କେନ୍ଦ୍ର-ରାଜ୍ୟ ସହଭାଗିତାରେ ଶିଳ୍ପ ଭିତ୍ତିଭୂମିର ବିକାଶ ହେବ, ରାଜ୍ୟରେ ଶିଳ୍ପାୟନ ପାଇଁ ମାନସ ମନ୍ଥନ
ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କ ଆଲୋଚନା
ଭୁବନେଶ୍ବର: କରୋନା ପରବର୍ତ୍ତୀ ସମୟରେ ଓଡ଼ିଶାରେ ଶିଳ୍ପାୟନ କିପରି ତ୍ବରାନ୍ବିତ ହେବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ଶିଳ୍ପ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରାଯାଇଛି। ଏହି ପ୍ରକ୍ରିୟାକୁ ଗତିଶୀଳ କରିବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଅଆଲୋଚନାରେ ଭାଗ ନେଇଥିଲେ। କେନ୍ଦ୍ର-ରାଜ୍ୟ ସହଭାଗିତାରେ ଆଗାମୀ ଦିନରେ ଓଡ଼ିଶାରେ ଶିଳ୍ପାୟନର ସମ୍ଭାବନା ଉପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଥିଲେ। କେନ୍ଦ୍ର ସରକାରଙ୍କ ଡିପିଆଇଆଇଟି ମନ୍ତ୍ରାଳୟର ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ ସମେତ ଶିଳ୍ପ ସହ ସଂପୃକ୍ତ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀମାନେ ଏଥିରେ ଭାଗ ନେଇଥିଲେ।
ଶିଳ୍ପ ସଂକ୍ରାନ୍ତୀୟ ବିଭିନ୍ନ ଯୋଜନା ଓ ପ୍ରସ୍ତାବକୁ ସମୀକ୍ଷା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାକୁ ପୁଞ୍ଜିନିବେଶର ସ୍ଥାନ କରିବା ପାଇଁ ରାଜ୍ୟ ପକ୍ଷରୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶାରେ ବାତ୍ୟାର ସୁପରିଚାଳନା ନୂଆ ପୁଞ୍ଜିନିବେଶ ପାଇଁ ବାଟ ଖୋଲିଛି। କରୋନା ପରବର୍ତ୍ତୀ ସମୟରେ ଶିଳ୍ପାୟନକୁ ତ୍ବରାନ୍ବିତ କରିବାକୁ ଓଡ଼ିଶା ପ୍ରସ୍ତୁତ ଅଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପର୍ଯ୍ୟାୟ କ୍ରମେ ବୈଠକ କରି ଏ ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ, ଓଡ଼ିଶାରେ ବ୍ୟବସାୟ ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ଯୋଗାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଶିଳ୍ପ ଭିତ୍ତିଭୂମି ବିକାଶରେ ଓଡ଼ିଶା ବହୁ ଆଗରେ ରହିଛି। ପୁଞ୍ଜିନିବେଶକାରୀମାନେ ତତ୍କାଳ ଶିଳ୍ପ ପାର୍କ ଓ ‘ଲ୍ୟାଣ୍ଡ୍ ବ୍ୟାଙ୍କ’ର ସୁଯୋଗ ନେଇପାରିବେ। ଶିଳ୍ପ କ୍ଲଷ୍ଟର୍ ପାଖରେ ଅଧିକ ଭିତ୍ତିଭୂମି ଓ ଶିଳ୍ପ ନଗରୀର ବିକାଶର ଆବଶ୍ୟକତା ରହିଛି।
ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଲେ, ରାଜ୍ୟର ବିଭିନ୍ନ ସ୍ଥାନରେ ଶିଳ୍ପ ପ୍ରତିଷ୍ଠା ପାଇଁ ୫୦୫ ବର୍ଗ କିଲୋମିଟରର ‘ଲ୍ୟାଣ୍ଡ୍ ବ୍ୟାଙ୍କ’ ପ୍ରସ୍ତୁତ ଅଛି। ଉପକୂଳ ସ୍ଥାନ, ବନ୍ଦର ଓ ଖଣିଜ ସମ୍ପଦକୁ ନଜରରେ ରଖି ଏହି ଲ୍ୟାଣ୍ଡ୍ ବ୍ୟାଙ୍କ ସୃଷ୍ଟି କରାଯାଇଛି। ପୁଞ୍ଜିନିବେଶକାରୀଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଇବାରେ କୌଣସି ସମସ୍ୟା ନାହିଁ। ରାଜ୍ୟରେ ପ୍ରାକୃତିକ ଗ୍ୟାସ୍ ପାଇପ୍ଲାଇନ୍ ନେଟ୍ୱର୍କ ରହିଛି। ପୁଞ୍ଜିନିବେଶକାରୀମାନଙ୍କୁ ସହଯୋଗ ଯୋଗାଇଦେବା ପାଇଁ ‘ଗୋ ସ୍ବିଫ୍ଟ’ ପୋର୍ଟାଲ ସହ ‘ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ’ର ବ୍ୟବସ୍ଥା ରହିଛି। କରୋନା ପରବର୍ତ୍ତୀ ସମୟରେ ରାଜ୍ୟରେ ଯଥେଷ୍ଟ ଦକ୍ଷ ମାନବ ସମ୍ବଳ ଉପଲବ୍ଧ ହେବେ। ବିଭିନ୍ନ କ୍ଷେତ୍ରରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ହୋଇଥିବା ନୀତି ସମ୍ପର୍କରେ ଶ୍ରୀ ଶର୍ମା ସୂଚନା ଦେଇଥିଲେ। ଓଡ଼ିଶାରେ କିଛି କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ, ସମସ୍ତ ପ୍ରକାର ଶିଳ୍ପ ପ୍ରୋତ୍ସାହନଭିତ୍ତିକ କାର୍ଯ୍ୟକ୍ରମରେ ଓଡ଼ିଶା ଅଂଶଗ୍ରହଣ କରିବା ଏବଂ ‘ଇଣ୍ଡଷ୍ଟ୍ରିଆଲ୍ କରିଡର୍ ଡେଭଲପ୍ମେଣ୍ଟ୍ ଆଣ୍ଡ୍ ଇମ୍ପ୍ଲିମେଣ୍ଟେସନ୍ ଟ୍ରଷ୍ଟ’ ଅଧୀନରେ ଓଡ଼ିଶା ଇକୋନୋମିକ୍ କରିଡର୍କୁ ଅନ୍ତର୍ଭୁକ୍ତ କରିବା ଆଦି ପ୍ରସଙ୍ଗ ଆଲୋଚନା ହୋଇଥିଲା। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂହ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍, ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।