ପୁରୀ: ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ଯନ୍ତ୍ରଣା ସୀମା ବାହାରକୁ ଚାଲିଗଲାଣି। ଭକ୍ତଙ୍କ ସ୍ବାର୍ଥ ତଥା ଭକ୍ତିଭାବକୁ ଅଣଦେଖା କରି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଯେଉଁଭଳି ମନମୁଖୀ ଶାସନ ଚଳାଇଛନ୍ତି, ତାହା କେବଳ ଅଗଣିତ ଭକ୍ତଙ୍କୁ ଆନ୍ଦୋଳିତ କରିନି, ନେତା, ସେବାୟତ, ଆଇନଜୀବୀ ଓ ବିଭିନ୍ନ ସଂଗଠନ ମଧ୍ୟ ଏହା ବିରୋଧରେ ତାତିଲେଣି। ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ନେଇ ସଜବାଜ ହେଲେଣି। ଏଭଳି ସ୍ଥିତିରେ ସେବକଙ୍କ ମୁଣ୍ଡରେ ଅଠା ବୋଳି ଓ ଆଗାମୀ ଦିନରେ ଚାରିଦ୍ବାର ଖୋଲିବା ଉପରେ ଯାହା କିଛି ନିଷ୍ପତ୍ତି ହେବ, ତାହା ସେବାୟତଙ୍କ ମତ କହି ଖସିଯିବାକୁ ଷଡ୍ଯନ୍ତ୍ର ଆରମ୍ଭ ହୋଇଯାଇଛି। ଅପରପକ୍ଷରେ ସେବାୟତଙ୍କ ସ୍ବରକୁ ଚାପିଦେବା ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ବି କରିଛି ପ୍ରଶାସନ। ସେବାୟତଙ୍କ ଯାତ୍ରୀ ଗୁମାସ୍ତା ଓ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି କରିବାକୁ ଜଘନ୍ୟ ଷଡ୍ଯନ୍ତ୍ର ଚାଲିଛି। ପୁରୀବାସୀଙ୍କ ପାଇଁ କେବଳ ପଶ୍ଚିମଦ୍ବାର ଖୋଲିବାକୁ ଯୋଜନା ଚାଲିଛି।
ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ବିଭିନ୍ନ ମହଲରୁ ଚାପ ପରେ ଶ୍ରୀମନ୍ଦିର ପ୍ରଶାସନ ତରବରିଆ ଭାବେ ଗତକାଲି ଛତିଶାନିଯୋଗ ବୈଠକ ଡାକିଲା। ବୈଠକ ବସିଲା ସତ, ଚାରିଦ୍ବାର ଖୋଲିବା ଉପରେ କୌଣସି ନିଷ୍କର୍ଷ ବାହାରିଲା ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଓ ଦୁଇଜଣ ବରିଷ୍ଠ ସେବାୟତଙ୍କୁ ନେଇ ଏକ ୮ଜଣିଆ କମିଟି ଗଠନ କରି ଦାୟିତ୍ବ ସାରି ଦେଇଛି। କମିଟି ରିପୋର୍ଟ ଆଧାରରେ ପରବତ୍ରିର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ସରକାର ଓ ପ୍ରଶାସନ ଅଯଥା ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଗତକାଲି ଛତିଶାନିଯୋଗ ବୈଠକ ଡକାଯାଇ ଏକ କମିଟି ଗଠନ କରି ଦିଆଗଲା। କିନ୍ତୁ ଛତିଶାନିଯୋଗ କେବଳ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ନିଷ୍ପତ୍ତି ନେଇପାରିବ। କାହିଁକି ଛତିଶାନିଯୋଗ ବୈଠକ ଡକାଗଲା? ପୂର୍ବରୁ କ’ଣ ଛତିଶାନିଯୋଗକୁ ଡାକି ଚାରିଦ୍ବାର ବନ୍ଦ କରିଥିଲେ କି? କୋଭିଡ୍ ପାଇଁ ଚାରିଦ୍ବାର ବନ୍ଦ କରାଯାଇଥିଲା।
