ଭବାନୀପାଟଣା : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର କଣ୍ଟାବାଞ୍ଜି ଜେଲରେ ସନ୍ଦେହଜନକ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ ଜାତୀୟ ମାନବ ଅଧିକାର କମିସନ ହସ୍ତକ୍ଷେପ କରି ଏହାର ତଦନ୍ତ ରିପୋର୍ଟ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାମତେ, ଅଭିଯୁକ୍ତ ଗୋବିନ୍ଦ ସାହୁର କଣ୍ଟାବାଞ୍ଜି ଜେଲରେ ସନ୍ଦେହଜନକ ମୃତ୍ୟୁ ନେଇ ନ୍ୟାୟ ପାଇଁ ଲଢ଼େଇ ପରିବାରର ଓଡ଼ିଶା ରାଜ୍ୟ ସଭାପତି ସୁବ୍ରତ ଦାସ ଜାତୀୟ ମାନବାଧିକାର କମିସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ। କମିସନ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିସନ ବଲାଙ୍ଗୀର ଜିଲ୍ଲାପାଳ, ପୁଲିସ୍ ଏସପି, କଳାହାଣ୍ଡି ଏସ୍ପି, କଣ୍ଟାବାଞ୍ଜି ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ରିପୋର୍ଟ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।