ରାଇଘର: ପ୍ରେମିକାକୁ ହତ୍ୟା କରି ୩୧ଖଣ୍ଡ କରିବା ଘଟଣାରେ ରାଇଘର ପୁଲିସ ଅଭିଯୁକ୍ତ ଚନ୍ଦ୍ର ରାଉତ ଏବଂ ପତ୍ନୀ ସିଆ ରାଉତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କିନ୍ତୁ ଏହି ନୃଶଂସ ଘଟଣା ଅଭିଯୁକ୍ତର ପରିବାରକୁ ଛାରଖାର କରିଦେଇଛି। ବାପା କରିଥିବା ଭୁଲର ପରିଣାମ ଏବେ ୫ଶିଶୁ ଭୋଗୁଛନ୍ତି। ମା ସହ ଦୁଇ ବର୍ଷର ପୁଅ ବିଚାର ବିଭାଗୀୟ ହାଜତକୁ ଯାଇଛି। ସେହିପରି ବାପା-ମା ବିଚାର ବିଭାଗୀୟ ହାଜତକୁ ଯିବା ପରେ ୩ଝିଅ ଏବଂ ଗୋଟିଏ ପୁଅ ଅସହାୟ ହୋଇପଡ଼ିଛନ୍ତି।
ଅଭିଯୁକ୍ତ ଚନ୍ଦ୍ର ଟ୍ରାକ୍ଟର ଚଲାଇବା ସହ ଚାଷ କରି ଯାହା ରୋଜଗାର କରୁଥିଲା ସେଥିରେ ୭ଜଣିଆ ପରିବାର ଚଳୁଥିଲା। ତିଲାବାଈ ସହ ପ୍ରେମ ସଂପର୍କ ପରେ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା। କିନ୍ତୁ ପତ୍ନୀଙ୍କୁ ପ୍ରତ୍ୟେକ ଥର ବୁଝାସୁଝା କରି କଥା ବଢ଼ିବାକୁ ଦେଉନଥିଲା। କିନ୍ତୁ ତିଲାବାଈ ବୁଧବାର ରାତିରେ ଚନ୍ଦ୍ର ଘରେ ପହଞ୍ଚିବା ପରେ ବିସ୍ଫୋରକ ରୂପ ନେଇଥିଲା। ପତ୍ନୀଙ୍କୁ ଛାଡ଼ିବା ସମ୍ଭବ ହୋଇନଥିବା ବେଳେ ତିଲାବାଈଙ୍କୁ ସ୍ବୀକାର କରିବାକୁ ଚନ୍ଦ୍ର ପ୍ରସ୍ତୁତ ନଥିଲା ଚନ୍ଦ୍ର। ତିଲାବାଈଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଚନ୍ଦ୍ର। ବିଳମ୍ବିତ ରାତିରେ ନିକଟସ୍ଥ ଜଙ୍ଗଲକୁ ନେଇ ହତ୍ୟା କରିବା ପରେ ଦଂପତି ଶବକୁ ଖଣ୍ଡ ଖଣ୍ଡ କରି ପୋତି ଦେଇଥିଲେ।
ବର୍ବରତାର ସବୁ ସୀମା ଲଂଘିବା ସତ୍ତ୍ବେ ବୁଧବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ସ୍ବାଭାବିକ ଜୀବନ ବିତାଇଥିଲେ ଚନ୍ଦ୍ର ଏବଂ ସିଆ। ସନ୍ଦେହର କୌଣସି ଅବକାଶ ଛାଡ଼ି ନଥିବା ବେଳେ ହତ୍ୟାର ପ୍ରମାଣ ଯଥାସମ୍ଭବ ନଷ୍ଟ କିମ୍ବା ଲୁଚାଇବାକୁ ଚେଷ୍ଟା କରିଥିଲେ। ଯଦି ରକ୍ତଦାଗ ମିଳିନଥାନ୍ତା ତେବେ ତିଲାବାଈଙ୍କ ସନ୍ଧାନ ହୁଏତ ଆଦୌ ମିଳିନଥାନ୍ତା। ତିଲାବାଈଙ୍କ ଶବ ମିଳିବା ପରେ ଦୁଇ ଦିନ ହେଲା ବାଘବେଡ଼ା ଗାଁରେ ଉତ୍ତେଜନା ଲାଗି ରହିଛି। ଆଜି ତିଲାବାଈର ପରିବାର ଓ ବାଘବେଡ଼ା ଗ୍ରାମବାସୀ ଥାନାରେ ପହଞ୍ଚି ଅଭିଯୁକ୍ତକୁ ଫାଶୀ ଦିଆଯାଉ ବୋଲି ହୋହଲ୍ଲା କରିଥିଲେ। ସେହିପରି ଗତକାଲି ବିଳମ୍ବିତ ରାତିରେ ଶବ ହସ୍ତାନ୍ତର ପରେ ଅଭିଯୁକ୍ତ ଘର ସମ୍ମୁଖରେ ହିଁ ବାଘବେଡ଼ା ଗ୍ରାମବାସୀ ଶେଷକୃତ୍ୟ କରିଛନ୍ତି। ଅନ୍ୟପଟେ ମୁରୁମଡ଼ିହି ଗ୍ରାମବାସୀଙ୍କୁ ଏହି ଘଟଣା ସ୍ତବ୍ଧ କରିଦେଇଛି। ହତ୍ୟା ମାମଲାରେ ଚନ୍ଦ୍ର ଏବଂ ସିଆ ବିଚାର ବିଭାଗୀୟ ହାଜତକୁ ଯିବା ପରେ ଆଜି ସଂଧ୍ୟା ପର୍ଯ୍ୟନ୍ତ ୪ଜଣ ସନ୍ତାନ ଘରେ ଅସହାୟ ଅବସ୍ଥାରେ ରହିଥିଲେ। ରାତିରେ ସିଆଙ୍କ ପରିବାର ଲୋକ ପହଞ୍ଚି ନିରୀହ ଶିଶୁଙ୍କୁ ନିଜ ସହ ନେଇ ଯାଇଥିବା ସୂଚନା ମିଳିଛି। ଚନ୍ଦ୍ରର ବଡ଼ ଦୁଇ ଝିଅ ପଞ୍ଚମ ଏବଂ ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡ଼ିଛି। ବାପା, ମା’ଙ୍କ ଅନୁପସ୍ଥିତିରେ ଏମାନଙ୍କ ଯତ୍ନ କିଏ ନେବ ବୋଲି ପ୍ରଶ୍ନ ଉଠିଛି।