ଭୁବନେଶ୍ବର: ଶିଳ୍ପ ପ୍ରତିଷ୍ଠାନ ଦ୍ବାରା ଜଳ ନିଆଯିବା ଦ୍ବାରା ବିଜୁଳି ଉତ୍ପାଦନ କ୍ଷତି ହେଉଥିବା ସଂପର୍କରେ ବିଚାର କରିବା ପାଇଁ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)କୁ ଆବେଦନ କରିବ। ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚ୍ପିସି) ଲିମିଟେଡ ଦ୍ବାରା ଶିଳ୍ପ ପ୍ରତିଷ୍ଠାନରୁ ଆଦାୟ କରାଯାଉଥିବା କ୍ଷତିପୂରଣ ରାଶିକୁ ଆଦାୟ ନକରିବା ପାଇଁ ବିଚାର ଆରମ୍ଭ ହୋଇଛି। ଯୁକ୍ତି ହେଉଛି, ଅନ୍ୟ କୌଣସି ରାଜ୍ୟରେ ଏଭଳି ରାଶି ଆଦାୟ କରାଯାଉନାହିଁ। ନିକଟରେ ଓଏଚ୍ପିସିକୁ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ପ୍ରଦାନ କରୁଥିବା ବିଜୁଳି ଉତ୍ପାଦନ କ୍ଷତିଜନିତ କ୍ଷତିପୂରଣ ପ୍ରଦାନ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ଆଲୋଚନା ହୋଇଛି।
ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗତ ୨୧ ତାରିଖରେ ରାଜୀବ ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଉକ୍ତ ବୈଠକରେ ସବ୍କମିଟି ପକ୍ଷରୁ ପୂର୍ବରୁ ପ୍ରଦାନ କରାଯାଇଥିବା ରିପୋର୍ଟ ଉପରେ ଇଞ୍ଜିନିୟର ଇନ୍ ଚିଫ୍ (ଯୋଜନା ଓ ଡିଜାଇନ) ଆଲୋଚନା କରିଥିଲେ। ଜଳ ସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା, ଟର୍ମସ ଅଫ ରେଫରେନ୍ସ ସଂପର୍କରେ ଅନୁଧ୍ୟାନ ପାଇଁ ସବ୍କମିଟି ଗଠନ ଆଦି ସଂପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ବୈଠକରେ କୁହାଯାଇଥିଲା ଯେ ସବ୍କମିଟି ମତ ହେଉଛି- ହାଇଡ୍ରୋଲୋଜି (ବର୍ଷାର ମାତ୍ରା ଓ ଧାରା, ଜଳଭଣ୍ଡାରରେ ଜଳର ଉପଲବ୍ଧତା ଏବଂ ମୋଟ ଜଳ ପ୍ରବେଶ ଆଦି), ଗ୍ରିଡ ଆବଶ୍ୟକତା, ଟର୍ବାଇନର ଦକ୍ଷତା, ଟର୍ବାଇନର କାର୍ଯ୍ୟ କ୍ଷମତା ଏବଂ ଘରୋଇ, ଜଳସେଚନ ଏବଂ ଶିଳ୍ପର ଆବଶ୍ୟକତା ଆଦି ପାଇଁ ନିଆଯାଉଥିବା ଜଳ ଆଦି ଉପରେ ନିର୍ଭର କରିଥାଏ। ଏହି କାରଣରୁ ହୀରାକୁଦ, ଚିପ୍ଲିମା ଓ ଅପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ ଅଧିକାଂଶ ବର୍ଷ କ୍ଷମତା ଠାରୁ କମ୍ ବିଜୁଳି ଉତ୍ପାଦନ କରିଛି। ଅର୍ଥାତ୍ ବିଜୁଳି ଉତ୍ପାଦନ କ୍ଷେତ୍ରରେ ସଂସ୍ଥା କ୍ଷତି ସହିଛି। ଦ୍ବିତୀୟତଃ ସବ୍କମିଟି ଏହା ମଧ୍ୟ ମତ ଦେଇଛି ଯେ ସରକାରୀ ନିର୍ଦ୍ଦେଶନାମା ଜରିଆରେ ଏ ସଂକ୍ରାନ୍ତରେ ଆଦାୟ କରାଯାଉଥିବା କ୍ଷତିପୂରଣ ହାର ଅଧିକ ରହିଛି।
