ସ୍ତ୍ରୀର ଚରିତ୍ରକୁ ନେଇ ଅସୁରକ୍ଷିତ ସ୍ବାମୀ ଥାନାରେ: ଫେସ୍ବୁକ୍ରୁ ପ୍ରେମ, ପରେ ବିବାହ, ଏବେ ପ୍ରତାରଣା
ମର୍କତନଗର ଥାନାରେ ବୟାନ ରେକର୍ଡ କଲା ପୁଲିସ୍
କଟକ: ପ୍ରଥମେ ଫେସ୍ବୁକ୍ରୁ ପ୍ରେମ ଓ ତା ପରେ ଦୁଇ ପରିବାର ସହମତିକ୍ରମେ ବିବାହ ହେଲା। ହେଲେ ସ୍ତ୍ରୀର ଚରିତ୍ରକୁ ନେଇ ସ୍ବାମୀ ଅତିଷ୍ଠ ହୋଇପଡ଼ିଲା। ଶାଶୂ ଶ୍ବଶୁରଙ୍କୁ ବୋହୂ ବାରମ୍ବାର ଅପମାନ ଦେଲା। ଏବେ ସ୍ବାମୀକୁ ରାସ୍ତାରୁ ହଟାଇଦେବାକୁ ସ୍ତ୍ରୀ ଚକ୍ରାନ୍ତ କରୁଛି। ଏଭଳି ଅଭିଯୋଗ ନେଇ ମାମଲା ପହଞ୍ଚିଛି ମର୍କତନଗର ଥାନାରେ। ଅଭିଯୋଗକାରୀ ସ୍ବାମୀ ମୋହିତ ଶର୍ମା ଏବେ ସ୍ତ୍ରୀର ଧମକ ଯୋଗୁଁ ଭୟରେ ଥିବାବେଳେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ପୁଲିସ୍ରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇ ଆଜି ତାଙ୍କର ବୟାନ ରେକର୍ଡ କରାଯାଇଛି।
ମୋହିତଙ୍କ ସୂଚନା ଅନୁଯାୟୀ, ଗତବର୍ଷ ଫେସ୍ବୁକ୍ରେ ସେ ନୂଆ ଆକାଉଣ୍ଟ ଖୋଲିବାବେଳେ ଅନେକ ଲୋକଙ୍କ ପାଖକୁ ଫ୍ରେଣ୍ତ ରିକ୍ବେଷ୍ଟ ପଠାଇଥିଲେ। ଦିନେ ଜଣେ ଯୁବତୀଙ୍କ ଆକାଉଣ୍ଟରୁ ତାଙ୍କ ପାଖକୁ ‘ହାଏ ମେସେଜ ଆସିଥିଲା। ଉକ୍ତ ଯୁବତୀଙ୍କ ସହ ଚାଟି˚ କରିବା ପରେ ଉଭୟଙ୍କ ମଧ୍ୟରେ ଫେସ୍ବୁକ୍ରୁ ବନ୍ଧୁତା ଆରମ୍ଭ ହୋଇଥିଲା। ନଭେମ୍ବର ୨୫ ତାରିଖରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। କିନ୍ତୁ ମୋହିତଙ୍କ ସହ କୌଣସି ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କ ସ୍ତ୍ରୀ ମନା କରୁଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଗତ ୧୩ ତାରିଖରେ ସ୍ତ୍ରୀଙ୍କର କିଛି ଜଣାଶୁଣା ଲୋକଙ୍କ ପକ୍ଷରୁ ମୋହିତଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସେ ଗଲା ୧୪ ତାରିଖରେ ଅଫିସ୍ରୁ ଘରକୁ ଆସି ଦେଖିବା ବେଳକୁ ଘରେ ତାଲା ପଡ଼ିଥିଲା। ପ୍ରାୟ ୮ଘଣ୍ଟା ପରେ ଚାବି ରଖାଯାଇଥିବା ସ୍ଥାନ ବିଷୟରେ ତାଙ୍କ ସ୍ତ୍ରୀ ତାଙ୍କୁ ଜଣାଇଥିଲେ।
ମୋହିତଙ୍କ ପରିବାର ଲୋକେ ଏବେ ରାଜସ୍ଥାନରେ ରହୁଥିବାବେଳେ ସେ ଏଠାରେ କ୍ୟାଣ୍ଟନମେଣ୍ଟ ରୋଡ୍ ସ୍ଥିତ ଏକ ଷ୍ଟୋର୍ରେ ଷ୍ଟୋର ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ସିଡିଏ ସେକ୍ଟର ୭ରେ ମୋହିତ ଏକ ଘର ନେଇ ରହୁଥିବାରୁ ଏବେ ଏକୁଟିଆ ହୋଇ ପଡ଼ିଛନ୍ତି। ଅନେକ ସମୟରେ ତାଙ୍କ ପାଖକୁ ଅଜଣା ବ୍ୟକ୍ତି ଫୋନ୍ କରି ଧମକ ଦେଉଛନ୍ତି। ତେଣୁ ଜୀବନପ୍ରତି ଭୟ ଥିବାରୁ ସେ ପଡ଼ିଶା ଲୋକଙ୍କ ଘରେ ଆଶ୍ରୟ ନେଇଛନ୍ତି। ବିବାହ ପୂର୍ବରୁ ତାଙ୍କ ସ୍ତ୍ରୀ ଭୁବନେଶ୍ବରରେ ରହୁଥିବା ବେଳେ ଅନେକ ପୁରୁଷଙ୍କ ସହିତ ତାଙ୍କର ସମ୍ପର୍କ ଥିବା ମୋହିତ ଅଭିଯୋଗ କରିଛନ୍ତି। ଏବେ ତାଙ୍କ ସ୍ତ୍ରୀ ସହିତ ରହିଲେ ଜୀବନପ୍ରତି ଭୟ ରହିଛି ଓ ପରିବାରର ସମ୍ମାନ ହାନି ହେଉଛି। ତେଣୁ ମୋହିତ ଛାଡ଼ପତ୍ର ଦେବା ପାଇଁ ଚାହୁଁଥିବା ବେଳେ ତାଙ୍କ ସ୍ତ୍ରୀ ବିରୋଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।