ଓଡ଼ିଶାରେ ଶ୍ରୀଲଙ୍କା ଆର୍ଥିକ ସଙ୍କଟର ପ୍ରଭାବ : ବିପଦରେ କେନ୍ଦୁପତ୍ର ବ୍ୟବସାୟ, ଅନିଶ୍ଚିତତାରେ ୧୨ଲକ୍ଷ ତୋଳାଳି

ଭୁବନେଶ୍ବର: ଓଡ଼ିଶାରେ ପଡ଼ିଛି ଶ୍ରୀଲଙ୍କା ଆର୍ଥିକ ସଙ୍କଟର ପ୍ରଭାବ। ଜିଏସ୍‌ଟି ମାଡ଼ ସହୁଥିବା ଓଡ଼ିଶା କେନ୍ଦୁପତ୍ର ଶ୍ରୀଲଙ୍କା ସଙ୍କଟ ଯୋଗୁଁ କ୍ଷତିଗ୍ରସ୍ତ ହେବ ବୋଲି କହିଛି ଓଏଫ୍‌ଡିସି। ଓଡ଼ିଶା କେନ୍ଦୁପତ୍ର ନିଜର ଉତ୍ପାଦନର ୯୦ ପ୍ରତିଶତରୁ ଊର୍ଧ୍ବ ବାହାର ରାଜ୍ୟ ସମେତ ଶ୍ରୀଲଙ୍କା, ବାଂଲାଦେଶ ଏବଂ ପାକିସ୍ତାନକୁ ରପ୍ତାନି କରାଯାଏ। ୨ ବର୍ଷ ହେଲା ପାକିସ୍ତାନ ଏବଂ ବାଂଲାଦେଶକୁ ରପ୍ତାନି ବନ୍ଦ ରହିଛି। ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାକୁ କେନ୍ଦୁପତ୍ର ରପ୍ତାନି ନେଇ ଅନିଶ୍ଚିତତା ରହିଛି।

ଓଏଫ୍‌ଡିସି ସିଧାସଳଖ ଶ୍ରୀଲଙ୍କାକୁ କେନ୍ଦୁପତ୍ର ରପ୍ତାନି କରୁନଥିବାରୁ ବର୍ତ୍ତମାନ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ। ଆଗାମୀ ଦିନରେ ଏହା ଦେଖିବାକୁ ମିଳିବ। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର କହିବାନୁସାରେ, ଶ୍ରୀଲଙ୍କା ସଙ୍କଟର ପ୍ରଭାବ ଜାନୁଆରି ମାସରୁ ଓଡ଼ିଶା କେନ୍ଦୁପତ୍ର ବ୍ୟବସାୟ ଉପରେ ପଡ଼ି ସାରିଛି। ଏହାର ଆର୍ଥିକ ମୂଲ୍ୟାୟନ ହ୍ରାସ ପାଇଛି। ଏଥିଯୋଗୁଁ ୧୨ ଲକ୍ଷରୁ ଊର୍ଧ୍ବ କେନ୍ଦୁପତ୍ର ତୋଳାଳି କ୍ଷତିଗ୍ରସ୍ତ ହେବା ନିଶ୍ଚିତ।

ଓଏଫ୍‌ଡିସିରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ମସିହାରେ ଓଡ଼ିଶା ୧ଲକ୍ଷ ୯୩ ହଜାର ୬୦୦ କ୍ବିଣ୍ଟାଲର କେନ୍ଦୁପତ୍ର ପାଇଁ ୫୨୭ କୋଟି ୫୦ ଲକ୍ଷ ୩୧ ହଜାର ଟଙ୍କା, ୨୦୨୦ ମସିହାରେ ୧ ଲକ୍ଷ ୮୬ ହଜାର ୫୦୦ କ୍ବିଣ୍ଟାଲର କେନ୍ଦୁପତ୍ର ପାଇଁ ୪୦୮ କୋଟି ୭୨ ଲକ୍ଷ ୧୧ ହଜାର ଟଙ୍କାର ରାଜସ୍ବ ପାଇଛନ୍ତି। ୨୦୨୧ ମସିହାର ଆହୁରି ୬୫ କୋଟି ଟଙ୍କା ଓଏଫଡିସିକୁ ମିଳିବ।

