ସଂକ୍ରମଣ ଶୀର୍ଷରେ ଥିଲା ବେଳେ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ, ମହାପ୍ରଭୁଙ୍କ ଘୋଷଯାତ୍ରା ବେଳକୁ କୋଭିଡ୍‌?

ରଥ ବନ୍ଦ ପ୍ରତିବାଦରେ ଘଣ୍ଟଘଣ୍ଟା ବାଡ଼େଇଲେ

ବାରିପଦା: ମହାମାରୀକୁ ଢାଲ କରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଐତିହ୍ୟ ଓ ପରମ୍ପରାକୁ ଧ୍ୱଂସ କରାନଯାଉ। ଶ୍ରୀକ୍ଷେତ୍ର ପୁରୀ ଭଳି ଏଠାରେ ବି କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରାଯାଉ ବୋଲି ଦାବି ରଖିଛି ବିଜେପି। ମୟୂରଭଞ୍ଜ ଜିଲ୍ଲା (ପୂର୍ବ) ସଭାପତି କାନ୍ଦ୍ରା ସୋରେନଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ କର୍ମୀମାନେ ଘଣ୍ଟଘଣ୍ଟା ବଜାଇ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବାରିପଦାରେ ମହାପ୍ରଭୁଙ୍କ ଗୁଣ୍ଡିଚାଯାତ୍ରା ପାଳନ ଉପରେ ସରକାର ଅଙ୍କୁଶ ଲଗାଇବା ପରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ମହାପ୍ରଭୁଙ୍କୁ ବଡ଼ଦାଣ୍ଡରେ ଦର୍ଶନରୁ ବଞ୍ଚିତ ହେବାକୁ ଯାଉଛନ୍ତି ଶ୍ରଦ୍ଧାଳୁ। କିନ୍ତୁ ଜିଲ୍ଲାରେ କରୋନା ସଂକ୍ରମଣ ଶୀର୍ଷରେ ଥିଲା ବେଳେ ବିଜେଡି ଏଠାରେ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି କୋଭିଡ୍‌‌ କଟକଣାର ଖୋଲା ଉଲ୍ଲଂଘନ କରିଥିଲା। ଏବେ ବି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଶହ ଶହ କର୍ମକର୍ତ୍ତା ରୁଣ୍ଡ ହେଉଛନ୍ତି। ବିଜେଡିର ବଡ଼ ବଡ଼ ନେତା ଶହଶହ କର୍ମୀଙ୍କୁ ନେଇ ସମ୍ମିଳନୀ ଆୟୋଜନ କରୁଛନ୍ତି। ସରକାର ଓ ଜିଲ୍ଲା ପ୍ରଶାସନକୁ ଏହା ଦେଖାଯାଉନି। କିନ୍ତୁ ମହାପ୍ରଭୁଙ୍କ ଘୋଷଯାତ୍ରା ବେଳକୁ ସବୁ କଟକଣା ମନେପଡ଼ୁଛି। ତେଣୁ କୋଭିଡ୍‌ କଟକଣା ଭିତରେ ଏବଂ ବିନା ଭକ୍ତରେ ରଥଟଣା ପାଇଁ ଅନୁମତି ଦେଇ ବାରିପଦାର ଏହି ସମୃଦ୍ଧ ପରମ୍ପରାକୁ ବଞ୍ଚାଇ ରଖିବା ନିମନ୍ତେ ବିଜେପି ଅନୁରୋଧ କରିବା ସହ ବନ୍ଦ ରହିଥିବା ରଥ ନିର୍ମାଣ କାମକୁ ତୁରନ୍ତ ଆରମ୍ଭ କରିବାକୁ ଦାବି କରିଥିଲା।

ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ଇଂ. ବିଶେଶ୍ବର ଟୁଡ଼ୁ, ଜିଲ୍ଲା ସଭାପତି (ପଶ୍ଚିମ) ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ରାଜ୍ୟ ସମ୍ପାଦକ ନବୀନ ରାମ, ରାଜ୍ୟ ସ୍ଥାୟୀ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ସୁଗଦା ମୁର୍ମୁ, କବି ବିଷ୍ଣୁ ଶତପଥୀ, ପ୍ରଦୀପ ମହାନ୍ତି, ଲକ୍ଷ୍ମୀଧର ହାବଡ଼ା, ଲକ୍ଷ୍ମଣ ତ୍ରିପାଠୀ, ପ୍ରବୀଣ କୁମାର ପାତ୍ର, ବିଜୟ କୁମାର ଦାସ, ଦୀନେଶ ଦାସ, କୁମାର ମଙ୍ଗଳମ, ବିଜୟ କୁମାର ହୋତା, ଏମ୍‌ଡି ଅମିରୁଦ୍ଦିନ, ଶୋଭାବତୀ ଓତା, ମମତା ମଣ୍ଡଳ, ସସ୍ମିତା ପୃଷ୍ଟି, ମାନସୀ ତ୍ରିପାଠୀ, ସୁମନ ସିଂ, ଗାୟତ୍ରୀ ପରିଡ଼ା, ସ୍ୱର୍ଣ୍ଣଲତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର