କନଷ୍ଟେବଳଙ୍କୁ ବନ୍ଧୁକ ଦେଖାଇ ଶିଳ୍ପପତିଙ୍କ ପୁଅ ଗିରଫ

ବାଲେଶ୍ବର: ବାଲେଶ୍ବରର ଜଣେ ଶିଳ୍ପପତିଙ୍କ ପୁଅ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକର ଅପବ୍ୟବହାର କରି ସହଦେବଖୁଣ୍ଟା ଥାନା ପୁଲିସ ହାତରେ ଗିରଫ ହୋଇଛନ୍ତି। ସେ ହେଲେ ସଂଜୀବ ମିଶ୍ର। କେସ୍‌ ନମ୍ବର-୧୮୦/୨୨ରେ ମାମଲା ରୁଜୁ କରି ପୁଲିସ ତାଙ୍କୁ ଆଜି କୋର୍ଟଚାଲାଣ କରିଛି।

ପୁଲିସ ସୂଚନା ମୁତାବକ, ଗତ ୭ ତାରିଖ ସଂଧ୍ୟାରେ ସଂଜୀବ ଏଡିଏମ୍‌ ଛକ ନିକଟରେ ଏକ ଚାରିଚକିଆ ଯାନ ପାର୍କିଂ କରୁଥିବା ସମୟରେ ସେଠାରେ ଟ୍ରାଫିକ୍‌ ଡ୍ୟୁଟି କରୁଥିବା କନେଷ୍ଟବଳ ଗୋବିନ୍ଦ ଟୁଡୁ ତାଙ୍କୁ ବାରଣ କରିଥିଲେ। ଲୋକଙ୍କ ଯିବାଆସିବାରେ ଅସୁବିଧା ହେବ ଏବଂ ଏହା ପାର୍କିଂ ସ୍ଥାନ ନୁହେଁ କନେଷ୍ଟବଳ ଟୁଡୁ ତାଙ୍କୁ ବୁଝାଇଥିଲେ। ଏତିକିରେ ସଂଜୀବ ତାଙ୍କୁ ଗାଡ଼ି ନିକଟକୁ ଡାକି ପାଖରେ କନେଷ୍ଟବଳ ବ୍ୟାଜ୍‌ ନମ୍ବର ପଚାରିବା ସହ ତାଙ୍କ ବିରୋଧରେ ଏସ୍‌ପି ଓ ଆଇଜିଙ୍କ ପାଖରେ ଅଭିଯୋଗ କରିବେ ବୋଲି ଧମକାଇଥିଲେ। କନେଷ୍ଟବଳ ଟୁଡୁ ନିଜ ବ୍ୟାଜ୍‌ ନମ୍ବର ସଂଜୀବଙ୍କୁ ନକହିବାରୁ ସେ ପାଖରେ ରଖିଥିବା ନିଜ ବନ୍ଧୁକ ବାହାର କରି କନେଷ୍ଟବଳ ଟୁଡୁଙ୍କ ଛାତିରେ ଲଗାଇ ଦେଇଥିଲେ। ଫଳରେ କନେଷ୍ଟବଳ ଶ୍ରୀ ଟୁଡୁ ଭୟଭୀତ ହୋଇ ଚୁପ୍‌ ରହିଥିଲେ। ପରେ ସଂଜୀବ ସେଠାରୁ ଗାଡ଼ି ନେଇ ଚାଲିଯିବା ପରେ କନେଷ୍ଟବଳ ଶ୍ରୀ ଟୁଡୁ ତୁରନ୍ତ ଏ ବିଷୟରେ ସହଦେବଖୁଣ୍ଟା ଥାନାକୁ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଗତକାଲି ସଂଜୀବଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ଗୋଟିଏ ୩୨ ଏମକେଆଇ ବନ୍ଧୁକ (ନମ୍ବର-ଏନ୍‌ପି-ଏଫ୍‌ଜି-୨୩୧୨୧), ୧୬ଟି ୩୨ଏସ୍‌୭-ଡବ୍ଲୁଇର ଜୀବନ୍ତ ଗୁଳି, ସେଦିନ ସେ ଚଢ଼ିଥିବା ସିଲଭର ରଙ୍ଗର ମହିନ୍ଦ୍ରା କେୟୁଭି-୧୦୦ କାର (ଓଡି-୦୧ଟି-୪୫୪୫), ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ କରିଥିବା ବନ୍ଧୁକ ଲାଇସେନ୍ସ (୩୮୬୧/ବିଏଲଏସ୍‌/୨୦୧୯) ଏବଂ ଗୋଟିଏ ହ୍ୟାଣ୍ଡବ୍ୟାଗ୍‌ ଜବତ କରାଯାଇଛି।

ସମ୍ବନ୍ଧିତ ଖବର