ବୈଠକରେ ଓଏଚ୍ପିସିର ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଥିଲେ ଶକ୍ତି କ୍ଷତିପୂରଣ ବାବଦରେ ଓଏଚ୍ପିସି କୌଣସି ଲାଭ ପାଉନାହିଁ। ବରଂ ଗ୍ରାହକମାନେ ଖୁଚୁରା ଶୁଳ୍କ ମାଧ୍ୟମରେ ଉପକୃତ ହୋଇଛନ୍ତି। ଫଳରେ ବୈଠକରେ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା ଯେ ଓଏଚ୍ପିସିକୁ ଶକ୍ତି କ୍ଷତିଜନିତ କ୍ଷତିପୂରଣ ପ୍ରଦାନ ସହଜ ବ୍ୟାବସାୟିକ ବାତାବରଣର ବିରୋଧୀ। ବିସ୍ତୃତ ଆଲୋଚନା ପରେ ବୈଠକରେ ଅନ୍ୟ କେତେକ ନିଷ୍ପତ୍ତି ନିଆଯାଇଥିଲା। ଯଥା ହାଇଡ୍ରୋଲୋଜି, ଗ୍ରିଡ୍ ଆବଶ୍ୟକତା, ଜଳବିଦ୍ୟୁତ ୟୁନିଟଗୁଡ଼ିକର ସ୍ଥିତି ଓ ବିଭିନ୍ନ ଆବଶ୍ୟକତା ପାଇଁ ଜଳ ବଣ୍ଟନକୁ ଦାୟୀ କରାଯାଇପାରେ ବୋଲି ସମସ୍ତେ ସହମତ ହୋଇଥିଲେ। ତେଣୁ ଶିଳ୍ପ ପାଇଁ ଜଳଭଣ୍ଡାରରୁ ନିଆଯାଉଥିବା ଜଳର ମାତ୍ରା ସେତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ। ଦ୍ବିତୀୟତଃ ବିଜୁଳି ଉତ୍ପାଦନରେ ହେଉଥିବା କ୍ଷତି ଓଏଚପିସି କିମ୍ବା ଗ୍ରିଡକୋକୁ ପ୍ରଭାବିତ କରୁନାହିଁ; ହେଲେ ବୃହତ୍ତର ଦୃଷ୍ଟିରୁ ଏହା ଗ୍ରାହକଙ୍କୁ ପ୍ରଭାବିତ କରୁଛି। ତୃତୀୟତଃ ଶକ୍ତି କ୍ଷତିପୂରଣ ବାବଦରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରୁ ଓଏଚ୍ପିସିକୁ ମିଳିଥିବା ପ୍ରାୟ ୧୮ କୋଟି ଟଙ୍କାକୁ ସଂପୃକ୍ତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକର ସେକେଣ୍ଡାରି ଏନର୍ଜି ଫଣ୍ଡରେ ସମଯୋଜିତ କରାଯିବ। ଚତୁର୍ଥ ନିଷ୍ପତ୍ତି ଅନୁସାରେ ଓଏଚପିସିର ରିପୋର୍ଟକୁ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇ ଏକ ବୈଠକ ପାଇଁ ଅନୁରୋଧ କରାଯିବ। ଶେଷରେ ଓଏଚପିସିର ଷ୍ଟାଟସ ରିପୋର୍ଟକୁ ହାଇକୋର୍ଟଙ୍କ ନିକଟରେ ଦାଖଲ ହେବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଛି।