‘ବନ୍ଦେ ଉତ୍କଳ ଜନନୀ’ ଗାୟନରେ ସମାନତା ପ୍ରସଙ୍ଗ: ଏଣିକି ଅନୁମୋଦିତ ସ୍ବର, ଶୈଳୀ ଓ ଅବଧିରେ ପରିବେଷଣ ବାଧ୍ୟତାମୂଳକ

ଚିଠି ଲେଖି ନିର୍ଦ୍ଦେଶ ଦେଲେ ସଂସ୍କୃତି ସଚିବ, ହାଇକୋର୍ଟଙ୍କ ଛାଟ ପରେ ‌ଚେତା ପଶିଲା

ଭୁବନେଶ୍ବର : ହାଇକୋର୍ଟଙ୍କ ନିର୍ଦ୍ଦେଶ ପ‌ରେ ଶେଷରେ ସରକାରଙ୍କ ଚେତା ପଶିଛି। ରାଜ୍ୟ ସଂଗୀତ ‘‌ବନ୍ଦେ ଉତ୍କଳ ଜନନୀ’କୁ ଏଣିକି କେହି ମନଇଚ୍ଛା ଗାଇପାରିବେ ନାହିଁ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଗାୟନର ଅନୁମୋଦିତ ସ୍ବର, ଶୈଳୀ ଓ ଅବଧିକୁ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଅନୁସରଣ ତଥା ଅନୁପାଳନ କରିବା ଏବେ ବ‌ାଧ୍ୟତାମୂଳକ କରାଯାଇଛି। ଏହାର ଯେଭଳି କଡ଼ାକଡ଼ି ଅନୁପାଳନ ହେବ, ସେନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଗତକାଲି ବିଭାଗ ପକ୍ଷରୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ୨୦୨୦ ମସିହା ଜୁନ୍‌ ୭ ତାରିଖ ଦିନ ମନ୍ତ୍ରିମଣ୍ଡଳ ବୈଠକରେ ଗୃହୀତ ହେଲା ପରେ ‘ରାଜ୍ୟ ସଙ୍ଗୀତର ମାନ୍ୟତା’ ମିଳିଥିଲା। ଏହି ନିଷ୍ପତ୍ତିକ୍ରମେ ସେହିଦିନ ଓଡ଼ିଶା ଗେଜେଟ୍‌ରେ ବିଜ୍ଞପ୍ତି ଅନୁସାରେ ସୂଚନା ଓ ‌ଲୋକସମ୍ପର୍କ ବିଭାଗ ଦ୍ବାରା ପ୍ରସ୍ତୁତ କରାଯାଇଥିବ‌ା ଗାୟନର ଅନୁମୋଦିତ ସ୍ବର, ଶୈଳୀ ଓ ଅବଧିକୁ ଅନୁସରଣ କରି ପରିବେଷଣ କରିବା ଉଚିତ। କିନ୍ତୁ ଏବେ ଦେଖାଯାଉଛି ଯେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଦ୍ବାରା ଏହି ସଙ୍ଗୀତ ଠିକ୍‌ ଭାବେ ପରିବେଷଣ କରାଯାଉନାହିଁ।

ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ଓଡ଼ିଶା ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ଠିକ୍‌ ଭାବେ ଗାନ କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରାଯାଇଥିବା ବେଳେ ବିଭାଗ ପକ୍ଷରୁ ପ୍ରସ୍ତୁତ ଓ ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦିତ ୨ ମିନିଟ୍‌ ୧୧ ସେକେଣ୍ଡ୍‌ର ଏହି ସଙ୍ଗୀତକୁ ଡାଉନ୍‌ଲୋଡ୍‌ କରିବାକୁ ଲିଙ୍କ୍‌ ମଧ୍ୟ ଦିଆଯାଇଛି। ଏନେଇ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖା ପକ୍ଷରୁ ଖୁସିବ୍ୟକ୍ତ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ ସଙ୍ଗୀତର ‘ଅଫିସିଆଲ୍‌ ଭର୍ସନ୍‌’ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯିବା ସହ ବ୍ୟାପକ ଭାବେ ଏହାର ପ୍ରଚାରପ୍ରସାର କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ଗତ ୨୪ ତାରିଖ ଦିନ ହାଇକୋର୍ଟରେ ଆବେଦନର ଶୁଣାଣି କରି ଆବେଦନକାରୀଙ୍କ ଦାବିପତ୍ର ଉପରେ ନିଷ୍ପତ୍ତି ନେବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦାବିପତ୍ର ଉପରେ ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଆବେଦନକାରୀଙ୍କୁ ମେ’ ପହିଲା ସୁଦ୍ଧା ଅବଗତ କରାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପ‌ରେ ଆଜି ସଂସ୍କୃତି ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବିଳମ୍ବରେ ହେଉ ପଛେ, ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇଛନ୍ତି।

ତଥାପି ନିର୍ଭୁଲ ହୋଇପାରିଲା ନାହିଁ
ରାଜ୍ୟ ସଙ୍ଗୀତର ଗାୟନ ଶୈଳୀ ନିର୍ଦ୍ଧାରଣ ସହ ଏହାକୁ ବାଧ୍ୟତାମୂଳକ କରାଯାଇ ଥିବାରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାତି ଗୁରୁକଲ୍ୟାଣ ମହାପାତ୍ର ଖୁସିବ୍ୟକ୍ତ କରିଛନ୍ତି। ସରକାରଙ୍କ ଦୀର୍ଘ ଦିନର ଉଦ୍ୟମରେ ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି। ଏହି ମାନ୍ୟତା ପାଇବା ପରେ ରାଜ୍ୟ ସଙ୍ଗୀତ ଗାୟନରେ ସମାନତା ଅତ୍ୟନ୍ତ ଜରୁରି ଥିଲା। ଏହି ନିର୍ଦ୍ଦେଶକୁ ଅଢ଼େଇ ବର୍ଷ ଲାଗିଗଲା, ତଥାପି ନିର୍ଭୁଲ ହୋଇପାରିଲାନି ଏହି ସଙ୍ଗୀତ। କାନ୍ତକବିଙ୍କ ମୂଳ ଲେଖାରେ କେବଳ ଗୋଟିଏ ‘ଘନ’ ରହିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ସଙ୍ଗୀତରେ ‘ଘନ ଘନ ବନଭୂମି’ ରହିଛି। ଏହାକୁ ନେଇ ଆଗରୁ ବହୁ ତର୍କବିତର୍କ ହୋଇଥିଲେ ସୁଦ୍ଧା ସୂଚନା ଓ ଲୋକସମ୍ପର୍କ ବିଭାଗ ସଙ୍ଗୀତ ପ୍ରସ୍ତୁତି ବେଳେ ଏହାକୁ ଧ୍ୟାନ ନ ଦେବା ଦୁଃଖଦାୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏନେଇ ସେ ଟ୍ବିଟର୍‌ରେ ‌କ୍ଷୋଭ ପ୍ରକାଶ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର