ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ପ୍ରଥମ ପ୍ରସ୍ତାବ ଗ୍ରହଣୀୟ: ମହତାବ

ଭୁବନେଶ୍ବର: କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଦେଶର ରାଜସ୍ବ ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜିଏସଟି ଆଦାୟ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ବର୍ତ୍ତମାନ ପରିପ୍ରେକ୍ଷୀରେ ଜିଏସଟି ବାବଦ କ୍ଷତିପୂରଣ ଦେବା ପରିସ୍ଥିତିରେ ବି ନାହାନ୍ତି। ନିକଟରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଏହା ଉପରେ ବିଚାରବିମର୍ଶ ହେବା ପରେ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରସ୍ତାବ ଦିଆଯାଇଛି। ଏହା ଉପରେ ରାଜ୍ୟଗୁଡ଼ିକର ମତାମତ ଲୋଡ଼ାଯାଇଛି। ଏହି ମର୍ମରେ ଆଜି ସମ୍ବାଦର ପ୍ରଥମ ପୃଷ୍ଠାରେ ‘ଅଡ଼ୁଆ ବଢ଼ାଇଲା କେନ୍ଦ୍ରୀୟ ସର୍ତ୍ତ’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବର ଉପରେ ରାଜ୍ୟରେ ଜୋରଦାର ବିତର୍କ ଆରମ୍ଭ ହୋଇଛି। ଏ ନେଇ ବିଜେଡିର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ‘ସମ୍ବାଦ’କୁ କହିଛନ୍ତି, ପ୍ରଥମ ପ୍ରସ୍ତାବଟି ସର୍ବାଦୌ ଗ୍ରହଣୀୟ। ରାଜ୍ୟ ସରକାର କୌଣସି ଦ୍ବିଧା ନରଖି ପ୍ରଥମ ପ୍ରସ୍ତାବକୁ ଗ୍ରହଣ କରିନେବା ଉଚିତ। ଶ୍ରୀ ମହତାବଙ୍କ ମତରେ ଦେଶରେ ଆଜି ଯଦି ପରୋକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଅଣା ଯାଇ ନଥାନ୍ତା ଏବଂ ଜିଏସଟି ବଦଳରେ ପୂର୍ବପରି ଭାଟ୍ କାର୍ଯ୍ୟକାରୀ ହେଉଥା’ନ୍ତା ତାହେଲେ ବର୍ତ୍ତମାନର କୋଭିଡ୍ ମହାମାରୀ ସମୟରେ ରାଜ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥାନ୍ତା। ଏହା ହୋଇଥିଲେ ବର୍ତ୍ତମାନର ତିରୋଟ ସମୟରେ ଓଡ଼ିଶା ଭଳି ରାଜ୍ୟର ଆର୍ଥିକ ସ୍ଥିତି ଦୋହଲି ଯାଇଥାନ୍ତା। ତେଣୁ କୋଭିଡ୍ ପରିସ୍ଥିତିରେ ଜିଏସ୍‌ଟି ଆମ ପାଇଁ ଏକ ସଂଜୀବନୀ ଭଳି କାମ ଦେଉଛି। ଏପରିକି ଏ ସଂପର୍କରେ ସଂସଦରେ ଯେତେବେଳେ ଆଲୋଚନା ହୋଇଛି ସେତେବେଳେ ‌ସେ ନିଜେ ଏହାକୁ ସମର୍ଥନ କରିଛନ୍ତି। ବିଜେଡି ପକ୍ଷରୁ ମଧ୍ୟ ଏହାକୁ ସମର୍ଥନ କରାଯାଇଛି। ଏଥିପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ତାଙ୍କର ଖୋଲା ପ୍ରଶଂସା କରିବା ସହିତ ବିଜେଡିର ମନୋଭାବକୁ ମଧ୍ୟ ବିଶ୍ବାସକୁ ନେଇଛନ୍ତି ବୋଲି ଶ୍ରୀ ମହତାବ କହିଛନ୍ତି।

