ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ କରାଯାଇ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଗୋଟିଏ ପଟେ ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)ଙ୍କ ଛାଟ ବାଜିଛି। ଆଉ ଅନ୍ୟପଟେ ଜଙ୍ଗଲ (ସଂରକ୍ଷଣ) ଆଇନ-୧୯୮୦କୁ ଉଲ୍ଲଂଘନ କରାଯାଇ ନିର୍ମାଣ କରାଯାଇଥିବାରୁ ତଦନ୍ତ ଲାଗି ୪ ଜଣିଆ କମିଟି ଶନିବାର ଘଟଣାସ୍ଥଳ ପରିଦର୍ଶନ କରିବ। ଗସ୍ତ ସମୟରେ ସେମାନେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବେ। ଗଛ କଟାଯାଇଛି କି ନାହିଁ? ପାହାଡ଼ କେତେ ନଷ୍ଟ ହୋଇଛି? କେଉଁ ପ୍ରଜାତିର ଗଛ କଟିଛି? ଏଥିରେ ଔଷଧୀୟ ବୃକ୍ଷ ରହିଛି କି ନାହିଁ? ଏହିସବୁ ବିଷୟରେ ଯାଞ୍ଚ କରିବେ। କମିଟିର ଗସ୍ତ ପୂର୍ବରୁ ସମସ୍ତ ପ୍ରକାର ପ୍ରମାଣ ନଷ୍ଟ କରିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଆଜି ଦେଖିବାକୁ ମିଳିଛି। ପୂର୍ବାହ୍ନରେ ‘ସମ୍ବାଦ’ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ କର୍ମଚାରୀମାନେ ପ୍ରକଳ୍ପ ହେବାକୁ ଥିବା ସ୍ଥାନରେ ଖୁଣ୍ଟ ପୋତିବା ସହ ସେଥିରେ ନମ୍ବରିଂ କରୁଥିବା ଦେଖିବାକୁ ମିଳିଥିଲା।
ଆଜି ଆସୁଛି ଏନ୍ଜିଟିର ୪ଜଣିଆ ତଦନ୍ତ କମିଟି
କାହା ସ୍ବାର୍ଥରେ ଶିଶୁବିହାର ପ୍ରକଳ୍ପ ହେଲାନି?
ଗୃହ ଓ ନଗର ଉନ୍ନୟନ ବିଭାଗର ଦୁଇଜଣ ଅଧିକାରୀ ଘଟଣା ସ୍ଥଳରେ କାମର ତଦାରଖ କରୁଥିଲେ। ସେମାନେ ସରକାରୀ ଗାଡ଼ି ବ୍ୟବହାର କରି ନ ଥିଲେ। ବରଂ ସ୍ଥାନୀୟ ଲୋକଙ୍କ ବିରୋଧ ଭୟରେ ସେମାନେ ଘରୋଇ ଗାଡ଼ିରେ ପହଞ୍ଚି ପାହାଡ଼ ଉପରକୁ ଯାଇଥିଲେ। ଏସମ୍ପର୍କରେ ସେମାନଙ୍କୁ ପଚାରିବାରୁ କିଛି କହିବାକୁ ମନା କରିଦେଇଥିଲେ। ତେବେ ପାହାଡ଼ର ଜୈବ ବିବିଧତା କେଉଁଭଳି କ୍ଷତି ହୋଇଛି ତାହା ଏବେ ସାମ୍ନାକୁ ଆସିଛି। ଅସରାଏ ବର୍ଷରେ କଟାଯାଇଥିବା ଗଛ ମୂଳ ଆଜି ପଦାକୁ ଆସିଛି। ପ୍ରକଳ୍ପ ନିର୍ମାଣ ପୂର୍ବରୁ ପ୍ରଥମେ ପାହାଡ଼ରେ ନିଆଁ ଲଗାଯାଇ ଗଛଗୁଡ଼ିକୁ ନଷ୍ଟ କରାଯାଇଛି, ଯାହାର ଗଣ୍ଡି ଏବେ ବି ପାହାଡ଼ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ନିଆଁ ଲଗାଯିବା ପରେ ଆଉ ଯେଉଁ ଗଛ ରହିଥିଲା ତାହାକୁ କାଟି ଦିଆଯାଇଥିଲା। ଏନ୍ଜିଟି ଦ୍ବାରା ଗଠନ ହୋଇଥିବା ତଦନ୍ତକାରୀ କମିଟି ଶନିବାର ଆସୁଥିବା ଜାଣିବା ପରେ ପ୍ରଶାସନ ପକ୍ଷରୁ କଟାଯାଇଥିବା ଗଛ ମୂଳଗୁଡ଼ିକୁ ଲୁଚାଇବାକୁ ଉଦ୍ୟମ ହୋଇଥିଲା। ତେବେ ଗତକାଲିର ବର୍ଷା ସବୁ କିଛି ବିଗାଡ଼ି ଦେଇଛି। ଏମିତିକି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ବୁଦା କଟାଯାଉଥିବା ନେଇ ଯେଉଁ ଉପାଖ୍ୟାନ ଦିଆଯାଇଥିଲା ସେଥିରେ କେତେ ସତ୍ୟତା ରହିଛି ତାହା ଜଳ ଜଳ ହୋଇ ଦେଖିବାକୁ ମିଳୁଛି।
ପ୍ରକଳ୍ପ ଜାଗାରେ ଖୁଣ୍ଟ ପୋତିଲା ପ୍ରଶାସନ।ସେପଟେ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି ଯେ କାହା ସ୍ବାର୍ଥରେ ପାନୀୟ ଜଳ ପ୍ରକଳ୍ପ ସ୍ଥାନ ପରିବର୍ତ୍ତନ ହୋଇଥିଲା। ପ୍ରଥମେ ଏହି ପ୍ରକଳ୍ପ ଲାଗି ଶିଶୁବିହାରରେ ସ୍ଥାନ ଚିହ୍ନଟ କରାଯାଇ ରୂପରେଖ ପ୍ରସ୍ତୁତ ସରିଥିଲା। ମାତ୍ର ହଠାତ୍ ରାତାରାତି କାହିଁକି ପ୍ରକଳ୍ପ ସ୍ଥାନ ବଦଳିଗଲା। କାହା ପାଇଁ ଶିଶୁ ବିହାରରେ ଥିବା ସରକାରୀ ଜାଗାରେ ପ୍ରକଳ୍ପ କରା ନ ଯାଇ ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ କରାଯାଉଛି। କାମ ବନ୍ଦ କରାଯାଇଥିବା ବେଳେ ତଦନ୍ତକାରୀ କମିଟି ଆସିବା ପୂର୍ବରୁ କାହିଁକି ତରବରିଆ ଭାବେ ଲୁଚାଛପା କାମ ଚାଲିଛି ବୋଲି ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/75-2.jpg)