ଚଣ୍ଡିଖୋଲ, (ଭକ୍ତଚରଣ ସାହୁ): ପଥର ମୂର୍ତ୍ତି ନିର୍ମାଣ ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ହାତରେ ନିହାଣ ଓ ମୁଗୁରର ଠୁକ୍ ଠୁକ୍ ଶବ୍ଦ ମଧ୍ୟରେ ପଥର ସବୁ ବିଭିନ୍ନ ମୂର୍ତ୍ତିର ଆକାର ପାଉଛି। ଯୁବଶିଳ୍ପୀଙ୍କ ହାତ ସ୍ପର୍ଶରେ ପଡ଼ିରହିଥିବା ପଥର ସବୁ କାରୁକାର୍ଯ୍ୟ ଭରା ଆକର୍ଷଣୀୟ ହେବା ସହ ଜୀବନ୍ତ ହୋଇଉଠୁଛି। ଗଢ଼ା ହେଉଛି ବିଭିନ୍ନ ଦେବଦେବୀଙ୍କ ସୁନ୍ଦର ମୂର୍ତ୍ତି। ବର୍ତ୍ତମାନ ସମୟରେ ଆମ ରାଜ୍ୟ ତଥା ଦେଶବିଦେଶରେ ପଥର ମୂର୍ତ୍ତିର ବେଶ୍ ଚାହିଦା ରହିଛି। ଏହା ଯୁବଶିଳ୍ପୀଙ୍କ ଜୀବିକା ଅର୍ଜନର ପନ୍ଥା ପାଲଟିଛି।
ବଡ଼ଚଣା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ମୂର୍ତ୍ତିଶାଳରେ ଯୁବପିଢ଼ି ସଂପ୍ରତି ନିଜନିଜ କାରିଗରୀ କୌଶଳ ଦେଖାଇବାରେ ନିମଗ୍ନ। ଶିଳ୍ପୀଗ୍ରାମ ଭାବେ ପରିଚିତ ବଡ଼ଚଣାର ଶୁଖୁଆପଡ଼ା ଗ୍ରାମରେ ୧୦ ରୁ ଅଧିକ ମୂର୍ତ୍ତିଶାଳ ରହିଛି। ଶୁଖୁଆପଡ଼ାକୁ ବାଦ୍ ଦେଲେ ବଡ଼ଚଣାର ଛତିଆ, ବନ୍ଦରେଶ୍ଵର, କଳାଶ୍ରୀ, ଗୋପାଳପୁର, ବଡ଼ଚଣା, କୋଲସାହିପାଟଣା, ପତରାଜପୁର ଓ ଚଣ୍ଡିଖୋଲ ସମେତ ବିଭିନ୍ନ ସ୍ଥାନରେ ୪୦ ରୁ ଅଧିକ ପଥର ମୂର୍ତ୍ତିଶାଳ ରହିଛି। ଏହି ସବୁ ସ୍ଥାନରେ ୨୦୦ରୁ ଅଧିକ ଯୁବକ କାମ କରୁଛନ୍ତି। ଏଥିସହିତ ବଡ଼ଚଣା ଅଞ୍ଚଳର ବହୁ ଯୁବଶିଳ୍ପୀ ରାଜସ୍ଥାନ ଓ ଗୁଜରାଟର ବିଭିନ୍ନ ସ୍ଥାନରେ ଥିବା ପଥର ମୂର୍ତ୍ତି ନିର୍ମାଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
ଯୁବ କାରିଗରଙ୍କୁ ପ୍ରୋତ୍ସାହନ ସ୍ବରୂପ ରାଜ୍ୟ ସରକାର କୁଟୀର ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପଥର ମୂର୍ତ୍ତି ନିର୍ମାଣସ୍ଥଳ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏଥିପାଇଁ ଋଣ ମଧ୍ୟ ଯୋଗାଇ ଦିଆଯାଉଛି। ସେହିପରି ବିଭିନ୍ନ ମେଳା ମହୋତ୍ସବରେ ହସ୍ତଶିଳ୍ପ ପ୍ରଦର୍ଶନ ଆୟୋଜନ କରାଯାଇ ମୂର୍ତ୍ତି ପ୍ରଦର୍ଶନ ଓ ବିକ୍ରି ବ୍ୟବସ୍ଥା କରାଯାଉଛି। ଏସବୁ ଭିତରେ ଏବେ ଗୋଟିଏ ବଡ଼ ସମସ୍ୟା ହୋଇଛି ମୂର୍ତ୍ତି ପଥର ବା କଞ୍ଚାମାଲ୍ ଅଭାବ। ଏହି ସଙ୍କଟ ଗତ ୭/୮ ବର୍ଷ ହେବ ବଡ଼ଚଣା ଅଞ୍ଚଳରେ ଦେଖିବାକୁ ମିଳୁଛି।
ଯଦିଓ ବଡ଼ଚଣା ଅଞ୍ଚଳରେ ମୂର୍ତ୍ତିପଥର ଆଦୌ ଅଭାବ ନାହିଁ, କିନ୍ତୁ କଟକଣା ରହିଛି। ଛତିଆ, ବଡ଼ଚଣା, ଚଣ୍ଡିଆ ଓ ଶୁଖୁଆପଡ଼ା ଆଦି ପାହାଡ଼ରେ ମୂର୍ତ୍ତି ପଥର ରହିଥିବା ବେଳେ ପଥର କାଟିବା ପାଇଁ ସରକାର ପ୍ରତିବନ୍ଧ ଲଗାଇଛନ୍ତି। ବହୁ କଷ୍ଟରେ ସୁଦୂର ରାଜସ୍ଥାନରୁ ପଥର ମଗାଇ ଶିଳ୍ପୀମାନେ ଏଠାରେ ମୂର୍ତ୍ତି ନିର୍ମାଣ କରୁଛନ୍ତି। ଏହା ଅଧିକ ବ୍ୟୟବହୁଳ ହେଉଛି। ଏ ସଂପର୍କରେ ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ଛତିଆ ଅଞ୍ଚଳର ମହେଶ୍ୱର ଓଝା କୁହନ୍ତି ଯେ ରାଜ୍ୟ ସରକାର ଯଦି ମୂର୍ତ୍ତିପଥର ଯୋଗାଇଦେବା ପାଇଁ ବ୍ୟବସ୍ଥା କରନ୍ତି ତେବେ ଯୁବ ଶିଳ୍ପୀମାନେ ଅଧିକ ଆଗ୍ରହ ପ୍ରକାଶ କରନ୍ତେ।