୩ ମାସ ପରେ ରାଜ୍ୟରେ ସଂକ୍ରମଣ ହାର ୩% ତଳକୁ ଖସିଲା

ରାଜ୍ୟରେ ସଂକ୍ରମଣ ହ୍ରାସ ଆହୁରି ବିଳମ୍ବ ହେବ: ବିଶେଷଜ୍ଞ
୨୩୩୪ ପଜିଟିଭ୍, ୫୮ ମୃତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରରେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବାରେ ବିଳମ୍ବ ହୋଇଛି। ସଂକ୍ରମଣ ଯେ‌ତେ ଦ୍ରୁତ ଗତିରେ ବଢ଼ିଥିଲା, ସେହି ତୁଳନାରେ ହ୍ରାସ ପାଉ ନାହିଁ। ଗତ ମାସ ୧୫ ତାରିଖରୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାରକୁ ଖସି ଆସିଛି। ଏବେ ପ୍ରାୟ ୮ ଦିନ ହେବ ୨ହଜାର ଉପରେ ଲୁଚକାଳି ଖେଳୁଛି ଦୈନିକ ସଂକ୍ରମଣ। ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେବା ସହ କରୋନା ନିୟମକୁ ଲୋକମାନେ ପାଳନ କରୁ ନଥିବାରୁ ସଂକ୍ରମଣ ହ୍ରାସ ପାଇବା ଆହୁରି ବିଳମ୍ବିତ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ରାଜ୍ୟ ସରକାର ୧୬ ତାରିଖରେ କଟକଣାରେ କିଛିଟା କୋହଳ କରିବା ସହ ଲକ୍‌ଡାଉନ୍‌କୁ ବଢ଼ାଇ ଦେଇପାରନ୍ତି ବୋଲି ଆଭାସ ମିଳୁଛି।

ରାଜ୍ୟରେ ‌ଦୈନିକ ସଂକ୍ରମଣ ଏବେ ଏକ ପ୍ଲାଟ୍ୟୁ ସ୍ଥିତିରେ ରହିଛି। କେଉଁ ଦିନ ସଂଖ୍ୟା ବଢ଼ୁଛି ତ କେଉଁ ଦିନ କମି ଯାଉଛି। ମାତ୍ର ଅନ୍ୟ ରାଜ୍ୟ ଭଳି ଏଥିରେ ଦ୍ରୁତ ହ୍ରାସ ଦେଖିବାକୁ ମିଳୁନାହିଁ। ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ଗୋଷ୍ଠୀସ୍ତରରେ ସଂକ୍ରମଣ ହୋଇଛି। ଫଳରେ ହ୍ରାସ ଏବେ ମୋଟା ଲାଞ୍ଜ ବା ଥିକ୍‌-ଟେଲ୍‌ ଭଳି ହୋଇଗଲାଣି। କରୋନାକୁ ନେଇ ଲୋକମାନେ ନିଜର ଧୈର୍ଯ୍ୟ ହରାଇଲେଣି। ଠିକ୍ ଭାବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ଭୁଲି ଗଲେଣି। ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ଦୈନିକ ସଂକ୍ରମଣ ହଜା‌ରେ ତଳକୁ ଆସିପାରେ। ତେବେ ତୃତୀୟ ଲହରକୁ ନେଇ ବିଭିନ୍ନ ଆକଳନ ହେଉଛି। ମାତ୍ର ରାଜ୍ୟରେ ସଂକ୍ରମଣ ସ୍ଥିତିକୁ ନଜର ପକାଇଲେ, ତୃତୀୟ ଲହର ସେପ୍ଟେମ୍ବର ଆଡ଼କୁ ଆସିପାରେ। ହେଲେ ତାହା କେତେ ଭୟଙ୍କର ହେବ, ଟିକାକରଣ ଓ ନୂତନ ଭାରିଏଣ୍ଟ ଉପରେ ନିର୍ଭର କରିବ। ଯଦି ବ୍ୟାପକ ଟିକାକରଣ ହୁଏ, ତାହାଲେ ହୁଏତ ସଂକ୍ରମଣ କମ୍ ହେବ। ଏହାସହ ଯଦି କୌଣସି ନୂତନ ଭାରିଏଣ୍ଟ ନ ଆସେ, ତାହାଲେ ଟିକାରୁ ଲୋକମାନଙ୍କୁ ସୁରକ୍ଷା ମିଳିବ ବୋଲି ଡା. ମିଶ୍ର କହିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ମତରେ ଖୋର୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ବର ଓ ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହିଛି। ଲୋକମାନେ ମଧ୍ୟ କଟକଣାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏସବୁ ଦୃଷ୍ଟିରୁ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଁ ଆଉ କିଛି ଦିନ ସମୟ ଲାଗିବ। ଏଥିପାଇଁ ଲୋକମାନଙ୍କୁ ଧୈର୍ଯ୍ୟ ଧରିବାକୁ ହେବ। ତୃତୀୟ ଲହରକୁ ନେଇ ଏବେଠାରୁ କିଛି କଳ୍ପନା କରି ହେବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।

୩ ମାସ ପରେ ରାଜ୍ୟରେ ସଂକ୍ରମଣ ହାର ୩ ପ୍ରତିଶତ ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦,୯୧୫ ନମୁନା ପରୀକ୍ଷା ହୋଇଥିବା ସଂକ୍ରମଣ ହାର ୨.୮ ପ୍ରତିଶତ ରହିଛି। ଏପ୍ରିଲ ୭ ତାରିଖରେ ସଂକ୍ରମଣ ହାର ୨.୮ ପ୍ରତିଶତ ରହିଥିଲା। ସେହିପରି ପଜିଟିଭ୍ ସଂଖ୍ୟା ମଧ୍ୟ ୨୩୩୪କୁ ଖସି ଆସିଛି। ଖୋର୍ଧାରେ ସର୍ବାଧିକ ୩୮୦ଜଣ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୩୭୧, କେନ୍ଦ୍ରାପଡ଼ା ୧୯୬, ଯାଜପୁର ୧୭୯, ବାଲେଶ୍ବର ୧୬୪, ଭଦ୍ରକ ୧୨୧, ପୁରୀ ୧୦୬, ଜଗତସିଂହପୁର ୧୦୧, ମୟୂରଭଞ୍ଜ ୧୦୪, ନୟାଗଡ଼ ୯୪, ସୁନ୍ଦରଗଡ଼ ୮୭ ଓ ଷ୍ଟେଟ୍‌ ପୁଲରୁ ୭୬ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୭ ହଜାର ୪୭୦କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୫୮ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗରୁ ସୂଚନା ଦିଆଯାଇଛି। ଖୋର୍ଧାରେ ୧୧, ବରଗଡ଼, ପୁରୀରେ ୭ ଲେଖାଏଁ, ସୁନ୍ଦରଗଡ଼, ଗଞ୍ଜାମରେ ୬ ଲେଖାଏଁ, ସମ୍ବଲପୁରରେ ୪, କେନ୍ଦ୍ରାପଡ଼ାରେ ୩, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକରେ ୨ ଲେଖାଏଁ, ଅନୁଗୁଳ, ଗଜପତି, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୪୫୩୪ରେ ପହଞ୍ଚିଛି। ଆଉ ୩୧୨୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୯ହଜାର ୬୩୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୩,୨୪୪କୁ ଖସି ଆସିଛି। ଗତ ଏପ୍ରିଲ ୧୯ ତାରିଖ ବେଳକୁ ରାଜ୍ୟରେ ୨୩ ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଥିଲେ।

ସମ୍ବନ୍ଧିତ ଖବର