ନିଆଳି : କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ସିଏଚ୍ସିରେ ଶଯ୍ୟା ନଥିବାରୁ ଅଟୋ ମଧ୍ୟରେ ରୋଗୀ ଚିକିତ୍ସା କରାଯାଇଛି। ନିଆଳି ନିକଟସ୍ଥ ପୁବଖଣ୍ତ ବସ୍ତିର ସେଖ୍ ସାଜିଦ୍ ତାଙ୍କ ବାପାଙ୍କୁ ଚିକିତ୍ସା ପାଇଁ ନିଆଳି ସିଏଚ୍ସିକୁ ଆଣିଥିଲେ। କିନ୍ତୁ, ଶଯ୍ୟା ଅଭାବରୁ ଅଟୋ ଭିତରେ ମୋବାଇଲ୍ ଆଲୁଅରେ ସାଲାଇନ୍ ଓ ଇଞ୍ଜେକ୍ସନ୍ ଦିଆଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ୩ ଶହରୁ ଅଧିକ ରୋଗୀ ସ୍ବାସ୍ଥ୍ୟସେବା ପାଇଁ ଆସିଥା’ନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ପ୍ରତୀକ୍ଷିତ ଆଧୁନିକ ପ୍ରସୂତି କେନ୍ଦ୍ର ନିର୍ମାଣ ପାଇଁ ମୁଖ୍ୟ କୋଠାକୁ ଭାଙ୍ଗି ଦିଆଯାଇଛି। ମାସ ପରେ ମାସ ବିତି ଯାଇଥିଲେ ମଧ୍ୟ ରୋଗୀଙ୍କ ଚିକିତ୍ସା ଲାଗି ବିକଳ୍ପ ବ୍ୟବସ୍ଥା କରାଯାଇ ନଥିବାରୁ ରୋଗୀ ସେବା ପ୍ରଭାବିତ ହେଉଛି। ୩ବର୍ଷ ଭିତରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ, ରୋଗୀଙ୍କ ଚିକିତ୍ସା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ ନାହିଁ। ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏସ୍. ନବୀନଙ୍କୁ ପଚାରିବାରୁ ଜରୁରିକାଳୀନ ବିଭାଗ ଓ ପ୍ରସୂତି ବିଭାଗର ୩୦ରୁ ଅଧିକ ଶଯ୍ୟା ରହିଥିବା ବେଳେ ଏବେ ଘର ଭଙ୍ଗା ଯାଇଥିବାରୁ ମାତ୍ର ୨ଟି ଶଯ୍ୟା ରହିଛି। ସେଠାରେ ଗୁରୁତର ରୋଗୀ ଚିକିତ୍ସାଧୀନ ଥିବାବେଳେ ଆଉ ଶଯ୍ୟା ନଥିବାରୁ ବାଧ୍ୟ ହୋଇ ଅଟୋ ଭିତରେ ରୋଗୀଙ୍କୁ ସାଲାଇନ୍ ଓ ଇଞ୍ଜେକ୍ସନ୍ ଦେବାକୁ ପଡ଼ିଲା ବୋଲି କହିଥିଲେ। ତେବେ, ଜରୁରିକାଳୀନ ୱାର୍ଡ ଓ ପ୍ରସୂତି ୱାର୍ଡ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ବ୍ୟବସ୍ଥା ହୋଇ ନଥିବା କଥା ସେ କହିଥିଲେ।