ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ଘଳିଆ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସୁରକ୍ଷାକୁ ଭେଦକରି ରୋହିତ ଜୟଶ୍ବାଲ ନାମକ ଯୁବକ ଶ୍ରୀମନ୍ଦିର ଭିତର ବେଢ଼ାରେ ମୋବାଇଲ୍‌ରେ ଭିଡିଓ କରି ନିଜ ଇନ୍‌ଷ୍ଟାଗ୍ରାମ ସାଇଟ୍‌ରେ ଏହାକୁ ଛାଡ଼ିଛନ୍ତି। ମାଳ ମାଳ ପୁଲିସ ପହରା ଭିତରେ ଯୁବକ ଜଣକ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ ନେବା ଓ ଭିଡିଓ ଉତ୍ତୋଳନ କରି ଏହାକୁ ନିଜ ଇନ୍‌ଷ୍ଟାଗ୍ରାମରେ ରିଲ୍‌ କରି ଛାଡ଼ିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଠିଆ କରିଛି। ତେବେ, ଅଭିଯୁକ୍ତ ବିରୋଧରେ ପୁଲିସ ସିଂହଦ୍ବାର ଥାନାରେ ମାମଲା ରୁଜୁ କରିଛି। ଏହି ମାମଲାର ଅଭିଯୁକ୍ତକୁ ଆସନ୍ତା ୩ ତାରିଖ ଦିନ ସିଂହଦ୍ବାର ଥାନାରେ ହାଜର ହେବାପାଇଁ ନୋଟିସ କରିଥିବା ପୁଲିସ କହିଛି।

Advertisment

ଶ୍ରୀମନ୍ଦିରକୁ ଏବେ କ୍ୟାମେରା ଥିବା ମୋବାଇଲ୍‌ ଫୋନ୍‌ ନେବାର କଟକଣା ଲାଗିଛି। ପୂର୍ବରୁ ଭକ୍ତଙ୍କ କ୍ଷେତ୍ରରେ କଟକଣା ଥିଲା। ଏବେ ପୁଲିସ, ସେବାୟତ, ଶ୍ରୀମନ୍ଦିର କର୍ମଚାରୀଙ୍କ କ୍ଷେତ୍ରରେ ଏହି କଟକଣା ଲଗାଯାଇଛି। ଶ୍ରୀମନ୍ଦିରକୁ ଯିବାପୂର୍ବରୁ ଭକ୍ତଙ୍କୁ ଯାଞ୍ଚ କରି ଛାଡ଼ିବା ପାଇଁ ସିଂହଦ୍ବାରରେ ମାଳ ମାଳ ପୁଲିସ ଜଗୁଛନ୍ତି। ଏହାସତ୍ତ୍ବେ ରୋହିତ ଜୟଶ୍ବାଲ ନାମକ ଯୁବକ ମୋବାଇଲ୍‌ ନେଇ ଭିଡିଓ ଉତ୍ତୋଳନ କରିଛନ୍ତି। ଭିଡିଓରୁ କିଛି ସାଙ୍ଗଙ୍କ ସହ ରୋହିତ ଶ୍ରୀମନ୍ଦିର ଯାଇଥିବା ଜଣାପଡ଼ୁଛି। ନିଜେ ପତିତପାବନ ବାନାଙ୍କୁ ମୁଣ୍ଡିଆ ମାରିବା ବେଳେ କେହି ସାଙ୍ଗ ଅବା ପରିଚିତ ବ୍ୟକ୍ତି ତାଙ୍କର ଭିଡିଓ ଉତ୍ତୋଳନ କରିଛନ୍ତି। ଏହି ଭିଡିଓ ସୂର୍ଯ୍ୟମନ୍ଦିର ପାଖରୁ କରାଯାଇଥିବା ଅନୁମାନ କରାଯାଉଛି।

ମା’ ଲକ୍ଷ୍ମୀଙ୍କ ମନ୍ଦିର ସମ୍ମୁଖରେ ଛିଡ଼ାହୋଇ ସୂର୍ଯ୍ୟମନ୍ଦିର ପାଖରୁ ଭିଡିଓ ଉତ୍ତୋଳନ କରାଯାଇଥିବାର ଫଟୋରୁ ଜଣାପଡ଼ୁଛି।

publive-image

ଭିଡିଓ ଉତ୍ତୋଳନ ପରେ ଏହାକୁ ଭିଡିଓ କରି ସୋସିଆଲ୍‌ ମିଡିଆରେ ରୋହିତ ଛାଡ଼ିଥିବା ଦେଖିବାକୁ ମିଳିଛି। ଭିଡିଓରୁ ଶ୍ରୀଗୁଣ୍ଡିଚା ଯାତ୍ରା ପରେପରେ ଏହି ଭିଡିଓ ଉତ୍ତୋଳନ କରାଯାଇଥିବା ଅନୁମାନ କରାଯାଉଛି। ଭିଡିଓ ରିଜଲ୍ୟୁସନ୍‌ ଅଧିକ ଥିବାରୁ ମୋବାଇଲ୍‌ କି କୌଣସି କ୍ୟାମେରାରେ ଯୁବକ ଜଣକ ଭିଡିଓ ଉତ୍ତୋଳନ କରିଛନ୍ତି, ତାହା ବି ସନ୍ଦେହ ଘେରରେ ରହିଛି। ଏ ଦିଗରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଭକ୍ତ ମହଲ ଦାବି କରିଛନ୍ତି।

ସେହିପରି, ଆଡ଼ପ ମଣ୍ଡପରେ ଅଧିଷ୍ଠିତ ଚତୁର୍ଦ୍ଧା ବିଗ୍ରହଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଡ଼ା ସୁରକ୍ଷା ବଳୟ ଭେଦକରି କେହି ଅମାନିଆ ବ୍ୟକ୍ତି ଫଟୋ ଉଠାଇବା ସହ ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରିଛି। ଏହା କେଉଁଦିନର ଫଟୋ ଜଣା ପଡ଼ିନଥିଲେ ମଧ୍ୟ ସେୟାର ହୋଇଥିବା ଫଟୋ ତଳେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ବୋଲି ଉଲ୍ଲେଖ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଏକ ହ୍ବାଟ୍ସଆପ୍‌ ଗ୍ରୁପରେ ଉକ୍ତ ଫଟୋଟି ପକାଇବା ସହ ବ୍ୟକ୍ତି ଜଣକ ଏହା ଆଡ଼ପ ମଣ୍ଡପର ଦୃଶ୍ୟ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଗତ ନଭେମ୍ବର ୨୦୨୨ ମସିହାରେ ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଫଟୋ ଭାଇରାଲ୍‌ ହୋଇଥିଲା। ଏହି ଘଟଣାରେ ଫଟୋ ଭାଇରାଲ୍‌ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତେବେ ଏଥିରୁ ଚେତିଲେ ନାହିଁ। ଫଟୋ ଯେ କେବଳ ହ୍ବାଟ୍ସଆପ୍‌ ଗ୍ରୁପରେ ସେୟାର ହେଉଛି ତାହା ନୁହେଁ, ବରଂ ଅନେକ ଏହି ଫଟୋକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେୟାର କରୁଥିବା ଜଣାପଡ଼ିଛି।