ମା’ଝିଅ ମହାନଦୀକୁ ଡେଇଁବା ଘଟଣା: ୨୪ ଘଣ୍ଟା ପରେ ବି ମିଳିନି ପତ୍ତା

ବୋଟ୍‌ ସଜାଡ଼ୁ ସଜାଡ଼ୁ ଅଧା ଦିନ ବିତିଗଲା

ସମ୍ବଲପୁର: ସମ୍ବଲପୁର-ଚାଉଁରପୁର ମହାନଦୀ ବ୍ରିଜ୍‌ରେ ସ୍କୁଟି ଥୋଇ ସମ୍ବଲପୁର ଜିଲ୍ଲା ଧମା ଥାନା ଧମାର ପୂଜା ଅଗ୍ରୱାଲ(୨୯) ନିଜ ଝିଅ ସୁମି(୩)କୁ ଧରି ମହାନଦୀକୁ ଡେଇଁ ପଡ଼ିବା ଘଟଣାକୁ ଇତିମଧ୍ୟରେ ୨୪ ଘଣ୍ଟା ବିତିଗଲାଣି। କିନ୍ତୁ ଖବର ଲେଖାହେବା ଯାଏ ନିଖୋଜ ମା-ଝିଅଙ୍କ କୌଣସି ପତ୍ତା ମିଳିପାରିନାହିଁ। ମଙ୍ଗଳବାର ସକାଳୁ ସମ୍ବଲପୁର ଅଗ୍ନିଶମ ବିଭାଗ ଓ ଝାରସୁଗୁଡ଼ାରୁ ଆସିଥିବା ଓଡ୍ରାଫ୍‌ ଟିମ୍‌ ‌ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ‌ହୋଇଥିଲେ। ମାତ୍ର ଠିକଣା ସମୟରେ ଓଡ୍ରାଫ୍‌ ଟିମ୍‌ର ବୋଟ୍‌ଟି ଷ୍ଟାର୍ଟ ହୋଇନଥିଲା। ଫଳରେ ବୋଟ୍‌ ସଜାଡ଼ୁ ସଜାଡ଼ୁ ଅଧା ଦିନ ବିତି ଯାଇଥିଲା। ଦିନ ପ୍ରାୟ ଦେଢ଼ଟା ବେଳକୁ ବୋଟ୍‌ ଷ୍ଟାର୍ଟ ହେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ହୀରାକୁଦର ୮ଟି ଗେଟ୍‌ ଖୋଲାଥିବାରୁ ନଦୀରେ ଏବେ ପାଣିର ସୁଅ ମଧ୍ୟ ଅଧିକ ରହିଛି। ଫଳରେ ଉଦ୍ଧାର କାର୍ଯ୍ୟ ବି ବେଶ୍‌ ବାଧାପ୍ରାପ୍ତ ହୋଇଥିଲା। ପାଣିର ସୁଅରେ କାଳେ ଉଭୟ ଦୂରକୁ ଭାସି ଯାଇଥିବେ, ମହାନଦୀ ତଳ ମୁଣ୍ଡରେ ଥିବା ୬ଟି ଜିଲ୍ଲାର ପୁଲିସ୍‌କୁ ମଧ୍ୟ ଏ ନେଇ ଅବଗତ କରିଦିଆଯାଇଥିବା ଟାଉନ୍‌ ପୁଲିସ୍‌ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂହ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲେ।

ଅପରପକ୍ଷେ, ପୂଜା ଓ ସୁମିଙ୍କ ନିଖୋଜ ହେବାର ୨୪ ଘଣ୍ଟା ବିତି ଯାଇଥିବା ସତ୍ତ୍ବେ ମଧ୍ୟ କେଉଁ ଘଟଣା ପାଇଁ ପୂଜା ଏଭଳି ଚରମ ପଦକ୍ଷେପ ଉଠାଇଲେ ‌ତାହା ଉପରୁ ପରଦା ହଟି ପାରିନାହିଁ। ପରିବାର ‌ଲୋକେ ମଧ୍ୟ ଘଟଣା ସମ୍ପର୍କରେ ମୁହଁ ଖୋଲିବାକୁ ରାଜି ହେଉନାହାନ୍ତି। ଫଳରେ ପୂଜାଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି। ସେପଟେ ବୈବାହିକ ଜୀବନକୁ ନେଇ ପୂଜା ଦୀର୍ଘଦିନ ହେବ ବିଷାଦଗ୍ରସ୍ତ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଟାଉନ୍‌ ପୁଲିସ୍‌ ଏକ ନିଖୋଜ ମାମଲା ରୁଜୁ କରିଥିବା ସମୟରେ ଶବ ଉଦ୍ଧାର ପରେ ଯାଇ ଘଟଣା ସମ୍ପର୍କରେ କୌଣସି ସୂଚନା ମିଳିପାରିବ ବୋଲି କହିଛି।

ଉଲ୍ଲେଖଯୋଗ୍ୟ ‌ଯେ ଧମା ନିବାସୀ ସରୋଜ ଅଗ୍ରୱାଲଙ୍କ ଝିଅ ପୂଜା କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ଶକ୍ତି ଏଣ୍ଟରପ୍ରାଇଜେସ୍‌ ମାଲିକ ବରୁଣ ଅଗ୍ରୱାଲଙ୍କୁ ୪ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ୩ ବର୍ଷର ଶିଶୁକନ୍ୟା ମଧ୍ୟ ରହିଛି। ୫ ଦିନ ହେବ ପୂଜା ବାପ ଘରକୁ ବୁଲିବାକୁ ଆସିଥିଲେ। ସୋମବାର ଦିନ ୧୨ଟା ସମୟରେ ଝିଅକୁ ବୁଲେଇବାକୁ ନେଉଛି କହି ପୂଜା ଘରୁ ବାହାରିଥିଲେ। ଏହାପରେ ସେ ଆଉ ଘର ଲୋକଙ୍କ ସହ ଯୋଗାଯୋଗ ବି କରିନଥିଲେ। ‌ ଦିନ ପ୍ରାୟ ୩ଟା ପରଠାରୁ ପୂଜା ନେଇ ଆସିଥିବା ଚାବି ଲଗା ସ୍କୁଟି ପ୍ଲେଜର(ଓଡି ୧୫ କ୍ୟୁ ୩୫୫୬), ହଳେ ଚପଲ ଓ ଗୋଟିଏ ମୋବାଇଲ ବ୍ରିଜ ଉପରେ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ପରେ ଗାଡ଼ି ଥୋଇ ପୂଜା ଝିଅକୁ ଧରି ପାଣିକୁ ଡେଇଁ ପଡ଼ିଥିଲେ।

ସମ୍ବନ୍ଧିତ ଖବର