ସୋନପୁର: ହକି କପ୍‌କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁରକୁ ହକିପୁର କରିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସଚେତନ ନାଗରିକ। ଏହାର ପ୍ରତିବାଦରେ ଆଜି ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧିଙ୍କ ଦୂରଦୃଷ୍ଟିର ଅଭାବ ଏବଂ ଅବହେଳା ପାଇଁ ସୁବର୍ଣ୍ଣପୁର ଧିରେ ଧିରେ ଶୂନ୍ୟପୁର ହେବାକୁ ବସିଛି। ସୁବର୍ଣ୍ଣପୁର ଜିଲ୍ଲା ଆଜି ଶ୍ରୀହୀନ ହୋଇପଡ଼ିଛି। ଶିକ୍ଷିତ ଯୁବକମାନେ ରୋଜଗାର ନପାଇ ଦାଦନ ଖଟୁଛନ୍ତି। ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ରୋଜଗାର ପାଇଁ କୌଣସି ଯୋଜନା ନାହିଁ। ଶିଳ୍ପବିହୀନ ଜିଲ୍ଲାର ଏକମାତ୍ର ଶିଳ୍ପ ପ୍ରତିଷ୍ଠାନ ସ୍ପିନିଂ ମିଲ୍ ପ୍ରାୟତଃ ବନ୍ଦ ହୋଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଶିକ୍ଷକ ନାହାନ୍ତି।

Advertisment

ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନାହାନ୍ତି। ଧାନ କିଣାରେ ଚାଷୀମାନଙ୍କଠାରୁ କଟ୍‌ନୀ ଛଟ୍‌ନୀ କରାଯାଉଛି। ରିଂ ରୋଡ଼ କାର୍ଯ୍ୟ ସରିନାହିଁ। ପୁରାତନ ସୋନପୁର କଲେଜକୁ ସ୍ବୟଂଶାସିତ ମାନ୍ୟତା ମିଳିନାହିଁ। କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁଥିରେ ଜିଲ୍ଲା ପଛରେ ପଡ଼ିଛି। ଏପରିସ୍ଥଳରେ ସୁବର୍ଣ୍ଣପୁର ହେଲା ହକିପୁର କହି ପ୍ରଶାସନ ବାହାବା ନେବା ପରିତାପର ବିଷୟ ବୋଲି ସଚେତନ ନାଗରିକ ଦାବିପତ୍ରରେ ଦର୍ଶାଇଛନ୍ତି। ଏଣୁ ସୁବର୍ଣ୍ଣପୁରକୁ ଶିଳ୍ପପୁର କରାଯାଇ ପ୍ରକୃତ ସୁବର୍ଣ୍ଣପୁର କରାଯିବାକୁ ଦାବି କରାଯାଇଛି। ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ବରେ ଶ୍ରଦ୍ଧାଞ୍ଜଳି ମିଶ୍ର, କେଶବ ସାହୁ, ସଚରେଶ ପଧାନ, ପ୍ରଶାନ୍ତ ନାଏକ, ତରଣୀ ବେହେରା, ନେତ୍ରାନନ୍ଦ ବେହେରା, ମାନସ ରଞ୍ଜନ ମିଶ୍ର, ସୁରେଶ ପାତ୍ର, ରମାକାନ୍ତ ନାଏକ, ମେଘ ହାତୀ, ବନମାଳୀ ପଧାନ, ଦିଲ୍ଲୀପ କୁଅଁର, ହାଡୁ ମହଲା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।