ଭୁବନେଶ୍ୱର: କନ୍କ୍ଲେଭ୍ର ଅଧିବେଶନରେ ଗ୍ରୁପ୍ଏମ୍ ଇଣ୍ଡିଆର ସଭାପତି (ଇନ୍ଭେଷ୍ଟମେଣ୍ଟସ୍, ଟ୍ରେଡିଙ୍ଗ ଆଣ୍ଡ ପାର୍ଟନର୍ସିପ୍) ଅଶ୍ୱିନୀ ପଦ୍ମନାଭନ୍ ଯୋଗଦେଇ କହିଛନ୍ତି ଯେ ସାମାଜିକ ପ୍ରଭାବ ସୃଷ୍ଟି କରିବାରେ ଇନଫ୍ଲୁଏନସର୍ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଭାରତ ଭଳି ଏକ ଦେଶ ଯେଉଁଠାରେ ଜନସଂଖ୍ୟାର ପ୍ରାୟ ଅଧା ଲୋକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ସେଠାରେ ଏମାନଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ସେ କହିଲେ, ଦେଶର ୬୯.୨ କୋଟି ଇଣ୍ଟରନେଟ ବ୍ୟବହାର କରୁଥିବା ବେଳେ ସେଥିରୁ ୪୬.୭ କୋଟି ଲୋକ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି। ପ୍ରତିଦିନ ଲୋକମାନେ ଦିନକୁ ପ୍ରାୟ ଅଢେଇ ଘଣ୍ଟା ସୋସିଆଲ ମିଡିଆରେ ବିତାଉଛନ୍ତି। ଲୋକଙ୍କ ପାଖରେ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବାରେ ଇନଫ୍ଲୁଏନସର ମାନେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି।
ସହରାଞ୍ଚଳରେ ପ୍ରତି ଚାରି ଜଣରେ ଜଣେ ଇନଫ୍ଲୁଏନସରଙ୍କ କଥାରେ ପ୍ରଭାବିତ ହେଉଛନ୍ତି। ସେମାନଙ୍କ ସଂଖ୍ୟା ମଧ୍ୟ ବହୁତ୍ ଅଧିକ। ଭାରତରେ ଇନଫ୍ଲୁଏନସର ମାର୍କେଟିଙ୍ଗର ବଜାର ବର୍ତ୍ତମାନ ୧୨୭୫ କୋଟି ଟଙ୍କା ରହିଛି ଏବଂ ବାର୍ଷିକ ୨୫ ପ୍ରତିଶତ ହାରରେ ଏହା ଆଗକୁ ବଢୁଛି। ୨୦୨୬ ସୁଦ୍ଧା ଏହି ବଜାର ୨୮୦୦ କୋଟି ହୋଇଯିବ ବୋଲି ଆକଳନ କରାଯାଉଛି। ଏହି ଅବସରରେ ସେ କହିଛନ୍ତି ସାମାଜିକ ଗଣମାଧ୍ୟମର ସଠିକ୍ ଉପଯୋଗ ଜରୁରୀ। ସମସ୍ତଙ୍କୁ ଇନଫ୍ଲୁଏନସର ଭୂମିକା ନିର୍ବାହ କରିବାକୁ କହିଛନ୍ତି।