ଉପନିର୍ବାଚନ ଫଳାଫଳକୁ ନେଇ ତର୍ଜମ‌ା ଆରମ୍ଭ: କାମ ଦେଲାନି ମା’-ପୁଅ ସଂପର୍କ!

କାମ ଦେଲାନି ଅନୁକମ୍ପା, କେନ୍ଦ୍ରମନ୍ତ୍ରୀଙ୍କ କ୍ରେଜ୍‌

ବାଲେଶ୍ବର: ବାଲେଶ୍ବର ଉପନିର୍ବାଚନ ପାଇଁ ବିଜେପି ଅନୁକମ୍ପା ଭୋଟ୍‌ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଭାବମୂର୍ତ୍ତିକୁ ଭରସା କରିଥିଲା। ବିଧାୟକ ମଦନମୋହନଙ୍କ ଅକାଳ ବିୟୋଗଜନିତ ଅନୁକମ୍ପା ହାତେଇବାକୁ ବିଜେପି ତାଙ୍କ ପୁଅ ମାନସ ଦତ୍ତଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା। ରାଜନୀତିରେ ନୂଆ ମୁହଁ ହୋଇଥିଲେ ବି ମାନସଙ୍କ ସାଙ୍ଗଠନିକ ଦକ୍ଷତା ଓ ପ୍ରଚାରଶୈଳୀ ଭୋଟରଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ବାପାଙ୍କ ମୃତ୍ୟୁ ପରଠାରୁ ସେ ପ୍ରତ୍ୟେକ ଗାଁ ଓ ସହରର ସବୁ ୱାର୍ଡ ବୁଲି ନିଜ ପାଇଁ ସମର୍ଥନ ଯୋଗାଡ଼ କରୁଥିଲେ। ସେପଟେ ଜିଲ୍ଲାର ସାଂସଦ ‌ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିର୍ମଳ ଭାବମୂର୍ତ୍ତି ଏହି ଉପନିର୍ବାଚନରେ କାମରେ ଆସିବ ବୋଲି ଆଶା କରାଯାଇଥିଲା। ସେଥିପାଇଁ ପ୍ରାର୍ଥିପତ୍ର ଦାଖଲଠାରୁ ପ୍ରଚାର ସରିବା ପର୍ଯ୍ୟନ୍ତ ଶ୍ରୀ ଷଡ଼ଙ୍ଗୀ ମାନସଙ୍କ ଲାଗି ଦିନରାତି ଏକ କରି ପ୍ରଚାର କରିଥିଲେ। ହେଲେ ଶାସକ ବିଜେଡିର ସୁଚିନ୍ତିତ ରଣକୌଶଳ ଆଗରେ ଏସବୁ ଫେଲ୍‌ ମାରିଯାଇଥିଲା। ନିର୍ବାଚନ ରଣନୀତିରେ କୋଉଟି ତ୍ରୁଟି ରହିଲା, ବିଜେପି ତାର ଏବେ ସମୀକ୍ଷା କରୁଛି।

ବିଜେଡିକୁ ଜିତାଇଲା କଂଗ୍ରେସ, ସଂଖ୍ୟାଲଘୁ ଭୋଟ୍‌
ରାଜ୍ୟରେ ବିଜେଡି ଯଦିଓ ଶାସନରେ ରହିଛି ତେବେ ବାଲେଶ୍ବର ଉପନିର୍ବାଚନରେ ଦଳ ଜିତିବାର କାରଣ କଂଗ୍ରେସ ଓ ସଂଖ୍ୟାଲଘୁ ଭୋଟ୍‌ ବୋଲି କୁହାଯାଉଛି। ଗତ ସାଧାରଣ ନିର୍ବାଚନରେ ସଦର ଆସନରୁ କଂଗ୍ରେସ ୧୯୭୦୪ ଭୋଟ୍‌ ପାଇଥିବାବେଳେ ଚଳିତ ଉପନିର୍ବାଚନରେ ପାଇଛି ୪୯୮୩ ଭୋଟ। ଦଳ ଯେଉଁସବୁ ବୁଥ୍‌ରେ ଏହି ଭୋଟ ପାଇଥିଲା, ସେଠାରେ ଏଥର ବିଜେଡି ଭୋଟ ଅଧିକ ରହିଥିବା ଦେଖାଯାଇଛି। ସେହିପରି ଗତ ନିର୍ବାଚନରେ ଶ୍ରୀକୋଣା, ଚାନ୍ଦିପୁର, ବାଲେଶ୍ବର ପୌରପାଳିକାର କିଛି ୱାର୍ଡରେ ସଂଖ୍ୟାଲଘୁ ଭୋଟ ପାଇବାରେ ବିଜେପି ସଫଳ ହୋଇଥିବା ବେଳେ ଏଥର ସେସବୁ ସ୍ଥାନରେ କଂଗ୍ରେସ ଓ ବିଜେପିକୁ ବହୁ ପଛରେ ପକାଇଛି ବିଜେଡି। ତେଣୁ କଂଗ୍ରେସ ଓ ସଂଖ୍ୟାଲଘୁ ଭୋଟ୍‌ ବିଜେଡିକୁ ବିଜୟ କରିବାରେ ସହାୟତା କରିଥିବା ଆଲୋଚିତ ହେଉଛି।

ବିଜେପି ଭୋଟ୍‌ କମିଲା, କିଏ ଦାୟୀ?
ବାଲେଶ୍ବର ଉପନିର୍ବାଚନରେ ବିଜେପି ୧୩ ହଜାର ୩୫୧ ଭୋଟରେ ବିଜେଡିଠାରୁ ହାରିଛି। ଗତ ସାଧାରଣ ନିର୍ବାଚନରେ ବିଜେପିର ମଦନମୋହନ ଦତ୍ତ ବିଜେଡି ପ୍ରାର୍ଥୀଙ୍କୁ ୧୩ ହଜାର ୫୦୪ ଭୋଟରେ ହରାଇଥିଲେ। ଏଥର ମଦନମୋହନଙ୍କ ପୁଅ ମାନସ ପାଇଛନ୍ତି ୭୦ ହଜାର ୭୪୬ ଭୋଟ। ଉପନିର୍ବାଚନରେ ବିଜେପି ପାଖାପାଖି ୪ ପ୍ରତିଶତ ଅର୍ଥାତ୍‌ ୪ ହଜାର ଭୋଟ୍‌ ହରାଇଥିବା ଜଣାପଡ଼ିଛି। ଯଦିଓ ବିଜେଡି ଅଧିକ ବ୍ୟବଧାନରେ ଜିତିପାରିନାହିଁ, କିନ୍ତୁ ବିଜେପି ଅକ୍ତିଆରରେ ଥିବା ଏହି ଆସନରୁ ୪ ହଜାର ଭୋଟ୍‌ ନେଇଯିବାରେ ସକ୍ଷମ ହୋଇଛି। ଯାହାକୁ ନେଇ ବିଜେପି ମହଲରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ତେବେ ଗ୍ରାମାଞ୍ଚଳରେ ଦଳ ନିଜର ଗଡ଼ ଜଗି ନ ପାରିବା, ନିର୍ବାଚନ ପରିଚାଳନାରେ ନେତାଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟର ଅଭାବ ଓ ଦେଢ଼ବର୍ଷ ଭିତରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ବାଲେଶ୍ବରରେ କୌଣସି ଆଖିଦୃଶିଆ କାମ କରାଯାଇନଥିବା ଆଦିଏହାର କାରଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କଟକ/ଜଗତସିଂହପୁର ଟାଉନ: ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ ବିଜୟ ବ୍ୟବଧାନରେ ନିର୍ବାଚନମଣ୍ଡଳୀର ସର୍ବକାଳୀନ ରେକର୍ଡ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କର