ପୁରୀ: ଆଡ଼ପ ପହଣ୍ଡି ବେଳେ ରଥ ଉପରେ ବଡ଼ଠାକୁରଙ୍କୁ ଯେଉଁଭଳି ପକାଇ ଦିଆଗଲା, ତାହା ବିଶ୍ବର ଅଗଣିତ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଗଭୀର ଆଘାତ ଦେଇଛି। ଶତାଧିକ ସେବକ ରଥ ଉପରେ ଚଢ଼ି ଯେଉଁଭଳି ବିଶୃଙ୍ଖଳା କଲେ, ଠାକୁରଙ୍କ ସହ ଫଟୋ, ସେଲ୍‌ଫି ପାଇଁ ଯେଉଁଭଳି ପହଣ୍ଡି ଡୋରିକୁ ଛାଡ଼ି ଦିଆଗଲା, ତାହା ବେଖିଆଲ, ବିଶୃଙ୍ଖଳିତ ଆଚରଣର ଶୀର୍ଷ ଛୁଇଁଛି ବୋଲି ଅଭିଯୋଗ ହେଉଛି। ଗଜପତି ମହାରାଜା, ଅଗଣିତ ଭକ୍ତ, ସେବାୟତ ସମାଜ ପ୍ରମୁଖ ଏହି ମହାବିଭ୍ରାଟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ୩ ଜଣିଆ କମିଟି ଗଠନ କରିଛି। କିନ୍ତୁ ବ୍ରହ୍ମବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବା ଭଳି ଅନେକ ଘଟଣାର ନ୍ୟାୟିକ ତଦନ୍ତ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, ସବୁ କେବଳ ଭକ୍ତଙ୍କୁ ଭାଣ୍ଡିଆ କରିଥିବା ପରିପ୍ରେକ୍ଷୀରେ ଏହି ରିପୋର୍ଟକୁ କେହି ଭରସା କରିପାରୁନାହାନ୍ତି। ସେ ସମୟର ତଦନ୍ତ ରିପୋର୍ଟ ଏଯାଏ ସାର୍ବଜନୀନ ହୋଇନି କି ଦୋଷୀ ଦଣ୍ଡ ପାଇନାହାନ୍ତି। ଏଭଳି ପରିସ୍ଥିତିରେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଗତକାଲି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗକୁ ତଦନ୍ତ ପରିସର ବଢ଼ିବ। ତେବେ ଏହାର ସ୍ବରୂପ କଣ ହେବ, ସେ ନେଇ ମନ୍ତ୍ରୀ କିଛି ସୂଚନା ଦେଇନାହାନ୍ତି।

Advertisment

୨୦୧୫ ମସିହା ଜୁନ ୧୫ ଓ ୧୬ ତାରିଖ ଯେଉଁ ଭଳି ବ୍ରହ୍ମବିଭ୍ରାଟ କରାଗଲା, ତାହା ସାରା ବିଶ୍ବ ଦେଖିଲା। ବ୍ରହ୍ମ ପରିବର୍ତ୍ତନ ସମୟରେ ଚରମ ବିଶୃଙ୍ଖଳା ବିଶ୍ୱର କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଚହଲାଇ ଦେଇଥିଲା। ପରମ୍ପରାକୁ ଭାଙ୍ଗି ରାତି ବଦଳରେ ଦିନରେ ହେଲା ବ୍ରହ୍ମ ସଂସ୍ଥାପନ। ଏହାକୁ ଯେଉଁମାନେ ଦେଖିବା କଥା ନୁହେଁ, ସେମାନେ ଦେଖିଲେ। ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ ଭକ୍ତ। ନାରାବାଜି, ବିକ୍ଷୋଭ ପରେ ଶେଷରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ନେତୃତ୍ବରେ ଏକ କମିଟି ଏହାର ତଦନ୍ତ କଲେ। କିନ୍ତୁ, ଏହି ତଦନ୍ତ ରିପୋର୍ଟକୁ ଚାପି ଦିଆଗଲା। ବ୍ରହ୍ମବିଭ୍ରାଟ ଭଳି ଗୋପନୀୟ ପ୍ରସଙ୍ଗ ବାହାରେ ପ୍ରକାଶ ଯୋଗ୍ୟ ନୁହେଁ କହି ଏହି ସ୍ପର୍ଶକାତର ଘଟଣାରେ ପରଦା ଢାଙ୍କି ଦିଆଗଲା। ଏହି ଘଟଣାରେ ବି ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନି।

୨୦୧୮ ମସିହା ଏପ୍ରିଲ ମାସରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠିଥିଲା। ରତ୍ନଭଣ୍ଡାର ଖୋଲିବାକୁ ଯାଇଥିବା ୧୭ଜଣିଆ ଦଳ ଚାବି ହଜିଯାଇଥିବା କହି ରତ୍ନଭଣ୍ଡାର ନ ଖୋଲି ଫେରି ଆସିଥିଲେ। ଏହାପରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଅଗଣିତ ଭକ୍ତ ସ୍ବର ଉଠାଇବା ଓ ରାଜ୍ୟ ରାଜନୀତିରେ ଏହାକୁ ନେଇ ଚହଳ ପଡ଼ିବା ପରେ ଜଷ୍ଟିସ୍‌ ରଘୁବୀର ଦାସ କମିସନ ଗଠନ କରାଯାଇ ତଦନ୍ତ କରାଗଲା। କମିସନ ରିପୋର୍ଟ ବି ଦେଲେ। ଏହି ତଦନ୍ତ ପାଇଁ ରାଜ୍ୟ ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ଖର୍ଚ୍ଚ କରାଗଲା। କିନ୍ତୁ ଅଦ୍ୟାବଧି କମିସନଙ୍କ ରିପୋର୍ଟ ସାର୍ବଜନୀନ ହେଲାନି। ଫଳରେ ଚାବି ହଜିବା ପ୍ରସଙ୍ଗରେ କିଏ ଦୋଷୀ ତାହା ଭକ୍ତ ଜାଣି ପାରିଲେନି। କେବଳ ଏହି ଦୁଇ ଘଟଣା ନୁହେଁ, ଏଭଳି ଅନେକ ସମ୍ବେଦନଶୀଳ ଘଟଣାକୁ ତଦନ୍ତ ଆଳରେ ଚାପି ଦିଆଯାଇଛି। ସରକାର କାହା ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ବାରମ୍ବାର ସେବକମାନେ ଏଭଳି ବିଶୃଙ୍ଖଳିତ ଆଚରଣ ଦେଖାଇ ଆସୁଛନ୍ତି। ଆଡ଼ପପହଣ୍ଡି ବେଳେ ଯେଉଁଭଳି ଏମାନେ ବଡ଼ଠାକୁରଙ୍କ ପକାଇଦେଲେ, ତାହା ଚରମ ବିଶୃଙ୍ଖଳା, ଅଂହକାର, ଆତ୍ମବଡ଼ିମାର ପରିଣତି। ଅବହେଳା କରିଥିବା ସେବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜଣେ ହାଇକୋର୍ଟ ଅବା ଜିଲ୍ଲା ଜଜ୍‌ଙ୍କ ଜରିଆରେ ବିଚାର ବିଭାଗୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।