ଶେଷ ହେଲା ଇଣ୍ଟରପୋଲ ଯୁବ ବୈଶ୍ୱିକ ନେତୃତ୍ୱ କାର୍ଯ୍ୟକ୍ରମ

ଭୁବନେଶ୍ବର : ଇଣ୍ଟରପୋଲ ଯୁବ ବୈଶ୍ୱିକ ପୁଲିସ ନେତୃତ୍ୱ କାର୍ଯ୍ୟକ୍ରମ (ୱାଇଜିପିଏଲପି)ର ସମାବର୍ତ୍ତନ ସମାରୋହ ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ ଉଦବୋଧନ ଦେଇ ବୈଶ୍ୱିକ ଅପରାଧିକ ଦୃଶ୍ୟପଟରେ ପୁଲିସ ସଂସ୍ଥାଗୁଡ଼ିକ ମଧ୍ୟରେ ଆନ୍ତର୍ଜାତିକ ସହଯୋଗର ଅପରିହାର୍ଯ୍ୟତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବ୍ୟାପକ ଆନ୍ତର୍ଜାତିକ ଆବଶ୍ୟକତା ପରିପ୍ରେକ୍ଷୀରେ ଯୁବ ପୁଲିସ ଅଧିକାରୀଗଣ ବିନମ୍ରତାର ସହ ନେତୃତ୍ୱ ନେବାକୁ ସେ ତାଙ୍କ ଭାଷଣରେ ଉତ୍ସାହିତ କରିଥିଲେ। ତୃତୀୟ ଇଣ୍ଟରପୋଲ ଯୁବ ବୈଶ୍ୱିକ ପୁଲିସ ନେତୃତ୍ୱ କାର୍ଯ୍ୟକ୍ରମ (ୱାଇଜିପିଏଲପି) ଜାତୀୟ ରାଜଧାନୀ ଦିଲ୍ଲୀ, ଗୁଜରାଟ ଓ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଠାରେ ଜାନୁଆରି ୨୫ରୁ ଫେବ୍ରୁଆରି ଦୁଇ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆନ୍ତର୍ଜାତିକ ଗୁରୁତ୍ୱ ପରିପ୍ରେକ୍ଷୀରେ ଭାବି ପିଢ଼ିକୁ ଆନ୍ତର୍ଜାତିକ ପୁଲିସ ନେତୃତ୍ୱ ଦେଇ ସଶକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ୪୪ଟି ଦେଶର ୫୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ସୀମା ସରହଦ ନିର୍ବିଶେଷରେ କ୍ରମବର୍ଦ୍ଧିଷ୍ଣୁ ଆନ୍ତର୍ଜାତିକ ଅପରାଧିକ ଜଟିଳତା ଦୃଷ୍ଟିରୁ ସହଯୋଗ ପୁଲିସ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ ଚିହ୍ନଟ, ବିଶ୍ଳେଷଣ, ବୈଶ୍ୱିକ ଅପରାଧିକ ତଦନ୍ତରେ ଆସ୍ଥାଭାଜନ ହେବା ଓ ଆନ୍ତର୍ଜାତିକ ସହଯୋଗର ଇଣ୍ଟରପୋଲର ଭୂମିକା ଖୁବ୍ ଗୁରୁତ୍ୱ ବହନ କରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ଅଂଶଗ୍ରହଣକାରୀମାନେ ପୁଲିସ କାର୍ଯ୍ୟରେ ନୂତନ ଆହ୍ୱାନ, ଆଇନ କାର୍ଯ୍ୟକାରିତା, ନାଗରିକଙ୍କ ଆସ୍ଥାଭାଜନ ଓ କ୍ରମବର୍ଦ୍ଧିଷ୍ଣୁ ଡିଜିଟାଲ ବିଶ୍ୱରେ ଅପରାଧ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା କରିଥିଲେ । ଏଥିରେ ଅନ୍ୟାନ୍ୟ ଆଇନ ତ୍ୱରାନ୍ୱିତ କରିବା ସଂସ୍ଥା ମଧ୍ୟରେ ସମନ୍ୱୟ ସହ ବୁଦ୍ଧିଜୀବୀ, ନୀତି ନିର୍ଦ୍ଧାରକ ଓ ବୈଷୟିକ ଓ ଅନ୍ୟାନ୍ୟ ଘରୋଇ ସଂସ୍ଥା ସହ ସହଯୋଗ ନେଇ ମଧ୍ୟ ଆଲୋଚନା ହୋଇଛି। ଇଣ୍ଟରପୋଲ ମହାସଚିବ ଯୁଗେନ ଷ୍ଟୋକ ମଧ୍ୟ ଆଭାସୀ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ନଅଦିନ ବ୍ୟାପୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଅନ୍ୟାନ୍ୟ ବିଷୟ ମଧ୍ୟରେ ସମୃଦ୍ଧ ବୃତ୍ତିଗତ ସାମର୍ଥ୍ୟ, ନବୋନ୍ମେଷ, ଭାରତୀୟ ପୁଲିସ ଦ୍ୱାରା ଅନୁସୃତ ଶ୍ରେଷ୍ଠ ପଦ୍ଧତି ଉପରେ ମଧ୍ୟ ଅବଗତ ହୋଇଥିଲେ।

ସମ୍ବନ୍ଧିତ ଖବର