ବାପା ସ୍ବର୍ଗତ ବିଷ୍ଣୁ ଦାସ ଯେତିକି ବ୍ୟବଧାନରେ ବିଜୟୀ ହୋଇଥିଲେ, ତା’ଠାରୁ ବି ସେ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ପାରିଛନ୍ତି। କିନ୍ତୁ ବିଜେଡି ଓ ବ‌ିଜେପି ପ୍ରାର୍ଥୀଙ୍କ ମୋଟ ଭୋଟ ପରିମାଣ ୨୦୧୯ ତୁଳନାରେ ହ୍ରାସ ପାଇଛି। ୨୦୧୯ ତୁଳନାରେ ଉପନିର୍ବାଚନରେ କମ ପୋଲିଂ ହୋଇଥିବାରୁ ଏହାକୁ ଅବଶ୍ୟ ତା ସହ ଯୋଡ଼ି ଦେଖାଯାଉଛି। ଅନ୍ୟପଟେ କିନ୍ତୁ କଂଗ୍ରେସର ଭୋଟ ୨୦୧୯ ତୁଳନାରେ ବୃଦ୍ଧି ପାଇଛି। ତିର୍ତ୍ତୋଲ ଉପନିର୍ବାଚନରେ ସବୁଠୁ ବଡ ପ୍ରସଙ୍ଗ ଥିଲା ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ। ପୂର୍ବରୁ ରହି ଆସିଥିବା ବିଷ୍ଣୁ-ରାଜଶ୍ରୀ ବିବାଦ ଉପନିର୍ବାଚନରେ କି ପ୍ରଭାବ ପକାଇବ, ତାହାକୁ ନେଇ ମୂଳରୁ ଆଶଙ୍କା ଥିଲା। କିନ୍ତୁ ବିଜୟଶଙ୍କରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ଏବଂ ପ୍ରାର୍ଥିପତ୍ର ଦାଖଲ ଦିନ ସାଂସଦ ରାଜଶ୍ରୀ ମଲ୍ଲିକ ବିଜୟଶଙ୍କରଙ୍କୁ ପୁଅ ବୋଲି କହି ହାତ ‌ଧରି ନେଇ ଯିବା ଘଟଣା ଚର୍ଚ୍ଚିତ ତଥା ରୋଚକ ଦୃଶ୍ୟ ସୃଷ୍ଟି କରିଥିଲା। କିନ୍ତୁ ଏହି ମା-ପୁଅ ସଂପର୍କ ବିଜେଡିକୁ କେତେ ଲାଭ ଦେଲା, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିନିଟି ବ୍ଲକ ଦାୟିତ୍ବରେ ଥିବା ୩ ପ୍ରମୁଖ ନେତା କେତେ ସଫଳ ହେଲେ, ତାହାକୁ ନେଇ ଏବେ ତର୍ଜମା ଆରମ୍ଭ ହୋଇଯାଇଛି।

ତିର୍ତ୍ତୋଲ ଉପନିର୍ବାଚନ ପରିଚାଳନା ପାଇଁ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ସାମଗ୍ରିକ ଦାୟିତ୍ବରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଜିଲ୍ଲା ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ରହିଥିଲେ। ତିର୍ତ୍ତୋଲ ବ୍ଲକ ପାଇଁ ଦାୟିତ୍ବରେ ଥିଲେ ଅତନୁ ସବ୍ୟସାଚୀ। ବିରିଡି ପାଇଁ ଥିଲେ ମନ୍ତ୍ରୀ ଅରୁଣ ସାହୁ ଓ ରଘୁନାଥପୁର