ଜିଲ୍ଲାସ୍ତରରେ କରୋନା ଚିକିତ୍ସାକୁ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବ, ଗୁରୁତର ରୋଗୀଙ୍କୁ ସିଧାସଳଖ ଭୁବନେଶ୍ବର, କଟକ ପଠାଅନି

ଫୁସ୍‌ଫୁସ୍‌ ସଂକ୍ରମଣ ରୋକିବାକୁ ଗୁରୁତ୍ବ ଦିଆଯାଉ

ଭୁବନେଶ୍ବର: ଗୁରୁତର କରୋନା ରୋଗୀଙ୍କୁ ସିଧାସଳଖ ଭୁବନେଶ୍ବର କିମ୍ବା କଟକ ନ ପଠାଇ ପ୍ରଥମେ ଜିଲ୍ଲାସ୍ତରରେ ଚିକିତ୍ସା କରାଯାଉ। ଜିଲ୍ଲାରେ ଥିବା ଆଇସିୟୁ/ଏଚ୍‌ଡିୟୁରେ ରୋଗୀଙ୍କ ପ୍ରଥମେ ଚିକିତ୍ସା କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗୁରୁତର ରୋଗୀଙ୍କୁ ଜିଲ୍ଲାସ୍ତରରେ କିଭଳି ଉପଯୁକ୍ତ ଚିକିତ୍ସା ମିଳିପାରିବ ସେଥିପାଇଁ ତୃଣମୂଳସ୍ତରରେ ତାଲିମ୍ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯିବା ଦରକାର। ଯାହାଫଳରେ ରେଫରାଲ ସଂଖ୍ୟା କମିବା ସହିତ ରୋଗୀ ପରିଚଳନା ଠିକ୍ ହୋଇପାରିବ।

କରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କ୍ରିଟିକାଲ କେୟାର ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜିଲ୍ଲାସ୍ତରରେ ପ୍ରୋତ୍ସାହିତ କରିଛନ୍ତି। ଏଥିପାଇଁ ୧୩ଟି ଦିଗକୁ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। କରୋନା ସଂକ୍ରମିତ ହୋଇଥିବା ଅନ୍ୟ ରୋଗୀଙ୍କୁ କିଭଳି ଉପଯୁକ୍ତ ଚିକିତ୍ସା ଦିଆଯାଇ ପାରିବ ତାହାର ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ଏ ମର୍ମରେ ଆଜି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ସିଡିଏମ୍‌ଓ ଓ ମ୍ୟୁନିସିପାଲିଟି କମିସନରଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାସ୍ତରରେ ରୋଗୀମାନଙ୍କୁ ଭୁବନେଶ୍ବର, କଟକ ରେଫର କରିବା ସମୟରେ ସମସ୍ୟା ଦେଖାଦେଉଛି। ତେଣୁ ‌ରୋଗୀକୁ ରେଫର କରିବା ପୂର୍ବରୁ ଯାତ୍ରା ସମୟରେ ବିପଦ ରହିଥିବାରୁ ପ୍ରଥମେ ଉପଯୁକ୍ତ କାଉନସେଲିଂ କରାଯିବା ଦରକାର। ଏହାସହ ରୋଗୀ ରେଫର ସମୟରେ ଜରୁରୀକାଳୀନ ମେଡିକାଲ ଟେକ୍‌ନିସିଆନ୍ ରହିବା ଆବଶ୍ୟକ। ଫଳରେ ଯାତ୍ରା ସମୟରେ ହାଇପୋକ୍ସିଆ ନ ହେବ ତାହାକୁ ନଜର ଦେବା ଉଚିତ। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ନ ହେବା ଯାଏ ରେଫର୍‌ କରିବାକୁ ବାରଣ କରାଯାଉ। କୋଭିଡ୍‌ ହସ୍ପିଟାଲରେ ଆଡମିଟ୍‌ ହୋଇଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଯେପରି ବିଗିଡ଼ି ନ ଯାଏ ସେଥିପାଇଁ ନିୟମିତ ବ୍ୟବଧାନରେ ତଦାରଖ କରାଯାଉ। ଫଳରେ କମ୍ ସଂଖ୍ୟକ ରୋଗୀ ଗୁରୁତର ହେବା ସହିତ ଆଇସିୟୁର ଆବଶ୍ୟକତା ପଡ଼ିବ। ସବୁ କୋଭିଡ୍‌ ହସ୍ପିଟାଲରେ ଅକ୍ସିଜେନ୍ ବ୍ୟବସ୍ଥା ବା ଏଚ୍‌ଏନ୍‌ଏଫ୍‌ସିର ବନ୍ଦୋବସ୍ତ କରିବା ସହିତ ଯଦି ଆଇସିଏମ୍‌ଆର ପ୍ରୋଟୋକଲରେ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ରେମଡେସିଭିର ଦିଆଯିବା ନେଇ ଅନୁମତି ରହିଛି ତା’ହେଲେ ଦିଆଯାଇ ପାରିବ। ଏହାସହ ଫୁସ୍‌ଫୁସ୍‌ ସଂକ୍ରମଣ ରୋକିବା ଲାଗି ସର୍ବାଧିକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଆଇସିୟୁରୁ ରୋଗୀଙ୍କ ସଂଖ୍ୟା କମାଇବା ଲାଗି ଷ୍ଟେପ୍ ଡାଉନ୍‌ ଆଇସିୟୁର ସୁବିଧା ରହିବା ଆବଶ୍ୟକ। ଯେଉଁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ ତାଙ୍କୁ ତୁରନ୍ତ ଷ୍ଟେପ୍ ଡାଉନ୍‌ ଆଇସିୟୁକୁ ଅଣାଯାଇ ପାରିବ।

ହସ୍ପିଟାଲରେ ଆଇସିୟୁର ଶଯ୍ୟାର ଅତିକମ୍‌ରେ ଅଧା ଏଚ୍‌ଡିୟୁ/ସେମି ଆଇସିୟୁ ନିଶ୍ଚିତ କରିବା ଦରକାର। ଏହାସହ କୋଭିଡ୍‌ ହସ୍ପିଟାଲରେ ଅଧିକ ସଂଖ୍ୟାରେ ଡାଏଲିସିସ୍, ପ୍ରସୂତି, କର୍କଟ ଓ ଟ୍ରମା ଶଯ୍ୟାର ବ୍ୟବସ୍ଥା କରାଯାଉ। ବିଶେଷକରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ‌କରୋନା ସଂକ୍ରମିତ କର୍କଟ ରୋଗୀଙ୍କ କେମୋଥେରାପି ପାଇଁ ୨୫ଶଯ୍ୟା ଓ ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଏନ୍‌ଆଇସିୟୁ ପ୍ରତିଷ୍ଠା କରିବା ଲାଗି କୁହାଯାଇଛି। ଜିଲ୍ଲାସ୍ତରରେ ଥିବା ହସ୍ପିଟାଲରେ ସିଟି ସ୍କାନ୍ ଓ ଫୁସଫୁସ୍‌ର ଅଲଟ୍ରାସାଉଣ୍ଡର ବ୍ୟବସ୍ଥା ରହିବା ଦରକାର। ତେଣୁ ଏଥିପାଇଁ ଡାକ୍ତରମାନଙ୍କୁ ତାଲିମ ଦିଆଯିବ ଆବଶ୍ୟକ। କମ୍ ସଂକ୍ରମଣ ଥିବା ଜିଲ୍ଲାରୁ କର୍ମଚାରୀଙ୍କୁ ହଟାଇ ଅଧିକ ସଂକ୍ରମଣ ଜିଲ୍ଲାକୁ ପଠାଇବା ସହିତ ଆଇସିୟୁ ଓ କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଟିମ୍‌କୁ ନିୟମିତ ବ୍ୟବଧାନରେ ପ୍ରୋତ୍ସାହିତ କରାଯିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର