ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ମାଡ଼ ଘଟଣା: ତଦନ୍ତ ଆଳରେ ଅଟକିଛି କାର୍ଯ୍ୟାନୁଷ୍ଠାନ

ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିନି ସିଂହଦ୍ବାର ପୁଲିସ

ପୁରୀ: ମହାପଞ୍ଚୁକରେ ଶ୍ରୀମନ୍ଦିର ହବିଷ୍ୟାଳୀଙ୍କୁ ପୁଲିସ ମାଡ଼ ମାରି ମୁଣ୍ଡ ଫଟାଇଲା। ଜେଟିପି ଜଣେ ମହିଳା ଭକ୍ତଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ମାନସିକ ନିର୍ଯାତନା ଦେଲେ। ଏହି ଘଟଣାକୁ ଦୁଇଦିନ ବିତିଲାଣି। କିନ୍ତୁ ଆଜି ସୁଦ୍ଧା ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ତଦନ୍ତ ଆଳରେ ସମୟ ଗଡ଼ାଇ ଚାଲିଛି ପୁଲିସ। ଏଭଳି ସ୍ଥିତିରେ ଭକ୍ତ ବି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେଣି।

ଗତକାଲି ସକାଳେ ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରୀମନ୍ଦିର ଭିତରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ଆସିଥିବା ହବିଷ୍ୟାଳୀ ମାଧୁରୀ ଦାସଙ୍କୁ ଓଏସ୍‌ଏପିର ହାବିଲଦାର ମହାପ୍ରଭୁଙ୍କ ସମ୍ମୁଖରେ ମାଡ଼ ମାରିଥିଲେ। ଗୁଆ ଖୋଳପାରେ ପିଟି ପିଟି ମୁଣ୍ଡ ଫଟାଇ ଦେଇଥିଲେ। ରକ୍ତସ୍ରାବ ହେବାରୁ ମାଧୁରୀଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏସ୍‌ପି ସଂପୃକ୍ତ ହାବିଲଦାରଙ୍କୁ ନିଲମ୍ବନ କରିଛନ୍ତି ସତ, କିନ୍ତୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। କେବଳ ‌ଏତିକିରେ ସୀମିତ ନଥିଲା ପୁଲିସର କ୍ରୁର ବ୍ୟବହାର। ଏହି ଘଟଣା ପରେ ପରେ ଦର୍ଶନ ପାଇଁ ଆସିଥିବା ଜଣେ ମହିଳାଙ୍କୁ ଜେଟିପି ଅଶାଳୀନ ବ୍ୟବହାର କରିଥିଲେ। ମହିଳାଙ୍କ ଝିଅ ସମ୍ମୁଖରେ ଆକ୍ଷେପ କରି କହିଥିଲେ ‘ତୁମକୁ ଏଇଥି ପାଇଁ ମହାପ୍ରଭୁ ବିଧବା କରିଦେଲେ’। ଅଳ୍ପ କିଛିଦିନ ତଳେ ସ୍ବାମୀଙ୍କୁ ହରାଇ କଷ୍ଟରେ ଥିବା ମହିଳାଙ୍କୁ ଏଭଳି ଆକ୍ଷେପ ପରେ ସାଙ୍ଗରେ ଥିବା ଝିଅ ମା’କୁ ନେଇ ଚାଲି ଆସିଥିଲେ। ପରେ ସେ ଏ ସମ୍ପର୍କରେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ନିବେଦନ କରିଥିଲେ। ଏହି ଘଟଣାରେ ବି କାର୍ଯ୍ୟାନୁଷ୍ଠାନ ଶିଥିଳ ପଡ଼ିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି କାର୍ତ୍ତିକ ମାସ ଆରମ୍ଭରୁ ହବିଷ୍ୟାଳୀଙ୍କ ପ୍ରତି ଦୁର୍ବ୍ୟବହାର ବି‌ରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରାଯାଇଥାନ୍ତା, ଏଭଳି ହୋଇନଥାନ୍ତା ବୋଲି ମତପୋଷଣ କରିଛନ୍ତି। କାରଣ ପୂର୍ବରୁ ଜଣେ ସେବାୟତ ଦର୍ଶନ ବେଳେ ହବିଷ୍ୟାଳୀଙ୍କୁ ମାଡ଼ ମାରିବା ସହ ତଳେ ପକାଇ ତଣ୍ଟିରେ ଛିଡ଼ା ହୋଇ ଯାଇଥିଲେ। ଏହି ଘଟଣାରେ ନା ଶ୍ରୀମନ୍ଦିର ପ୍ରଶାସନ ନା ଜିଲ୍ଲା ପୁଲିସ, କେହି ବି କିଛି କହିଲେନି। ଫଳସ୍ବରୂପ ଶ୍ରୀମନ୍ଦିରରେ ଭକ୍ତଙ୍କ ରକ୍ତ ଝରିଲା ବୋଲି ଅଭିଯୋଗ କରିଛନ୍ତି।

ହବିଷ୍ୟାଳୀଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇବା ଘଟଣାର ତଦନ୍ତକାରୀ ଅଧିକାରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପଣ୍ଡା କହିଛନ୍ତି, ଏହି ଘଟଣାର ତଦନ୍ତ ଚାଲିଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ ଚାଲିଛି। ସବିଶେଷ ତଦନ୍ତ ଶେଷ ପରେ ଏହାର ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ମହିଳା ଭକ୍ତଙ୍କୁ ଜେଟିପିଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭିଏସ୍‌ ଚନ୍ଦ୍ରଶେଖର ରାଓ କହିଛନ୍ତି, ସିଂହଦ୍ବାର ଥାନାରେ ଏ ସମ୍ପର୍କରେ ମାମଲା ରୁଜୁ ହୋଇଛି ସତ, କିନ୍ତୁ ପୁଲିସ ପକ୍ଷରୁ ଏସମ୍ପର୍କରେ ଆମକୁ କିଛି ଅବଗତ କରାଯାଇନି କି ତଦନ୍ତ କରାଯାଇନି। ପୁଲିସ ଆମକୁ ତଦନ୍ତ ସମ୍ପର୍କିତ ଚିଠି ପରେ ଆମେ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ଶ୍ରୀ ରାଓ କହିଛନ୍ତି।

ସମ୍ବନ୍ଧିତ ଖବର