ଝାରସୁଗୁଡ଼ା: ଗତ ଏକ ସପ୍ତାହ ହେଲା ଶିଳ୍ପନଗରୀ ଝାରସୁଗୁଡ଼ା ଜିଲ୍ଲାର ତାପମାତ୍ରା ଖସିବାରେ ଲାଗିଛି। ଦିନକୁ ଦିନ ପାରଦ ଖସିବା ଯୋଗୁଁ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ଦିନ ଅପେକ୍ଷା ରାତିରେ ତାପମାତ୍ରା ଅଧିକ ଖସୁଥିବା ଦେଖିବାକୁ ମିଳୁଛି। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ଝାରସୁଗୁଡ଼ାରେ ଶୀତ ଲହର ଅଧିକ ଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି। କିଛି ଦିନ ହେଲା ଜିଲ୍ଲାରେ ପ୍ରବଳ ଶୀତ ଲହରି ଆରମ୍ଭ ହୋଇ ଯାଇଥିବାରୁ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି। ସାରା ଜିଲ୍ଲା ଥଣ୍ଡାରେ ଥରୁଛି। ଦିନ ୧୦ ଯାଏ ଥଣ୍ଡା ଲାଗି ରହୁଥିବା ବେଳେ ଅପରାହ୍ନ ୩ଟା ପରେ ପୁଣି ଥଣ୍ଡା ଅନୁଭୂତ ହେଉଛି।
ଜିଲ୍ଲାରେ ଗତ ସପ୍ତାହେ ମଧ୍ୟରେ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ଗତ ୧୭ ତାରିଖ ଦିନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୯.୨ ଥିବା ବେଳେ ଏହା ସେଦିନ ରାଜ୍ୟର ସବୁଠାରୁ ଅଧିକ ଥଣ୍ଡାର ସହର ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି। ସେହିପରି ୧୮ ତାରିଖରେ ୮.୨, ୧୯ ତାରିଖରେ ୯.୬, ୨୦ରେ ୯.୬, ୨୧ରେ ୮.୭, ୨୨ରେ ୧୦.୨ ଓ ୨୩ ରେ ୧୧.୪ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି।
ଏହି ଧାରା ଆଗକୁ ବଳବତ୍ତର ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଥିବାରୁ ଜିଲ୍ଲାରେ ଶୀତ ଲହରି ଆହୁରି ଅଧିକ ବଢ଼ିବା ଆଶଙ୍କା ରହିଛି। ପ୍ରଚଣ୍ଡ ଶୀତ ଯୋଗୁଁ ଝାରସୁଗୁଡ଼ା ଶିଳ୍ପନଗରୀ ପ୍ରଭାବିତ ହୋଇଥିବା ବେଳେ ସହରରେ ଥିବା ଅସହାୟ ନିରାଶ୍ରୟ ଗରିବ ଲୋକ ଅକଥନୀୟ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି। ଏଠି ନିରାଶ୍ରୟ ଲୋକଙ୍କ ରାତ୍ରୀଯାପନ ବଡ଼ କଷ୍ଟକର ହୋଇପଡ଼ିଛି। ସହରର ଚାକଚକ୍ୟ ଭିତରେ ଗୋଟିଏ ଶ୍ରେଣୀ ଥରୁଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ସେମାନଙ୍କ ନିମନ୍ତେ ଆଶ୍ରୟ ସ୍ଥଳୀଟିଏ ନିର୍ମାଣ ହୋଇପାରି