ଫଟୋ ଛଡ଼ାଯାଇଛି। ଏହି ଫଟୋ ଦେଖିବା ପରେ ବିବାଦ ଆହୁରି ତେଜିଛି। କାରଣ ଧୋତିଟି ନବବାବୁଙ୍କ ପାଦ ପର୍ଯ୍ୟନ୍ତ ପଡ଼ିଛି। ଏପରିକି ପାଦ ବି ଅଧା ଘୋଡ଼େଇ ହୋଇ ରହିଛି। ଓଡ଼ିଶାର ଲୋକମାନେ ଏମିତି ଧୋତି ପିନ୍ଧୁ ନ ଥିଲାବେଳେ ପୌରପାଳିକା ଏହି ଧୋତି କେଉଁଠୁ ପାଇଲା ବୋଲି ନବପ୍ରେମୀ ପ୍ରଶ୍ନ କରିଛନ୍ତି। ନବବାବୁଙ୍କ ବିଭିନ୍ନ ଫଟୋରେ ସେ ଯେମିତି ଧୋତି ପିନ୍ଧୁଥିଲେ ଏହି ପ୍ରତିମୂର୍ତ୍ତି ମେଳ ଖାଉନି। ତେଣୁ ଏହାକୁ ନେଇ ତାଙ୍କ ଝିଅ କ୍ରିଷ୍ଣ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ପୌରପାଳିକାର ସତରେ ଯଦି ଆଗ୍ରହ ରହିଛି, ତେବେ ସେମାନେ ବାଜି ରାଉତ ଛାତ୍ରାବାସ ଆସି ନବବାବୁଙ୍କ ଏକ ଫଟୋ ସଂଗ୍ରହ କରି ସେହି ଅନୁସାରେ ପ୍ରତିମୂର୍ତ୍ତି ନିର୍ମାଣ କରିଥାନ୍ତେ। କିନ୍ତୁ ଏହା ନ କରି ବାରମ୍ବାର ବିକୃତ ପ୍ରତିମୂର୍ତ୍ତି କରିବା ଦ୍ବାରା ନବବାବୁଙ୍କ ଭଲ ପାଉଥିବା ଲୋକମାନେ ଆଘାତ ପାଉଛନ୍ତି।