ନବରଙ୍ଗପୁର/ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ବାଣୁଆଗୁଡ଼ା ଗ୍ରାମର ସୂର୍ଯ୍ୟ ହରିଜନ(୭୨) ଗତ ୧୪ ତାରିଖ ଦିନ ଭତ୍ତା ଆଣିବା ପାଇଁ ଭଙ୍ଗା ଚୌକିକୁ ଆଶା ବାଡ଼ି କରି କୋଶେ ବାଟ ପାଦରେ ଚାଲି ଚାଲି ବ୍ୟାଙ୍କକୁ ଯିବା ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି? ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି? ଟ୍ୱିଟରରେ ଏଭଳି ପ୍ରଶ୍ନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।

Advertisment

publive-image
ଅନ୍ୟପକ୍ଷରେ, ନିର୍ମଳାଙ୍କ ଟ୍ୱିଟର ଉତ୍ତର ରଖଛନ୍ତି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କର୍ତ୍ତୃପକ୍ଷ। ଏହି ଭିଡିଓ ଦେଖିବା ପରେ ଆମେ ମଧ୍ୟ ତାଙ୍କର କଷ୍ଟ ଅନୁଭବ କରିଛୁ। ଟିପ ଚିହ୍ନ ନମିଶିବାରୁ ଏଭଳି ସମସ୍ୟା ଉପୁଜିଥିଲା। ବୃଦ୍ଧା ତାଙ୍କ ପରିବାର ଲୋକଙ୍କ ସହ ଝରିଗାଁ ଶାଖାକୁ ଆସିଥିଲେ। ବ୍ୟାଙ୍କ ମ୍ୟାନେଜର ତୁରନ୍ତ ତାଙ୍କର ପେନସନ ଟଙ୍କା ପୈଠ କରିଥିଲେ। ଆସନ୍ତା ମାସରୁ ବୃଦ୍ଧାଙ୍କ ଘରେ ଭତ୍ତା ଟଙ୍କା ଦିଆଯିବା ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆଜି ଝରିଗାଁ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବୃଦ୍ଧା ସୂର୍ଯ୍ୟ ହରିଜନଙ୍କ ଘରକୁ ଯାଇ ଏକ ହ୍ବିଲ୍ ଚେୟାର ପ୍ରଦାନ କରିଛନ୍ତି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଟ୍ୱିଟ୍ ଯୋଗେ ଉତ୍ତର ରଖିଥିଲେ। ସେହିପରି ପ୍ରଶାସନ ପକ୍ଷରୁ ଏଣିକି ପ୍ରତି ମାସରେ ସୂର୍ଯ୍ୟ ହରିଜନଙ୍କୁ ଭତ୍ତା ବାବଦକୁ ୫ଶହ ବଦଳରେ ୭ଶହ ଟଙ୍କା ଦିଆଯିବ ବୋଲି ବିଏସ୍‌ଏସ୍‌ଓ ପାର୍ଥଜିତ ମଣ୍ଡଳ ସୂଚନା ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୃଦ୍ଧା ସୂର୍ଯ୍ୟ ହରିଜନ ପୂର୍ବରୁ ପଞ୍ଚାୟତରେ ଭତ୍ତା ପାଉଥିବା ବେଳେ ସରକାର ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ପଠାଇବା ବ୍ୟବସ୍ଥା କରିଥିଲେ। ତା’ ପରଠାରୁ ସୂର୍ଯ୍ୟଙ୍କୁ ଅଡୁଆ ସୃଷ୍ଟି ହୋଇଥିଲା। ସୂର୍ଯ୍ୟ ୪ ମାସ ତଳେ ଭତ୍ତା ଟଙ୍କା ପାଇଁ ସାରିଆପଡ଼ାସ୍ଥିତ କିଓସ୍କୋ କେନ୍ଦ୍ରକୁ ଯାଇଥିବା ବେଳେ ଟଙ୍କା ନମିଳିବାରୁ ନିରାଶ ହୋଇ ଫେରୁଥିଲେ। ଏହିସମୟରେ ରାସ୍ତାରେ ଦୁର୍ଘଟଣାର ଶିକାର ହେବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଏହାପରଠାରୁ ସୂର୍ଯ୍ୟ ଠିକ୍‌ ଭାବେ ଚଲାବୁଲା କରିପାରୁ ନଥିଲେ। ତଥାପି ଭତ୍ତା ଟଙ୍କା ପାଇବା ଆଶାରେ ଚୌକି ସହାୟତାରେ କୋଶେ ବାଟ ଚାଲି ଚାଲି ଯାଉଥିଲେ ମଧ୍ୟ ଭତ୍ତା ମିଳୁ ନଥିବାରୁ ସେ ଭାଙ୍ଗି ପଡ଼ିଥିଲେ।