ଶ୍ରୀଜଗନ୍ନାଥଙ୍କ ଜମିରୁ ଆୟ ହୋଇଛି ୧୩୪କୋଟିରୁ ଅଧିକ

ଭୁବନେଶ୍ବର : ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡଭୁକ୍ତ ଥିବା ଜମିର ବିଭନ୍ନ ଉତ୍ସରୁ ଗତ ୫ ବର୍ଷରେ ୧୩୪କୋଟି ୬୫ଲକ୍ଷ ୨୯ହ‌ଜାର ୧୫୧ ଟଙ୍କା ଆଦାୟ ହୋଇ ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯାଇଛି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା।

ଶ୍ରୀ ସାରକା କହିଛନ୍ତି ଯେ ମୃଣାଳିନୀ ପାଢ଼ୀ ମାମଲାରେ ସୁପ୍ରିମକୋର୍ଟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରାଜ୍ୟ ଭିତରେ ଚିହ୍ନଟ ହୋଇଥିବା ୬୦ହଜାର ୪୧୮ ଏକର ପରିମିତ ଜମି ସ୍ଥଳେ ମାତ୍ର ୩୪,୨୦୦.୯୭୬ ଏକର ପରିମିତ ଜମିର ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନର ପ୍ରାପ୍ତ ହୋଇଥିବାରୁ ବଳକା ସ୍ବତ୍ତ୍ବଲିପି ଆସନ୍ତା ୬ମାସ ମଧ୍ୟରେ ସଂଶୋଧନ କରାଯିବା ପାଇଁ ଆଦେଶ ପ୍ରଦାନ କରିଥିଲେ। ଏହି ଆଦେଶ ପରିପ୍ରେକ୍ଷୀରେ ରାଜ୍ୟର ୨୪ଟି ଜିଲ୍ଲାରେ ଚିହ୍ନଟ ୬୦,୪୨୬.୯୪୩ ଏକର ଜମିରୁ ୩୮,୦୬୧.୮୯୨ ଏକର ପରିମିତି ଜମିର ସଂଶୋଧିତ ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି। ଅବଶିଷ୍ଟ ୨୨,୩୬୫.୦୫୧ ପରିମିତ ଜମିର ସଂଶୋଧିତ ସ୍ବତ୍ତ୍ବଲିପି ପ୍ରାପ୍ତ ହୋଇନାହିଁ।

ବିଭିନ୍ନ ତହସିଲ ଅଧୀନସ୍ଥ ମୌଜାମାନଙ୍କରେ ବନ୍ଦୋବସ୍ତ ଓ ଚକବନ୍ଦୀ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ,ପୁରୀଙ୍କ ନାମ ଦରଜ କରାଯାଇ ମଠାଧୀଶ କିମ୍ବା ବ୍ୟକ୍ତି ବିଶେଷଙ୍କ ମାର୍ଫତଦାରୀରେ ହୋଇଥିବା ରେକର୍ଡକୁ ସଂଶୋଧନ କରି ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ନାମ ଦରଜ କରାଯାଇଛି। ସଂଶୋଧିତ ସ୍ବତ୍ତ୍ବଲିପି ପ୍ରଦାନ କରିବା ପାଇଁ ୩୭୬୭ଟି ରେଭେନ୍ୟୁ ମିସ୍ କେସ୍ ୧୦,୮୦୮.୫୮୪ ଏକର ପରିମିତ ଜମି ଉପରେ ସଂପୃକ୍ତ ତହସିଲଦାରଙ୍କ ଇଜିଲାସରେ ଦାଏର କରାଯାଇଛି। ଏସବୁ ଏବେ ବିଚାରାଧୀନ ରହିଛି। ଏହାକୁ ଫଇସଲା କରି ସଂଶୋଧିତ ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବା ପାଇଁ ସଂପୃକ୍ତ ତହସିଲଦାର ଓ ଉପ-ଜିଲ୍ଲାପାଳଙ୍କ ସହିତ ବାରମ୍ବାର ଚିଠି ଆଦାନ ପ୍ରଦାନ କରାଯାଉଥିବା ଶ୍ରୀ ସାରକା କହିଛନ୍ତି।

ସମ୍ବନ୍ଧିତ ଖବର