କଟକ : କନେଷ୍ଟବଳ ପଦରେ ଓଡ଼ିଶା ପୁଲିସରେ କାର୍ଯ୍ୟ କରୁଥିବା ଗ୍ରୁପ୍-ଡି କର୍ମଚାରୀଙ୍କ ନିଯୁକ୍ତି ପାଇଁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ଦାୟର ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶାଲ ମୁଣ୍ଡା ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ଆଇଜି, ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ(ଏସ୍ଏସ୍ବି) ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିବା ସହିତ ମାମଲାରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଚୟନ ପ୍ରକ୍ରିୟାର ଭବିଷ୍ୟତ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି। ଏପ୍ରିଲ୍ ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
୨୦୨୨, ଡିସେମ୍ବର ୩୦ରେ ୪ ହଜାର ୭୯୦ କନେଷ୍ଟବଳ (ସିଭିଲ) ପଦରେ ନିଯୁକ୍ତି ପାଇଁ ଏସଏସବି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୂଳ ବିଜ୍ଞପ୍ତିରେ ସର୍ବନିମ୍ନ ଯୋଗ୍ୟତା ନମ୍ବର ଓ କଟ୍-ଅଫ୍ ନମ୍ବର ଲାଗୁ ପ୍ରସଙ୍ଗରେ ଉଲ୍ଲେଖ ନଥିବା ବେଳେ ଲିଖିତ ପରୀକ୍ଷା ପରେ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ଏହା ପୁଲିସ ଅର୍ଡର, ୨୦୨୧ର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଗ୍ରୁପ୍-ଡି ପ୍ରାର୍ଥୀ ଏକ ସ୍ବତନ୍ତ୍ର ସଂରକ୍ଷିତ ବର୍ଗର ଅନ୍ତର୍ଭୁକ୍ତ। ଏହି ବର୍ଗର ସବୁ ପ୍ରାର୍ଥୀ ସମାନ। ଗୃହରକ୍ଷୀ ପ୍ରାର୍ଥୀଙ୍କ ମଧ୍ୟରେ ବିଭିନ୍ନ ବର୍ଗ ପାଇଁ ଭିନ୍ନ କଟ୍-ଅଫ୍ ନମ୍ବର ଓ ସର୍ବନିମ୍ନ ଯୋଗ୍ୟତା ନମ୍ବର ଧାର୍ଯ୍ୟ କରାଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସମାନ ଅଭିଯୋଗ ସହ କେତେକ ଗୃହରକ୍ଷୀ ପ୍ରାର୍ଥୀ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଢେଙ୍କାନାଳ, ଭଦ୍ରକ, କୋରାପୁଟ ଓ କଳାହାଣ୍ଡିର କେତେକ ଗୃହରକ୍ଷୀଙ୍କ ମାମଲାର ହାଇକୋର୍ଟ ଶୁଣାଣି କରି ଜବାବ ତଲବ କରିବା ସହିତ ଚୟନ ପ୍ରକ୍ରିୟାର ଭବିଷ୍ୟତ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/high-court.jpg)