ବର୍ତ୍ତମାନ ସେବକଙ୍କ ମୁଣ୍ଡରେ ଅଠା ବୋଳି ପ୍ରଶାସନ ଖସିଯିବାକୁ ବସିଛି। କେହି ଜଣାଇଲେନି ଯେ ଆଜି ପର୍ଯ୍ୟନ୍ତ କାହିଁକି ଚାରିଦ୍ବାର ବନ୍ଦ ରହିଛି। ଯେଉଁ କମିଟି ଗଠନ ହୋଇଛି, ତୁରନ୍ତ ବରଖାସ୍ତ କରାଯାଉ। କାରଣ ଏଥିରେ ପ୍ରଶାସନ ଓ ସେବକ ପ୍ରତିନିଧି ଅଛନ୍ତି, କୌଣସି ଭକ୍ତ ନାହାନ୍ତି। ଏଠି ଭକ୍ତଙ୍କ ଦୁଃଖ କିଏ ଜଣେଇବ? କାରଣ ସେବକ ଓ ପ୍ରଶାସନିକ ଅଧିକାରୀ ସବୁଦ୍ବାର ଦେଇ ଯାଇପାରୁଛନ୍ତି। ଏଭଳି ନାଟକ କରି ଭକ୍ତଙ୍କ ଧାର୍ମିକ ଭାବନାକୁ କୁଠାରାଘାତ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ତୁରନ୍ତ ଚାରିଦ୍ବାର ନ ଖୋଲିଲେ, ଶ୍ରୀଜଗନ୍ନାଥ ସେନା ଆହ୍ବାନରେ ପୁରୀ ବନ୍ଦ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଚାରିଦ୍ବାର ବନ୍ଦ ଗ୍ରହଣୀୟ ନୁହେଁ: ଛତିଶାନିଯୋଗ ନାୟକ
ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଚାରିଦ୍ବାର ଧର୍ମ, ଅର୍ଥ, ମୋକ୍ଷ ଓ କାମ, ଏଭଳି ଚାରି ଭିନ୍ନ ମହତ୍ତ୍ବ ବହନ କରୁଛି। ଭକ୍ତମାନେ ଏହି ଧାର୍ମିକ ବିଶ୍ବାସ ନେଇ ଚାରିଦ୍ବାରରୁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥାନ୍ତି। କିନ୍ତୁ ଚାରିଦ୍ବାର ଭକ୍ତଙ୍କ ପାଇଁ ବନ୍ଦ କରିଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଏହାଦ୍ବାରା ଭକ୍ତିଭାବ କ୍ଷୁଣ୍ଣ ହେଉଛନ୍ତି। ଅଯଥାରେ ଭକ୍ତମାନେ ବଡ଼ଦାଣ୍ଡରେ ଖରାତରାରେ ଛିଡ଼ା ହୋଇ ଅସହ୍ୟ ଯନ୍ତ୍ରଣା ପାଉଛନ୍ତି। କ୍ରମେ ଭକ୍ତଙ୍କ ଉପରେ ଯେଉଁଭଳି କଟକଣା ଲଦି ଦିଆଯାଉଛି, ତାହା ଭକ୍ତ-ଭଗବାନଙ୍କ ଭିତରେ ଦୂରତା ବଢ଼ାଉଛି। ପ୍ରଥମେ ଗର୍ଭଗୃହ ଦର୍ଶନ ବନ୍ଦ କରି ଦିଆଗଲା। ପରିମାଣିକ ଓ ସାହାଣମେଲା ଦର୍ଶନ ବି ବନ୍ଦ ହୋଇଗଲା। ଏବେ ଚାରିଦ୍ବାର ଦର୍ଶନ ବନ୍ଦ କରି ପୁଣି ଏକ ବଡ଼ କଟକଣା ଭକ୍ତଙ୍କ ଉପରେ ଲଦି ଦିଆଯାଇଛି। ଏହା ଆମ ସମସ୍ତଙ୍କୁ କଷ୍ଟ ଦେଉଛି। ଗତକାଲି ଛତିଶାନିଯୋଗ ବୈଠକରେ ବି ତୁରନ୍ତ ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲିବାକୁ ଜୋରଦାର ଦାବି ହୋଇଥିଲା। କିନ୍ତୁ ପରିକ୍ରମା ପ୍ରକଳ୍ପ କାମ ଚାଲିଥିବାରୁ ଏହାକୁ ଆଖି ଆଗରେ ରଖି ଚାରିଦ୍ବାର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରତିଶ୍ରୁତି ଦେଇଛି। କୋଭିଡ୍ ସମୟରେ ଚାରିଦ୍ବାର ବନ୍ଦ ପଛରେ ସାମୁହିକ ସ୍ବାର୍ଥ ଜଡ଼ିତ ଥିଲା। ଏଣୁ ସେ ସମୟରେ ଆମର ପରାମର୍ଶ ନିଆଯାଇଥିଲା। ତଥାପି ଚାରିଦ୍ବାର ବନ୍ଦ କରି ରଖିବାର କୌଣସି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି।
କେବେଠୁ ଚାରିଦ୍ବାର ଦର୍ଶନ ବନ୍ଦ ଯନ୍ତ୍ରଣା
ପୁରୀ: ଚାରିଦ୍ବାର ଦେଇ ଦର୍ଶନ ବ୍ୟବସ୍ଥା ସୁରୁଖୁରୁରେ ଚାଲିଥିଲା। କିନ୍ତୁ କୋଭିଡ୍ ମହାମାରୀ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥାରେ ବେଡ଼ି ପକାଇଲା। ୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରେ ସର୍ବସାଧାରଣ ଦର୍ଶନ ବନ୍ଦ ନେଇ ଘୋଷଣା ହେଲା। କେବଳ ପାଳିଆ ସେବକମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିଲା। ଭକ୍ତମାନେ କେବଳ ପତିତପାବନଙ୍କ ଦର୍ଶନ କରି ଫେରିଲେ। କୋଭିଡ ଲହରରେ ସୁଧାର ଆସିବାରୁ ୯ ମାସ ପରେ ୨୦୨୦ ମସିହା ଡିସେମ୍ବର ୨୩ ତାରିଖରେ ପୁନର୍ବାର ଦର୍ଶନ ପାଇଁ ସର୍ବସାଧାରଣଙ୍କୁ ସୁଯୋଗ ମିଳିଲା। ଚାରିଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ୩ ଦିନ ସେବାୟତ ପରିବାର ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥିଲେ। ଡିସେମ୍ବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ୨୦୨୧ ଜାନୁଆରି ୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ସେପର୍ଯ୍ୟନ୍ତ ଚାରିଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନରେ କଟକଣା ନଥିଲା। ଏପ୍ରିଲ ମାସ ପର୍ଯ୍ୟନ୍ତ ଦର୍ଶନ ଚାଲିଲା। କିନ୍ତୁ କୋଭିଡ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପୁନର୍ବାର୨୦୨୧ ମସିହା ଏପ୍ରିଲ ୨୪ ତାରିଖରୁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଲା।
୨୦୨୧ ଅଗଷ୍ଟ ୧୨ ତାରିଖରେ ଅର୍ଥାତ ୪ ମାସ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିଲା। ସେବାୟତମାନେ ସପରିବାର କଡ଼ା କଟକଣା ମଧ୍ୟରେ ଚାରିଦ୍ବାରରେ ପ୍ରବେଶ କରି ଦର୍ଶନ କରିଥିଲେ। କୋଭିଡ ପୁଣି କାୟ ମେଲାଇବାରୁ ୨୦୨୨ ମସିହା ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ପ୍ରବେଶ ବନ୍ଦ ରହିଥିଲା। ଫେବ୍ରୁଆରି ୧ରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସେଇ ସମୟରେ ଭକ୍ତମାନେ କେବଳ ସିଂହଦ୍ବାର ଦେଇ ଓ ପୁରୀବାସୀ ପଶ୍ଚିମ ଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ। ମାତ୍ର ଧୀରେଧୀରେ କେବଳ ସିଂହଦ୍ବାର ଦେଇ ପ୍ରବେଶ ନିୟମ କରାଗଲା।
୧୬୯୨ରେ ଯବନ ଆକ୍ରମଣକାରୀ ସିଂହଦ୍ବାର, ଅଶ୍ବଦ୍ବାରକୁ ବନ୍ଦ କରିଦେଇଥିଲେ
ପୁରୀ: ଶ୍ରୀମନ୍ଦିରର ସିଂହଦ୍ବାର ଓ ଅଶ୍ବଦ୍ବାରକୁ ପାଚେରି କରି ବନ୍ଦ କରିଦେଇଥିଲେ ଯବନ ଆକ୍ରମଣକାରୀ। ୧୬୯୨ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ଉପରେ ଯବନଙ୍କ ଆକ୍ରମଣ କାଳରେ ଏଭଳି ବିଡ଼ମ୍ବନା ଦେଖିବାକୁ ମିଳିଥିଲା। ୧୬୯୨ ଖ୍ରୀଷ୍ଟାବ୍ଦରେ ଏକରାମ ଖାଁ’ର କର୍ମଚାରୀ ମୀର ମହମ୍ମଦ ସଇଦ ଶ୍ରୀମନ୍ଦିର ଆକ୍ରମଣ କାଳରେ ଏହା ଘଟିଥିଲା। ଏହି ସମୟରେ ଶ୍ରୀମନ୍ଦିର ଭିତରକୁ ଯବନ ସେନା ପ୍ରବେଶ କରିଥିଲେ। ତେଣୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ବିମଳା ମନ୍ଦିର ପଛପାର୍ଶ୍ବରେ ଗୁପ୍ତରେ ରଖାଯାଇଥିଲା। ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ଦୋବନ୍ଧା ଘାଟ ଦେଇ କୋକଲ ଗଡ଼କୁ ସ୍ଥାନାନ୍ତର କରାଯାଇଥିଲା। ପରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ମଧ୍ୟ କୋକଲ ଗଡ଼ ସ୍ଥାନାନ୍ତର କରାଯାଇଥିଲା। ଏହି ଆକ୍ରମଣ ଯୋଗୁ ୮ବର୍ଷ ଶ୍ରୀବିଗ୍ରହମାନେ କୋକଲ ଗଡ଼ରେ ଗୁପ୍ତଲୀଳାରେ ରହିଥିଲେ ବୋଲି ବ୍ରହ୍ମଗିରି ଐତିହ୍ୟ ପରିଷଦର ସଭାପତି କାଶୀନାଥ ନାୟକ କହିଛନ୍ତି। ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ପୂର୍ବ ସିଂହଦ୍ବାର, ଦକ୍ଷିଣ ଅଶ୍ୱଦ୍ୱାରକୁ ପଥର ପାଚେରି କରି ଯବନ ଆକ୍ରମଣକାରୀ ବନ୍ଦ କରିଦେଇଥିଲେ। ମାତ୍ର ୧୭ ଜଣ ସେବକ ଶ୍ରୀମନ୍ଦିରରେ ପ୍ରବେଶ କରି ଗୁପ୍ତରେ ପୂଜାର୍ଚ୍ଚନା କରୁଥିଲେ। ପୂଜା ସମୟରେ ଘଣ୍ଟ ଘଣ୍ଟି ବାଜୁନଥିଲା। ଛତିଶାନିଯୋଗ ଓ ବାହାର ଭୋଗ ବନ୍ଦ ହୋଇଥିଲା। ଏପରି ପ୍ରାୟ ୧୫ ବର୍ଷ ଚାଲିଥିଲା।