ଡାକ୍ତରଙ୍କୁ ଚପଲ ମାଡ଼ ଘଟଣା, ବେଲ୍ ପାଇଲେ ବ୍ୟବସାୟୀ 

ସମ୍ବଲପୁର: ଡାକ୍ତର ଆସିବାରେ ଟିକେ ବିଳମ୍ବ କରିଦେଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟବସାୟୀ ତାଙ୍କୁ ଚପଲରେ ପିଟିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିବା ବେଳେ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏ ନେଇ ଡାକ୍ତର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ବୁଧବାର ଆଇଏମ୍‌ଏ ସମ୍ବଲପୁର ଶାଖା ପକ୍ଷରୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟପଟେ ବୁଧବାର ହିଁ ବ୍ୟବସାୟୀ ନଟବର ବାଙ୍କାଙ୍କୁ ଜାମିନ ମିଳିଯାଇଛି।

ସୂଚନାଯୋଗ୍ୟ, ସମ୍ବଲପୁରର ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ସିଟି ସ୍କାନ କରିବା ପାଇଁ ମଙ୍ଗଳବାର ସକାଳେ ସନ୍‌ ଡାଇଗ୍ନୋଷ୍ଟିକ୍‌କୁ ଯାଇଥିଲେ। ସିଟି ସ୍କାନ୍‌ ବେଳେ ବିଳମ୍ବ ହେବାରୁ ଉତ୍ତ୍ୟକ୍ତ ହୋଇ ନଟବର ତାଙ୍କ ଚପଲ ଆଣି କାର୍ଯ୍ୟରତ ଡାକ୍ତର ଚିଦାନନ୍ଦ ମିଶ୍ରଙ୍କୁ ପିଟି ଚାଲିଲେ। ତାଙ୍କୁ ବଞ୍ଚାଇବାକୁ ଆସିଥିବା ଟେକ୍‌ନିସିଆନ୍‌ ଯୁବତୀଙ୍କୁ ମଧ୍ୟ ସେ ଚପଲ ଉଠେଇଥିଲେ। ଯାହାର ସିସିଟିଭି ଭିଡିଓ ଭାଇରାଲ୍‌ ହୋଇଥିଲା। ଏ ନେଇ ମଙ୍ଗଳବାର ଡାକ୍ତର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ଅଭିଯୁକ୍ତ ନଟବରଙ୍କୁ ପୁଲିସ ଗିରଫ କରିଥିବା ବେଳେ ବୁଧବାର ଦିନ କୋର୍ଟଚାଲାଣ କରିଥିଲା। ତେବେ କୋର୍ଟରେ ତାଙ୍କୁ ଜାମିନ୍‌ ମିଳିଯାଇଥିଲା।

ଅନ୍ୟପଟେ ବୁଧବାର ଆଇଏମ୍‌ଏ ସମ୍ବଲପୁର ଶାଖା ପକ୍ଷରୁ ଡାକ୍ତରଙ୍କୁ ମାଡ଼ ଘଟଣାର ତୀବ୍ର ସମାଲୋଚନା କରାଯାଇଥିଲା। ଏହା ସହିତ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଧବାର ଆଇଏମ୍‌ଏ ପକ୍ଷରୁ ସମ୍ବଲପୁର ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଇଏମ୍‌ଏ ସମ୍ବଲପୁର ଶାଖା ସଭାପତି ଡା. ବିନୋଦ ବିହାରୀ ନାଏକ, ସମ୍ପାଦକ ଡା. ଦିପକ କୁମାର ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ସଂଜୀବ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର