ବିଧାନସଭାରେ ଉଠିବ ଲଖନପୁର ବ୍ଲକ ବିଭାଜନ ପ୍ରସଙ୍ଗ 

ଲଖନପୁର: ୧୯୫୮ ମସିହା ଅକ୍ଟୋବର ୧ ତାରିଖରେ ସ୍ଥାପିତ ଛତିଶଗଡ଼ ସୀମାରେ ଥିବା ଓଡ଼ିଶାର ସର୍ବ ବୃହତ ଲଖନପୁର ବ୍ଳକର ଅନେକ କ୍ଷେତ୍ରରେ ବିକାଶ ହୋଇଥିଲେ ହେଁ ପଛୁଆ ବ୍ଲକ୍‌ ଛବିରୁ ଏପର୍ଯ୍ୟନ୍ତ ବ୍ଲକ୍‌ଟି ମୁକୁଳି ପାରିନି। ଦ୍ରୁତ ବିକାଶ ପାଇଁ ପ୍ରତିବନ୍ଧକ ସାଜୁଛି ବ୍ଲକ୍‌ର ବିଶାଳତା। ଏଥିପାଇଁ ଏହାକୁ ୩ଟି ବ୍ଲକ୍‌ରେ ବିଭାଜିତ କରିବାକୁ ବ୍ଲକ୍‌ବାସୀ ଦୀର୍ଘ ବର୍ଷରୁ ଦାବି କରି ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଲଖନପୁର ବ୍ଲକ୍‌ ବିଭାଜନ ପ୍ରସଙ୍ଗ ବିଧାନସଭାର ଶୀତକାଳୀନ ଅଧିବେଶନରେ ଉଠାଇବେ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲାର ମୋଟ୍‌ ୫ ବ୍ଲକ୍‌ରେ ୯ ଜିଲ୍ଲା ପରିଷଦ ଆସନରୁ ଲଖନପୁର ବ୍ଲକ୍‌ରେ ୩ଟି ଆସନ ରହିଛି। ଜିଲ୍ଲାର ମୋଟ୍‌ ୭୮ ପଞ୍ଚାୟତରୁ ଅନ୍ୟ ୪ଟି ବ୍ଲକରେ ୪୫ ପଞ୍ଚାୟତ ଥିବା ବେଳେ କେବଳ ଲଖନପୁର ବ୍ଲକ୍‌ରେ ୩୩ ପଞ୍ଚାୟତ ରହିଛି। ଏହି ବିରାଟ ବ୍ଲକ୍‌ରେ ମୋଟ ୩୩୨୧୧ ପରିବାର ବାସ କରନ୍ତି। ୨୦୧୧ ଜନଗଣନା ଅନୁଯାୟୀ ବ୍ଲକ୍‌ର ଜନସଂଖ୍ୟା ୧୪୨୦୪୭ ଥିଲେ ସୁଦ୍ଧା ବର୍ତ୍ତମାନର ଜନସଂଖ୍ୟା ପ୍ରାୟ ୨ ଲକ୍ଷକୁ ଛୁଇଁବ। ମୋଟ୍‌ ଜନସଂଖ୍ୟାର ୫୧% ପୁରୁଷ ଓ ୪୯% ମହିଳା ଅଛନ୍ତି। ବ୍ଲକ୍‌ରେ ୩୩% ଅନୁସୂଚିତ ଜନଜାତି, ୧୯% ଅନୁସୂଚିତ ଜାତି ଓ ୪୮% ଅନ୍ୟାନ୍ୟ ବର୍ଗର ଲୋକ ରହନ୍ତି।

ବ୍ଲକର ୧୯ ଖଣ୍ଡ ମୌଜା ରେମତା ପଞ୍ଚାୟତ ମୁହୂଦି ଗାଁରୁ ବ୍ଲକ ଓ ଜିଲ୍ଲା ସଦର ମହକୁମାର ଦୂରତା ଯଥାକ୍ରମେ ୬୫ କିମି ଓ ୧୦୦ କିମି। ଏହି ଦୂରତା ହିଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ସହ ନିକଟତର ହେବାରେ ଜନସାଧାରଣଙ୍କ ପାଇଁ ପ୍ରତିବନ୍ଧକ ହେଉଛି। ତେଣୁ ଲଖନପୁର ବ୍ଲକ୍‌କୁ ବିଭାଜିତ କରି ବ୍ଲକ୍‌ର ଜୋନ୍-୧ ଓ ୨ରେ ଆଉ ୨ଟି ନୂଆ ବ୍ଲକ୍‌ ଗଠନ କରିବା ଏବଂ ଲଖନପୁର ତହସିଲ ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦେବା ଦାବିରେ ବ୍ଲକ୍‌ବାସୀ ତିନି ଦଶନ୍ଧିରୁ ବାରମ୍ବାର ଆନ୍ଦୋଳନ କରି ଆସୁଛନ୍ତି। ବିକାଶ ଦୃଷ୍ଟିରୁ ଯଦି ଦେଖାଯାଏ ଏହି ବ୍ଲକ୍‌ର ଅନେକ ଗ୍ରାମ୍ୟ କଚ୍ଚା ରାସ୍ତାକୁ ଏ ପର୍ଯ୍ୟନ୍ତ ପକ୍କା କରାଯାଇପାରି ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳ, ବିଦ୍ୟୁତ ସେବା ଓ ବିସ୍ଥାପିତ ପରିବାରଙ୍କୁ ଥଇଥାନ କ୍ଷେତ୍ରରେ ବ୍ଲକ୍‌ର ସମସ୍ୟା ଉତ୍କଟ। ବ୍ଲକ୍‌ରେ ୨୬୭ଟି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଥିବା ବେଳେ ୨ଟି ମହାବିଦ୍ୟାଳୟ ରହିଛି।

ବ୍ଲକ୍‌ର ଚାଣ୍ଟିପାଲି, କନକତୁରା, ପଲସଦା, ଅଢ଼ାପଡ଼ା ଓ କୁମ୍ଭାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ୨୭ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ରେଫରାଲ ଡାକ୍ତରଖାନା ଥିବା ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ବର୍ଷରୁ ପ୍ରସୂତି ଓ ସ୍ତ୍ରୀ ରୋଗ, ଭେଷଜ ଓ ଶଲ୍ୟ ବିଶେଷଜ୍ଞ ଡାକ୍ତର ପଦ ଖାଲି ପଡ଼ିଛି ଏବଂ ଏଠାରେ ଅଲ୍‌ଟ୍ରାସାଉଣ୍ଡ ଓ ଡିଜିଟାଲ ଏକ୍ସ-ରେ ମେସିନ ମଧ୍ୟ ନାହିଁ। ଲୋକଙ୍କ ଦୀର୍ଘ ବର୍ଷର ଦାବି ସତ୍ତ୍ୱେ ଲଖନପୁରରେ ଏକ ଶବ ବ୍ୟବଚ୍ଛେଦ କେନ୍ଦ୍ର ସ୍ଥାପନ ହୋଇପାରିନି। ବ୍ଲକ୍‌ କଡ଼ରେ ହୀରାକୁଦ ଜଳଭଣ୍ଡାରର ଅମାପ ଜଳରାଶି ଥିବା ସତ୍ତ୍ୱେ ବ୍ଲକ୍‌ର ୮୧ ପ୍ରତିଶତ ଚାଷଜମିରେ ଜଳସେଚନର ବ୍ୟବସ୍ଥା ନାହିଁ। ବ୍ଲକ୍‌ର ପ୍ରତ୍ୟେକ ଗୃହକୁ ଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ ଗତ ତିନି ବର୍ଷରୁ ଆରମ୍ଭ ହୋଇଥିବା ବୃହତ ପାନୀୟ ଜଳ ପ୍ରକଳ୍ପ ଆଣ୍ଠେଇ ପଡ଼ିଛି ଏବଂ ପ୍ରକଳ୍ପ କେବେ ସରିବ ଓ ଏଥିରୁ ଲୋକେ ପାନୀୟ ଜଳ କେବେ ପାଇବେ ତାହା ମଧ୍ୟ ଅନିଶ୍ଚିତ।

ବ୍ଲକ୍‌ରେ ବିଦ୍ୟୁତ ସରବରାହ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ଘନ ଘନ ବିଦ୍ୟୁତ ବିଭ୍ରାଟରେ ଲୋକେ ଅତିଷ୍ଠ। ଲଖନପୁର ପୁଞ୍ଜିପଥର ଛକରେ ନିର୍ମିତ ଓପିଟିସିଏଲ୍‌ର ୧୩୨/୩୩ ଗ୍ରିଡ୍‌ ସବଷ୍ଟେସନ କେବେ କାର୍ଯ୍ୟକ୍ଷମ ହେବ ତା ଉପରେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ। ସେହିପରି ହୀରାକୁଦ ନଦୀବନ୍ଧ ଯୋଜନା, ମହାନଦୀ କୋଇଲାଖଣି ଓ ଇବ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠାରେ ଭିଟାମାଟି ହରେଇଥିବା ବ୍ଳକର ଅନେକ ବିସ୍ଥାପିତ ପରିବାରଙ୍କୁ ସରକାର ଏପର୍ଯ୍ୟନ୍ତ ନ୍ୟାୟ ଦେଇପାରି ନାହାନ୍ତି। ଉପଯୁକ୍ତ ଥଇଥାନ, କ୍ଷତିପୂରଣ, ଚାକରି ଓ ଘରଡ଼ିହ ପାଇଁ ବିସ୍ଥାପିତ ପରିବାରର ଲୋକଙ୍କୁ ଅନେକ ସମୟରେ ଜନ ପ୍ରତିନିଧି ଓ ଅଧିକାରୀଙ୍କ ଦ୍ୱାରସ୍ଥ ହେବାକୁ ପଡ଼ୁଛି।

ବ୍ଲକ୍‌ ଅଞ୍ଚଳ ଦେଇ ଯାଇଥିବା ଏନ୍‌ଏଚ୍‌ ୪୯ର କନକତୋରାରୁ ପିପିଲିମାଲ ପର୍ଯ୍ୟନ୍ତ ୫୦ କିମି ରାସ୍ତାରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣାରେ ଅନେକ ଲୋକଙ୍କ ଅକାଳ ମୃତ୍ୟୁ ହେଉଥିବାରୁ ଏହାକୁ ଫୋର୍ ଲେନ୍ କରିବାକୁ ଦାବି ହେଉଛି। ଲୋକଙ୍କ ଦାବି ସତ୍ତ୍ୱେ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରମ୍ପଲୁଗାକୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଇକୋ ରିଟ୍ରିଟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇନାହାନ୍ତି। ଏହା ବ୍ୟତୀତ ବ୍ଲକ୍‌ର କୁଇଲିଘୁଘର, ଉଲାପଗଡ଼, ଗୁଜା ପାହାଡ଼ ଓ ପିକୋଲ ଘୁଘର ପର୍ଯ୍ୟଟନସ୍ଥଳୀର ବିକାଶର ମଧ୍ୟ ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ବ୍ଲକ୍‌ ବିଭାଜନ ଭଳି ବ୍ଳକବାସୀଙ୍କ ଦୀର୍ଘ ବର୍ଷର ଜନଦାବି ବିଧାନସଭାରେ ଉଠିଲେ ବ୍ଲକ୍‌ରେ ବିଭିନ୍ନ ସମସ୍ୟା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିବ ଏବଂ ବ୍ଲକ୍‌ ବିଭାଜନର ସାମ୍ବିଧାନିକ ଓ ଆଇନଗତ ପ୍ରକ୍ରିୟା ମଧ୍ୟ ସରକାରୀ ସ୍ତରରେ ତ୍ୱରାନ୍ୱିତ ହେବ ବୋଲି ବ୍ଲକ୍‌ବାସୀଙ୍କ ଆଶା ରହିଛି।

ସମ୍ବନ୍ଧିତ ଖବର