ରାଜ୍ୟର ସମୁଦାୟ ୨୫ଟି ଜିଲ୍ଲାର ପ୍ରାୟ ୧୨ ଲକ୍ଷ ତୋଳାଳିଙ୍କଠାରୁ ରାଜ୍ୟ ସରକାର କେନ୍ଦୁପତ୍ର ସଂଗ୍ରହ କରି ଏହାର ମାର୍କେଟିଂ ଏଜେନ୍ସି ଓଏଫ୍‌ଡିସି ଜରିଆରେ ପ୍ରାୟ ୪୦୦ରୁ ଅଧିକ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ବିକ୍ରି କରିଥାଆନ୍ତି। ଓଡ଼ିଶା କେନ୍ଦୁପତ୍ରର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଥିବାରୁ ବ୍ୟବସାୟୀମାନେ କୋଟି କୋଟି ଟଙ୍କା ଖର୍ଚ କରି ଏହାକୁ କ୍ରୟ କରିଥାଆନ୍ତି। ଏଥିରୁ କେବଳ ୨୦ରୁ ୨୫ କୋଟିର କେନ୍ଦୁପତ୍ର ଶ୍ରୀଲଙ୍କାକୁ ରପ୍ତାନି କରାଯାଏ।

ଓଡ଼ିଶା କେନ୍ଦୁପତ୍ରର ମୁଖ୍ୟ ଗ୍ରାହକ ତଥା କୋଲକାତାର କେନ୍ଦୁପତ୍ର ବ୍ୟବସାୟୀ ଲକ୍ଷ୍ମଣଙ୍କ କହିବାନୁସାରେ, ଜୁଲାଇ, ସେପ୍ଟେମ୍ବର ମାସରେ କେନ୍ଦୁପତ୍ର ଶ୍ରୀଲଙ୍କାକୁ ପଠାଇଥାଆନ୍ତି। କିନ୍ତୁ ବର୍ତ୍ତମାନର ସମସ୍ୟା ହେଲା, ଗତବର୍ଷ ଯେତେ ଟଙ୍କାର କେନ୍ଦୁପତ୍ର ବିକ୍ରି କରିଥିଲେ ସେହି ବକେୟା ଟଙ୍କା ପାଇ ନାହାନ୍ତି। ଆଗାମୀ ଦିନରେ ସେ ଓଏଫଡିସିରୁ କେନ୍ଦୁପତ୍ର କିଣିବା ନେଇ ନିଶ୍ଚିତ ନୁହଁନ୍ତି। କେବଳ ସେ ନୁହଁନ୍ତି, ଶ୍ରୀଲଙ୍କାକୁ ପଠାଉଥିବା ସବୁ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଥିଯୋଗୁଁ ମହାରାଷ୍ଟ୍ର, ଛତିଶଗଡ଼ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି। ୨୦୧୭ ମସିହାରୁ ୧୮ ପ୍ରତିଶତ ଜିଏସଟି କାର୍ଯ୍ୟକାରୀ ପରେ ଏହି ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଥିଲା।

ଉଦାହରଣ ସ୍ବରୂପ ୨୦୧୬ ମସିହାରେ ଯେଉଁ କେନ୍ଦୁପତ୍ର ବ୍ୟବସାୟ ୭୮୮ କୋଟି ଟଙ୍କା ଆୟ କରିଥିଲା, ୨୦୧୭ ମସିହାରେ ଏହା ୬୫୬ କୋଟି, ୨୦୧୮ ମସିହାରେ ୪୬୧ କୋଟି, ୨୦୧୯ ମସିହାରେ ୩୭୬ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ଏଥିଯୋଗୁଁ ଜିଏସ୍‌ଟିରୁ କେନ୍ଦୁପତ୍ରକୁ ବାଦ୍‌ ଦେବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଦୁଇଥର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ମାତ୍ର କେନ୍ଦ୍ର ଏହାକୁ ଗୁରୁତ୍ବ ଦେଇନଥିଲା। ୨୦୨୦, ୨୦୨୧ ମସିହାରେ ଲକଡାଉନ୍‌ ଯୋଗୁଁ ଅଧିକ କେନ୍ଦୁପତ୍ର ସଂଗ୍ରହ ହୋଇ ଅଧିକ ଆୟ ହୋଇଥିଲା। ବର୍ତ୍ତମାନ ଶ୍ରୀଲଙ୍କା ସଙ୍କଟ ଏତେ ବଡ଼ ସେକ୍ଟର୍‌କୁ ଧରାଶାୟୀ କରିଦେଲେ ରାଜସ୍ବ କ୍ଷତି ସହିତ ଲକ୍ଷାଧିକଙ୍କ ଜୀବିନଜୀବିକା କ୍ଷତିଗ୍ରସ୍ତ କରିବା ନେଇ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର