ରା.ଉଦୟଗିରି: ନୂଆରେ ଚାକିରିରେ ଯୋଗ ଦେଇଥିଲେ। ରାତିରେ ପାଣି ମାଗିବାରୁ ପିଅନ ପରିସ୍ରା ଆଣି ଦେଲେ। ଏଭଳି ଅଭିଯୋଗ ଆଣିଛନ୍ତି ଗଜପତିଜିଲ୍ଲା ରା.ଉଦୟଗିରି ଗ୍ରାମ୍ୟଜଳ ଓ ପରିମଳ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଯନ୍ତ୍ରୀ ସଚିନ କୁମାର ଗୌଡ଼। ନୂଆ ଚାକିରି ପାଇ ସେ ଗତ ୧୮ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଗତ ୨୩ ତାରିଖ ରାତି‌ରେ ଖାଇ ସାରିବା କାର୍ଯ୍ୟାଳୟର ପିଅନ ଶିବାଙ୍କୁ ପାଣି ଆଣିବାକୁ କହିଥିଲେ। ଏସ୍‌ଡିଓଙ୍କ କ୍ୱାର୍ଟର୍ସରୁ ଏକ ଫ୍ଲାସ୍‌ରେ ପାଣି ଆଣି ଦେଇଥିଲେ ଶିବା।     ସେଥିରୁ ଟିକିଏ ପିଇବା ପରେ ସନ୍ଦେହ ହେବାରୁ ସେହି ପାଣିକୁ ଏକ ସ୍ୱଚ୍ଛ ବୋତଲରେ ଢାଳିଥିଲେ। ପରିସ୍ରା ଭଳି ଦେଖାଯିବାରୁ ଅନ୍ୟ ଦୁଇଜଣ ସହକର୍ମୀଙ୍କୁ ଶୁଙ୍ଘିବାକୁ କହିଥିଲେ। ସେମାନେ ମଧ୍ୟ ସେହି ଏକା ସନ୍ଦେହ ପ୍ରକାଶ କରିଥିଲେ। ଉପଖଣ୍ଡ ଜଳ ଓ ପରିମଳ କାର୍ଯ୍ୟାଳୟରେ ଲ୍ୟାବ୍‌ ଆସିଷ୍ଟାଣ୍ଟଙ୍କ ଦ୍ୱାରା ପରୀକ୍ଷା କରାଇଥିଲେ। ରିପୋର୍ଟରେ ଆମୋନିଆ ମାତ୍ରା ଅଧିକ ଥିଲା, ଯାହା ପରିସ୍ରାରେ ରହୁଥିବା ଆମୋନିଆ ମାତ୍ରା ସହ ସମାନ। ପାଣିର ଲ୍ୟାବ୍‌ ପରୀକ୍ଷା ରିପୋର୍ଟ ଆସିବା ପରେ ସେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ସହ ଏଭଳି କିଏ କାହିଁକି କରିବ ବୋଲି ବିସ୍ମିତ ହୋଇଥିଲେ।

Advertisment

ଏ ସମ୍ପର୍କରେ ଭୁବନେଶ୍ୱର ମୁଖ୍ୟଯନ୍ତ୍ରୀ (ଜଳ ଓ ପରିମଳ), ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ (ସର୍କଲ ଅଫିସ, ବ୍ରହ୍ମପୁର), ନିର୍ବାହୀ ଯନ୍ତ୍ରୀ (ଡିଭିଜନ ଅଫିସ, ପାରଳାଖେମୁଣ୍ଡି)ଙ୍କୁ ଲିଖିତ ଅଭିଯୋଗ କରିବା ସହ ପ୍ରକୃତ ତଥ୍ୟ ଉନ୍ମୋଚନ ଓ ନ୍ୟାୟ ପାଇଁ କନିଷ୍ଠ ଯନ୍ତ୍ରୀ ନିବେଦନ କରିଥିଲେ। ଡିଭିଜନ୍‌ ଅଫିସ୍‌କୁ ସେହି ପାଣିର ନମୁନା ସହ ପରୀକ୍ଷା ରିପୋର୍ଟ ମଧ୍ୟ ପଠାଇଥିଲେ। ତେବେ ଉଚ୍ଚ ଅଧିକାରୀଙ୍କ ଠାରୁ ସହଯୋଗ ନପାଇ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ଗତକାଲି ଜାତୀୟ ମାନବାଧିକାର କମିସନ ଓ ରା.ଉଦୟଗିରି ଥାନାରେ ଅନ୍‌ଲାଇନରେ ଅଭିଯୋଗ ଦାଖଲ କରିଥିଲେ। ଆଜି ରା.ଉଦୟଗିରି ପୁଲିସ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏସ୍‌ଡିଓଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଡାକି ପଚରାଉଚରା କରିଛନ୍ତି। ଏନେଇ ଅନୌପଚାରିକ ଭାବେ ଏସ୍‌ଡିଓ ସରୋଜ କୁମାର ପାଢ଼ୀଙ୍କ ସହ କଥାବାର୍ତ୍ତା ହେବା ବେଳେ ତାଙ୍କ କ୍ୱାର୍ଟର୍ସରୁ ପାଣି ଯାଇଥିବା ସ୍ୱୀକାର କରିଥିଲେ ମଧ୍ୟ କିଏ ଦୋଷୀ ସେ ପ୍ରଶ୍ନରେ ନିରୁତ୍ତର ରହିଥିଲେ। ଜାତୀୟ ମାନବାଧିକାର କମିସନ ଓ ପୁଲିସ ପକ୍ଷରୁ ନ୍ୟାୟ ମିଳିବ ବୋଲି ଅଭିଯୋଗକାରୀ କନିଷ୍ଠଯନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।