ପୁରୀ: ଜୁଲାଇ ୯ ତାରିଖରେ ଆଡ଼ପପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ରଥରେ ପକାଇଦେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବଡ଼ଠାକୁରଙ୍କ ବାଡ଼ଗ୍ରାହୀଙ୍କ ସମେତ ଜେଟିପି ଓ ନିଯୋଗ କର୍ମକର୍ତ୍ତାଙ୍କୁ ଜେରା କରିଛି ଶ୍ରୀମନ୍ଦିର ପ୍ରଶାସନ। କିଭଳି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଗଲା, ପୁଙ୍ଖାନୁପୁଙ୍ଖ ପଚାରି ବୁଝିଛନ୍ତି। ସମସ୍ତଙ୍କର ବୟାନ ରେକର୍ଡ କରାଯାଇଛି। ବଡ଼ଠାକୁର ଶ୍ରୀବଳଭଦ୍ର ରଥ ଉପରେ ପଡ଼ିଯିବା ଘଟଣାରେ ଶ୍ରୀମନ୍ଦିର ପରିଚାଳନା କମିଟି ତିନିଜଣିଆ କମିଟି ଗଠନ କରିଥିଲା। ଯେଉଁଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଶ୍ରୀମନ୍ଦିର ନୀତି ପ୍ରଶାସନ ଜିତେନ୍ଦ୍ର କୁମାର ସାହୁ ଓ ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ ଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା, ନୀଳାଦ୍ରି ବିଜେର ୧୦ ଦିନ ଭିତରେ ଏହି କମିଟି ତଦନ୍ତ କରି ରିପୋର୍ଟ ଦେବ। କିନ୍ତୁ କମିଟି ଅଦ୍ୟାବଧି ତଦନ୍ତ ଆରମ୍ଭ କରିନଥିଲା। ଏ ନେଇ ‘ସମ୍ବାଦ’ରେ ୧୩ ତାରିଖ ପ୍ରଥମ ପୃଷ୍ଠାରେ ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ କରିଛି କମିଟି। ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ପ୍ରତିନିଧି ଭାବେ ଅନାଥ ଦାସମହାପାତ୍ର, ଆଡ଼ପପହଣ୍ଡି ବେଳେ ବଡ଼ଠାକୁରଙ୍କ ରଥରେ ଥିବା ଦୁଇ ଜେଟିପି, ଖୁଣ୍ଟିଆ ଓ ପୁଷ୍ପାଳକ ନିଯୋଗର କର୍ମକର୍ତ୍ତାଙ୍କୁ ପଚଉରାଉଚରା କରିଛି।

Advertisment

ଅତିରକ୍ତ ଜିଲ୍ଲାପାଳ (ରାଜସ୍ବ)ଙ୍କ କାର୍ଯ୍ୟାଳୟ ପରିସରରେ ଏହି ପଚରାଉଚରା ହୋଇଛି। ପର୍ଯ୍ୟାୟକ୍ରମେ ସମସ୍ତଙ୍କ ବୟାନ ରେକର୍ଡ କରାଯାଇଛି। ବାଡ଼ଗ୍ରାହୀଙ୍କ ତରଫରୁ ରଥଯାତ୍ରା ନୀତି ବିଶୃଙ୍ଖଳା, ପହଣ୍ଡି ବେଳେ ରଥ ଉପରେ ବହୁସଂଖ୍ୟାରେ ସେବକ ଚଢ଼ିବା, ୪୫ ମିନିଟ୍‌ ଧରି ଠାକୁର ପହଣ୍ଡି ବେଳେ ରଥ ଉପରେ ଅଟକି ରହିବା, ବିଡ଼ିଆମଣୋହି ନୀତି ସମ୍ପନ୍ନରେ ବିଳମ୍ବ ଏହି ଅଘଟଣର ପ୍ରମୁଖ କାରଣ ବୋଲି ଦର୍ଶାଯାଇଛି। ବିଡ଼ିଆମଣୋହ ନୀତି ପାଇଁ ପହଣ୍ଡି ବେଳେ ରଥ ଚାରମାଳ ଉପରେ ଠାକୁର ପ୍ରାୟ ୪୫ ମିନିଟ୍‌ ଅଟକି ରହିଥିଲେ। ଦଇତାପତି, ସୁଆର ମହାସୁଆର, ପୁଷ୍ପାଳକ, ଖୁଣ୍ଟିଆଙ୍କୁ ମିଶାଇ ସୀମିତ ସେବକ ରହିବା କଥା। କିନ୍ତୁ ବିଭିନ୍ନ ନିଯୋଗର ବହୁ ଅଣସ୍ବୀକୃତ ସେବକ ରଥ ଉପରେ ଚଢ଼ିଥିଲେ। ପରିଣାମ ସ୍ବରୂପ ଏତେ ବଡ଼ ଅଘଟଣ ଘଟିଲା ବୋଲି ବାଡ଼ଗ୍ରାହୀଙ୍କ ପ୍ରତିନିଧି ଓ ଅନ୍ୟ ନିଯୋଗର କର୍ମକର୍ତ୍ତାମାନେ ଦର୍ଶାଇଛନ୍ତି।