ବ୍ଲକ ଦାୟିତ୍ବରେ ଥିଲେ ସଂଜୟ ଦାସବର୍ମା। ଦେବାଶିଷଙ୍କ କୋଲର ଘରେ ରହି ଅତନୁ ତିର୍ତ୍ତୋଲ ବ୍ଲକ ନିର୍ବାଚନ ପ୍ରଚାର ପରିଚାଳନା କରୁଥିବା ବେଳେ ସଙ୍କେତ ଆଇଟିଆଇରେ ରହି ଅରୁଣ ସାହୁ ବିରିଡିର ଓ କମରପଦାସ୍ଥିତ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘରେ ରହି ସଂଜୟ ଦାସବର୍ମା ରଘୁନାଥପୁର ବ୍ଲକର ନିର୍ବାଚନ ପ୍ରଚାର ପରିଚାଳନା କରୁଥିଲେ। କିନ୍ତୁ ତିର୍ତ୍ତୋଲରେ ବିଜେଡିକୁ ୧୯ ହଜାର ୪୨୦ ଖଣ୍ଡ ଅଧିକ ଭୋଟ ମିଳିଥିବା ବେଳେ ବିରିଡିରେ ୧୨ ହଜାର ୩୯୫ ଖଣ୍ଡ ଏବଂ ରଘୁନାଥପୁରରେ ୮ ହଜାର ୮୮୨ ଖଣ୍ଡ ଅଧିକ ଭୋଟ ମିଳିଛି। ତିର୍ତ୍ତୋଲରେ ୬୮ ହଜାର ୪୯୧ ପୋଲିଂ ହୋଇଥିବା ବେଳେ ରଘୁନାଥପୁରରେ ୪୭ ହଜାର ୬୯୩ ଓ ବିରିଡିରେ ୪୭ ହଜାର ୮୨୫ ଭୋଟ ପୋଲିଂ ହୋଇଛି। ଅର୍ଥାତ ରଘୁନାଥପୁର ଓ ବିରିଡିରେ ପାଖାପାଖି ସମାନ ପୋଲିଂ ହୋଇଥିଲେ ବି ବିଜେଡିର ଭୋଟ ବ୍ୟବଧାନ ରଘୁନାଥପୁରରେ ୪ ହଜାର ପାଖାପାଖି କମ୍ ରହିଛି।

୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଷ୍ଣୁ ଦାସ ଅସୁସ୍ଥ ହୋଇ ପଡିଥିଲେ ବି ସେଠାରେ ଦଳ ଏତେ ଶକ୍ତି ଖଟାଇ ପାରି ନଥିଲା। କାରଣ ସେତେବେଳେ ଅନ୍ୟ ଅଞ୍ଚଳରେ ବି ନିର୍ବାଚନ ଚାଲି ଥିଲା। ଦେବାଶିଷ ସାମନ୍ତରାୟ ଓ ଅନ୍ୟ ହାତଗଣତି ସ୍ଥାନୀୟ ନେତାଙ୍କ ସହଯୋଗରେ ବିଜେଡି ସେଠାରେ ସାଧାରଣ ନିର୍ବାଚନ ପରିଚାଳନା କରିଥିଲା। କିନ୍ତୁ ଉପନିର୍ବାଚନରେ ୩ଟି ବ୍ଲକକୁ ଦଳର ୩ ବରିଷ୍ଠ ନେତାଙ୍କ ସିଧାସଳଖ ପରିଚାଳନାରେ ଛାଡି ଦିଆଯାଇଥିବା ବେଳେ ସେମାନଙ୍କୁ ସହଯୋଗ କରିବାକୁ ବି ବରି‌ଷ୍ଠ ନେତାଙ୍କୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ସେଥିରୁ ଦଳ କେତେ ଲାଭ ଉଠାଇ ପାରିଲା ବୋଲି ଗୋଟିଏ ପଟେ ପ୍ରଶ୍ନ ଉଠୁଥିବା ବେଳେ ବାସ୍ତବରେ ମା-ପୁଅ ସଂପର୍କ କେତେ ଲାଭଦାୟକ ହେଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର