ପୁରୀ: ଆଡ଼ପପହଣ୍ଡି ବେଳେ ତାଳଧ୍ବଜ ରଥରେ ବଡ଼ଠାକୁରଙ୍କୁ ଯେଉଁଭଳି ପକାଇ ଦିଆଗଲା, ସାରା ବିଶ୍ବର ଅଗଣିତ ଭକ୍ତ ତାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଏବେ ବି ସେହି ହୃଦୟ ବିଦାରକ ଦୃଶ୍ୟ ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଏଭଳି ଅଘଟଣ ଓ ଚରମ ବିଶୃଙ୍ଖଳା ଘଟାଇଥିବା ସେବକଙ୍କ ବିରୋଧରେ ଭକ୍ତମହଲ ନିନ୍ଦା, ଅପବାଦ ଝାଡ଼ୁଥିବାବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଆସୁଛନ୍ତି। କିନ୍ତୁ ଏହି ଘଟଣାକୁ ମାସେ ବିତିଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଅସମ୍ଭବ ନିରବତା ଅବଲମ୍ବନ କରିଛି। ଶ୍ରୀମନ୍ଦିର ପ୍ରଶାସନ ଭୟ ନା ଚାପରେ ଏଭଳି ନିରବତା ଅବଲମ୍ବନ କରୁଛି, ସେ ନେଇ ପ୍ରଶ୍ନ ଉଠିଲାଣି।
ଏହି ସ୍ପର୍ଶକାତର ଘଟଣାରେ ପରିଚାଳନା କମିଟି ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଥିଲା। ଗତ ଜୁଲାଇ ୧୦ ତାରିଖରେ ବୈଠକ ଡାକି ସଂପୂର୍ଣ୍ଣ ଘଟଣାର ଯାଞ୍ଚ ପାଇଁ କମିଟି ଗଠନ କରିଥିଲା। ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଥିଲେ, ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ପୁଲିସ ପ୍ରଶାସନରୁ ଡିଏସ୍ପିସ୍ତରର ଜଣେ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଛି। ଏହି କମିଟି ନୀଳାଦ୍ରି ବିଜେ ପରଠୁ ୧୦ ଦିନ ଭିତରେ ତଦନ୍ତ କରି ପରିଚାଳନା କମିଟିକୁ ବିସ୍ତୃତ ରିପୋର୍ଟ ଦେବ। ଏହା ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପହଣ୍ଡି ବେଳର ଅଘଟଣର ଡ୍ରୋନ୍ ଭିଡିଓ ଚିତ୍ର ଓ ଅନ୍ୟାନ୍ୟ ଭିଡିଓ ଫୁଟେଜ୍ ଯାଞ୍ଚ ହେବ। କିନ୍ତୁ ନୀଳାଦ୍ରି ବିଜେ ଜୁଲାଇ ୧୯ ତାରିଖରୁ ଶେଷ ହେଲାଣି। ଜୁଲାଇ ୨୯ ତାରିଖ ସୁଦ୍ଧା କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେବା କଥା ଓ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା କଥା। ଇତିମଧ୍ୟରେ ନୀଳାଦ୍ରି ବିଜେ ଶେଷ ହେବାକୁ ୨୪ ଦିନ ବିତିଲାଣି, କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍।
ଏହି ପ୍ରସଙ୍ଗକୁ ନେଇ କିଛିଦିନ ତଳେ ଦଇତାପତି ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ଅସହଯୋଗର ଚେତାବନୀ ଦେଇଥିଲା। କାର୍ଯ୍ୟାନୁଷ୍ଠାନ ହେଲେ ଶ୍ରୀମନ୍ଦିର ନୀତିକାନ୍ତି ବନ୍ଦ କରିଦେବ ବୋଲି କହିଥିଲା। ଏହି ଭୟରେ ଶ୍ରୀମନ୍ଦିର ପ୍ରଶାସନର ସ୍ବର ନିରବି ଯାଇଛି। ଅପରପକ୍ଷେ ରାଜ୍ୟ ସରକାରଙ୍କ ଚାପ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିରବ ରହିଛି ବୋଲି ଅଭିଯୋଗ ଉଠିଛି।