ନାହିଁ। ଫଳରେ ଏହି ନିରାଶ୍ରୟମାନେ ମୁକ୍ତାକାଶ ତଳେ ୯ ଡିଗ୍ରି ଥଣ୍ଡାରେ ପଡ଼ି ରହିଥିବା ଦେଖାଯାଇଛି। ଝାରସୁଗୁଡ଼ା ସହରରେ ଏକ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ବହୁ ବର୍ଷରୁ ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ଏହା କାର୍ଯ୍ୟକାରୀ କରାଯାଇ ପାରିନାହିଁ। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ କୋଠ ନିର୍ମାଣ ହେଉଥିବା ବେଳେ ନିରାଶ୍ରୟମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ଆଦୌ ଉଦ୍ୟମ କରାଯାଉନଥିବା ଅଭିଯୋଗ ହେଉଛି।
ଶିଳ୍ପ, ଖଣି ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ଝାରସୁଗୁଡ଼ା ଏକ ସମୃଦ୍ଧ ସହର ଅଟେ। ଏଠାରେ ପ୍ରତିଦିନ ରାସ୍ତାରେ ରଙ୍ଗ ବେରଙ୍ଗ ନାମୀ ଦାମୀ କାର୍ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କୋଟି କୋଟି ଟଙ୍କା ନିବେଶରେ ବିଭିନ୍ନ କମ୍ପାନିର ବଡ଼ ବଡ଼ ମଲ୍ ଗୋଟିଏ ପରେ ଗୋଟିଏ ଖୋଲୁଛି। ହେଲେ ଗରିବଙ୍କ ଭାଗ୍ୟ ଏଠାର ବଦଳି ପାରୁନାହିଁ। ଆଜି ବି ସହରରେ ପ୍ରବଳ ଶୀତ ଓ ବର୍ଷା ସତ୍ତ୍ବେ ଖୋଲା ଆକାଶ ତଳେ ଜୀବନ ଜିଉଁଛନ୍ତି ହଜାର ହଜାର ଗରିବ ଲୋକ। ରାତିରେ ସହର ମଧ୍ୟରେ ବୁଲିଲେ ରେଳ ଷ୍ଟେସନର ବାରଣ୍ଡା, ଫୁଟ୍ପାଥ ଓ ରୋଡ଼୍ ଡିଭାଇଡରରେ ଏହି ଗରୀବ ନିରଶ୍ରୟ ଲୋକେ କିଭଳି ଦୁଃଖ କଷ୍ଟରେ ରହୁଛନ୍ତି ଯେ କେହି ଦେଖିପାରିବେ। ସକାଳ ହେଲେ ପେଟ ଚାଖଣ୍ଡକ ପାଇଁ ଚିନ୍ତା ଓ ରାତି ହେଲେ ମୁଣ୍ଡ ଗୁଞ୍ଜିବା ଚିନ୍ତା। ନିରାଶ୍ରୟମାନଙ୍କ ପାଇଁ ପୂର୍ବରୁ ରେଳ ଷ୍ଟେସନ ବାରଣ୍ଡା ମୁଖ୍ୟ ଆଶ୍ରୟ ସ୍ଥଳ ହୋଇଥିବା ବେଳେ ଗତ ଦୁଇ ତିନି ବର୍ଷ ହେଲା ଆର୍ପିଏଫ୍ ରେଳ ଷ୍ଟେସନ ବାରଣ୍ଡାରୁ ତଡ଼ି ଦେଉଥିବା ନିରାଶ୍ରୟମାନେ କହିଛନ୍ତି।
ଫଳରେ ରାସ୍ତା କଡ଼ ଡିଭାଇଡର ଓ ବନ୍ଦ ଥିବା ଦୋକାନ ବାରଣ୍ଡା ସେମାନଙ୍କ ପାଇଁ ମୁଖ୍ୟ ଆଶ୍ରୟସ୍ଥଳୀ ପାଲଟିଛି। ପ୍ରବଳ ଶୀତ କାକର ବେଳେ ଘର ଭିତରେ କମ୍ବଳ ଘୋଡ଼ାଇ ହୋଇ ଲୋକେ ଶୋଇ ପାରୁନଥିବା ବେଳେ ଏହି ନିରାଶ୍ରୟ ଲୋକମାନେ ଖୋଲା ଆାକାଶ ତଳେ ରାତିସାରା ଶୋଇବା ପାଇଁ ବାଧ୍ୟ ହେଉଛନ୍ତି। ମୁଖ୍ୟ ରାସ୍ତାରୁ ଝାରସୁଗୁଡ଼ା ରେଳ ଷ୍ଟେସନ ଭିତରକୁ ଗଲା ବେଳେ ରାସ୍ତା ମଝିରେ ଥିବା ଡିଭାଇଡରରେ ଅତି ଦୁଃଖ କଷ୍ଟରେ ବସବାସ କରୁଥିବା ଲୋକଙ୍କୁ ପ୍ରାୟ ଏହି ରାସ୍ତାରେ ଯାଉଥିବା ସବୁ ଲୋକ ଦେଖୁଥିବେ। ଏମାନଙ୍କ ମଧ୍ୟରେ ଛୋଟ ଛୁଆ ଓ ପ୍ରୌଢ଼ ମଧ୍ୟ ଅତି କଷ୍ଟରେ ରହୁଥିବା ଦେଖାଯାଉଛି। ଏହି ଡିଭାଇଡରେ ଏମାନେ ଖାଆନ୍ତି, ନିଜର ଜିନିଷ ପତ୍ର ରଖନ୍ତି ଓ ପିଲା ଛୁଆଙ୍କ ଲାଳନ ପାଳନ ମଧ୍ୟ କରିଥାନ୍ତି। ଖରା ବଢ଼ିଗଲେ ରାସ୍ତା କଡ଼ରେ କୌଣସି ଛାଇ ସ୍ଥାନକୁ ଯାଇ କିଛି ସମୟ ଆଶ୍ରୟ ନିଅନ୍ତି।
ଝାରସୁଗୁଡ଼ାରେ ଏହି ଗରିବ ନିରାଶ୍ରୟ ଲୋକଙ୍କ ସମସ୍ୟା ଆଜିର ନୁହେଁ। ଅନେକ ବର୍ଷରୁ ଏମାନେ ଏଭଳି ଜୀବନଯାପନ କରୁଥିବା ନେଇ ପ୍ରଶାସନ ପାଖରେ ସଂପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି। ଏମାନଙ୍କୁ ଥଇଥାନ କରିବା ପାଇଁ ସରକାର ଅନେକ ଥର ଉଦ୍ୟମ କରିଛନ୍ତି। ମାତ୍ର ତାହା ଫଳପ୍ରଦ ହୋଇପାରୁ ନାହିଁ। କିଛି ବର୍ଷ ପୂର୍ବେ ଏହି ସମସ୍ୟାର ସମାଧାନ ପାଇଁ ପୌର ସଂସ୍ଥା ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇ ଏକ ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ନୂତନ ଭାବରେ ନିର୍ମାଣ ହୋଇଥିବା ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ନିକଟରେ ଏମାନଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ନିଷ୍ପତ୍ତି ହୋଇଥିଲା। ସରକାରଙ୍କ ପକ୍ଷରୁ ଭୁନେଶ୍ବରରେରେ ସ୍ବାସ୍ଥ୍ୟ ବିଭାଗ ସଚିବ ଓ ନଗର ଉନ୍ନୟନ ସଚିବଙ୍କ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ତେବେ ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟ ନିକଟରେ ହାର୍ଟ ହସପିଟାଲ ଓ ସମ୍ମୁଖରେ ଚାରି ଥାକିଆ ରାସ୍ତା ନିର୍ମାଣ ହେଉଥିବାରୁ ସ୍ଥାନାଭାବ ଦେଖା ଯାଇଥିଲା। ଯଦ୍ବାରା ଏହି ପ୍ରସ୍ତାବ ବାତିଲ ହୋଇ ଯାଇଥିଲା। ଏହି ପ୍ରୟାସ ଏବେ ବନ୍ଦ ହୋଇ ଯାଇଛି। ପୌର ସଂସ୍ଥା ଟାଉନ ହଲରେ ନାମକୁ ମାତ୍ର ଏକ ଅସ୍ଥାୟୀ ଆଶ୍ରୟ ସ୍ଥଳ ନିର୍ମାଣ କରିଥିଲେ ମଧ୍ୟ ଏଠାରେ ରହିବା ପାଇଁ ଅସହାୟ ଗରିବ ଲୋକେ ରାଜି ହେଉନଥିବା କୁହାଯାଉଛି।