ଇଣ୍ଡିଆନ ରିଡରସିପ୍ ସର୍ଭେ: ‘ସମ୍ବାଦ’ ସବୁବେଳେ ଶୀର୍ଷରେ

ସାରା ଓଡ଼ିଶାରେ ଲୋକଙ୍କ ପ୍ରଥମ ପସନ୍ଦର ଖବରକାଗଜ, ପଢ଼ୁଛନ୍ତି ୬୫ ଲକ୍ଷ ୯୪ ହଜାର ପାଠକ

ଭୁବନେଶ୍ବର: ଏକ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟର ସର୍ବାଧିକ ପ୍ରସାରିତ ଓ ପଠିତ ଖବରକାଗଜର ମାନ୍ୟତା ହାସଲ କରି ଆସୁଥିବା ‘ସମ୍ବାଦ’ ଏବେ ବି ଶୀର୍ଷରେ ରହିଛି। ଇଣ୍ଡିଆନ ରିଡରସିପ୍ ସର୍ଭେ (ଆଇଆର୍‌ଏସ୍‌) ସଂସ୍ଥାର ସର୍ବଶେଷ ସର୍ବେକ୍ଷଣ ଅନୁଯାୟୀ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ‘ସମ୍ବାଦ’ ଏହାର ପ୍ରତିଦ୍ବନ୍ଦ୍ବୀ ଅନ୍ୟ ସମସ୍ତ ଖବରକାଗଜଙ୍କଠାରୁ ପୂର୍ବଭଳି ଯଥେଷ୍ଟ ଆଗୁଆ ରହିଛି। ଆଇଆର୍‌ଏସ୍‌ ଦ୍ବାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁସାରେ ୨୦୧୯ ଶେଷ ତ୍ରୟମାସରେ ପୂର୍ବ ତ୍ରୟମାସ ଅପେକ୍ଷା ଏହାର ମୋଟ ପାଠକ ସଂଖ୍ୟା ୪୪ ହଜାର ବୃଦ୍ଧି ପାଇ ୬୫ ଲକ୍ଷ ୯୪ ହଜାରରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ‘ସମାଜ’ର ପାଠକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୫୬ ଲକ୍ଷ ୯୩ ହଜାର ହୋଇଥିବାବେଳେ ଏହା ଦ୍ବିତୀୟ ସ୍ଥାନ ବଜାୟ ରଖିଛି। ଅନ୍ୟପକ୍ଷରେ ‘ପ୍ରମେୟ’ର ପାଠକ ସଂଖ୍ୟା ୩୮ ଲକ୍ଷ ୭ ହଜାରରୁ ହ୍ରାସ ପାଇ ୩୬ ଲକ୍ଷ ୨୧ ହଜାରରେ ପହଞ୍ଚିଥିବା ବେଳେ ‘ଧରିତ୍ରୀ’ର ପାଠକ ସଂଖ୍ୟା ୨୭ ଲକ୍ଷ ୫୧ ହଜାରରୁ ଖସି ୨୬ ଲକ୍ଷ ୫୧ ହଜାରରେ ପହଞ୍ଚିଛି।

କଟକ-ଭୁବନେଶ୍ବରରେ ୧ ନମ୍ବର ମାନ୍ୟତା ସ୍ଥିର
‘ସମାଜ’ ଦ୍ବିତୀୟ; ‘ପ୍ରମେୟ’ ଓ ‘ଧରିତ୍ରୀ’ର ପାଠକ ସଂଖ୍ୟା‌ କମିଛି

କ୍ରମାଗତ ଭାବେ ଆଇଆର୍‌ଏସ୍‌ ସର୍ବେକ୍ଷଣରେ ପାଠକ ସଂଖ୍ୟା ଦୃଷ୍ଟିରୁ କଟକ-ଭୁବନେଶ୍ବର ଦ୍ବୈତନଗରୀରେ ମଧ୍ୟ ‘ସମ୍ବାଦ’ ସମସ୍ତ ପ୍ରତିଦ୍ବନ୍ଦ୍ବୀ ଖବରକାଗଜଠାରୁ ଯଥେଷ୍ଟ ଆଗରେ ରହିଛି। ୨୦୧୯ ଚତୁର୍ଥ ତ୍ରୟମାସରେ ‌ଭୁବନେଶ୍ବରରେ ‘ସମ୍ବାଦ’ର ଦୈନିକ ପାଠକ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୭୭ ହଜାର ରହିଥିବା ବେଳେ ଏହି ସମୟ ମଧ୍ୟରେ ‘ସମାଜ’ର ଦୈନିକ ପାଠକ ସଂଖ୍ୟା ହ୍ରାସ ପାଇ ୧ ଲକ୍ଷ ୯ ହଜାରରେ ପହଞ୍ଚିଛି। ଏହି ସମୟରେ କଟକରେ ‘ସମ୍ବାଦ’ର ଦୈନିକ ପାଠକ ସଂଖ୍ୟା ବୃଦ୍ଧି ପାଇ ୬୯ ହଜାରରେ ପହଞ୍ଚିଥିବାବେଳେ ‘ସମାଜ’ର ଦୈନିକ ପାଠକ ସଂଖ୍ୟା ହ୍ରାସ ପାଇ ୬୦ ହଜାରରେ ପହଞ୍ଚିଛି। ସେହିପରି ଭୁବନେଶ୍ବର ଓ କଟକରେ ଦୈନିକ ପାଠକ ସଂଖ୍ୟା ଦୃଷ୍ଟିରୁ ‘ପ୍ରମେୟ’ ଓ ‘ଧରିତ୍ରୀ’ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର