ସୋନପୁର/ସୁବଳୟା/ଉଲୁଣ୍ଡା: ପରିବେଶ ସୁରକ୍ଷା ଲାଗି ‘ସମ୍ବାଦ’ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆରମ୍ଭ ହୋଇଛି ୬୦ଦିନିଆ ସଚେତନତା ଅଭିଯାନ। ଏହି କ୍ରମରେ ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୀରମହାରାଜପୁର କଲେଜରେ ଅନୁଷ୍ଠିତ ହୋଇଛି ‘ପରିବେଶ ପଞ୍ଚାୟତ’। ବିକାଶ ନାଁରେ ଅବିଚାରିତ ଗଛକଟା ବନ୍ଦ କରିବା, ଚାଷ ପାଇଁ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାରର ବହୁଳ ବ୍ୟବହାର, ତାପମାତ୍ରା ବୃଦ୍ଧିରେ କାରଣ ସାଜୁଥିବା ଏସି, ରେଫ୍ରିଜେରେଟର ଭଳି ଉପକରଣର ବ୍ୟବହାର ଯଥା ସମ୍ଭବ କମ୍ କରିବା ଓ ସର୍ବୋପରି ଜଙ୍ଗଲ ବୃଦ୍ଧି ଉପରେ ସଭିଁଏ ଗୁରୁତ୍ବ ଦେବାକୁ ସଭାରେ ଉପସ୍ଥିତ ବିଧାୟକ ରଘୁନାଥ ଜଗଦଲା, ପରିବେଶବିତ୍, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମତବ୍ୟକ୍ତ କରିଥିଲେ।
କଲେଜ ଅଧ୍ୟକ୍ଷ ଡ.ହିମାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ବୀରମହାରାଜପୁର ବିଧାୟକ ଶ୍ରୀ ଜଗଦଲା ସୁବର୍ଣ୍ଣପୁର ଜିଲ୍ଲାର ପରିବେଶକୁ ନେଇ ଗଭୀର ଚିନ୍ତାପ୍ରକଟ କରିଥିଲେ। ଗ୍ରୀଷ୍ମଋତୁରେ ସୁବର୍ଣ୍ଣପୁର ଜିଲ୍ଲାରେ ରାଜ୍ୟର ସବୁଠୁ ଅଧିକ ତାତି ଅନୁଭୂତ ହେଉଛି। ପରିବେଶଜନିତ ବିଲକ୍ଷଣର ପ୍ରଭାବ ମଧ୍ୟ ସିଧାସଳଖ ଜୀବନଜୀବିକା ଉପରେ ପଡ଼ୁଛି। ବେଳହୁଁ ଏ ସବୁର ପ୍ରତିକାର ଲୋଡ଼ା। ବିଧାନସଭାରେ ଜିଲ୍ଲାର ପରିବେଶ ସୁରକ୍ଷା ଓ ସନ୍ତୁଳନ ପ୍ରସଙ୍ଗ ଉଠାଇବି ବୋଲି ପ୍ରକାଶ କରି ଶ୍ରୀ ଜଗଦଲା ‘ସମ୍ବାଦ’ର ସଚେତନତା ଅଭିଯାନ ଏକ ସମୟପୋଯୋଗୀ ଆହ୍ବାନ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ନଳିନୀ ପଣ୍ଡା, ବୀରମହାରାଜପୁର କଲେଜର ଇଂରାଜୀ ବିଭାଗ ମୁଖ୍ୟ ଗୀତାଞ୍ଜଳି ପୂଝାରୀ, ପ୍ରାଣୀବିଜ୍ଞାନ ମୁଖ୍ୟ ତଥା ପରିବେଶବିତ୍ ଅଧ୍ୟାପକ ଲେଫ୍ଟନାଣ୍ଟ ସଞ୍ଜିତ ନାୟକ, ଅଧ୍ୟାପକ ମାଧବ ପ୍ରଧାନ ପ୍ରମୁଖ ଅତିଥିବକ୍ତା ଭାବେ ଯୋଗ ଦେଇ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସନ୍ତୁଳିତ ପରିବେଶ ପାଇଁ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେବା ପାଇଁ ଆହ୍ବାନ ଦେଇଥିଲେ। ଛାତ୍ରୀ ବିଶ୍ବରୂପା ସାହୁ ଓ ଛାତ୍ରୀ ଶ୍ରୀୟା ମାଧୁରୀ ସାହୁ ବକ୍ତବ୍ୟ ରଖିଥିଲେ। ସାମାଜିକ କର୍ମୀ ପୀତାମ୍ବର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।