ପ୍ରଥମ ବିକଳ୍ପକୁ ଗ୍ରହଣ କରିବା ପାଇଁ ଅର୍ଥନୀତିଜ୍ଞମାନେ ମଧ୍ୟ ମତ ରଖିଛନ୍ତି। ସେମାନଙ୍କ କହିବାନୁଯାୟୀ, ପରୋକ୍ଷ ଟିକସ କ୍ଷେତ୍ରରେ ଦେଶରେ ଅନେକ ସଂସ୍କାର ଅଣାଯାଇଛି। ଜିଏସଟି ଲାଗୁ କରାଯିବା ଦ୍ବାରା କେନ୍ଦ୍ର ସରକାର ସେସ୍ ଆଦାୟ କରି ରାଜ୍ୟଗୁଡ଼ିକ ସହୁଥିବା ଏଥିଜନିତ କ୍ଷତି ଆରମ୍ଭରୁ ବହନ କରିଆସୁଛନ୍ତି। ପ୍ରତି ୨ ମାସରେ ଥରେ ଏହି କ୍ଷତିପୂରଣ ରାଶି ପ୍ରଦାନର ବ୍ୟବସ୍ଥା କରାଯାଇଛି। ଟିକସ ରାଜସ୍ବରେ ବାର୍ଷିକ ୧୪ ପ୍ରତିଶତ ଅଭିବୃଦ୍ଧିକୁ ବିଚାରକୁ ନେଇ ଏହି ରାଶି ପ୍ରଦାନ କରାଯାଉଛି। ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟଗୁଡ଼ିକୁ ଏବାବଦ ରାଶି ପ୍ରଦାନ କରାଯାଇ ସାରିଛି। କିନ୍ତୁ ଦେଶରେ କରୋନା ଯୋଗୁ ବର୍ତ୍ତମାନ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। କଳ କାରଖାନାରେ ଉତ୍ପାଦନ ପ୍ରଭାବିତ ହେବା ସହିତ ବିକ୍ରିବଟା କମିଯାଇଛି। ଏଥିଯୋଗୁଁ ଅର୍ଥନୀତି ଅଭିବୃଦ୍ଧି ନିମ୍ନଗାମୀ ହୋଇଛି। ଏହାର ଭୟଙ୍କର ପ୍ରଭାବ ଟିକସ ଆଦାୟ ଉପରେ ପଡ଼ିଛି। ଏଭଳି ପରିସ୍ଥିତିରେ ଜିଏସଟି ପରିଷଦ ଯେଉଁ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏକୁ ଚୟନ କରିବା ପାଇଁ ରାଜ୍ୟଗୁଡ଼ିକର ମତାମତ ଲୋଡ଼ିଛନ୍ତି ତାହା ଦେଶର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବା ଭଳି ହୋଇଛି। ‌ରାଜ୍ୟଗୁଡ଼ିକ ତୁରନ୍ତ ଏହା ଉପରେ ନିଷ୍ପତ୍ତି ନେଇ ଜିଏସଟି ପରିଷଦକୁ ସେମାନଙ୍କ ମତ ଜଣାଇବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ପ୍ରଥମ ବିକଳ୍ପରେ ପରିଷଦ ପକ୍ଷରୁ କୁହାଯାଇଛି, ଚଳିତ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ବାବଦରେ ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ନିଅଣ୍ଟିଆ ଦେଖାଦେବ। ରାଜ୍ୟଗୁଡ଼ିକ ଏହି ନିଅଣ୍ଟିଆ ଅର୍ଥ ବଜାରରୁ ଋଣ କରି ସଂଗ୍ରହ କରିପାରିବେ। କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଏଥିପାଇଁ ରାଜ୍ୟଗୁଡ଼ିକୁ ସହାୟତା ଯୋଗାଇଦେବେ। କେନ୍ଦ୍ର ସରକାର ଏହି ଋଣର ମୂଳ ଓ ସୁଧ ବାବଦ ଅର୍ଥକୁ ପରେ ରାଜ୍ୟଗୁଡ଼ିକୁ ସେସ୍‌ରୁ ପ୍ରଦାନ କରିବେ। ଏଥିପାଇଁ ଏଫଆର୍‌ବିଏମ୍‌ ଆଇନ ଅଧୀନରେ ରାଜ୍ୟଗୁଡ଼ିକ ପାଇଁ ଋଣ ସୀମା ୦.୫ ପ୍ରତିଶତ କୋହଳ କରାଯିବାର ବ୍ୟବସ୍ଥା ରହିଛି। ତେବେ ଜିଏସଟି ନିଅଣ୍ଟ ବାବଦରେ ରାଜ୍ୟଗୁଡ଼ିକ ଯେଉଁ ୯୭ ହଜାର କୋଟି ଟଙ୍କା ସଂଗ୍ରହ କରିବେ ତାହାକୁ ରାଜ୍ୟର ଋଣ ଭାବେ ବିବେଚନା କରାଯିବ ନାହିଁ। କିନ୍ତୁ ଅବଶିଷ୍ଟ ୧.୩୮ ଲକ୍ଷ କୋଟି ଟଙ୍କା ରାଜ୍ୟର ଖାତାରେ ଚଢ଼ିବ। ସେହିଭଳି ଦ୍ବିତୀୟ ବିକଳ୍ପରେ କୁହାଯାଇଛି ଯେ କେବଳ ଜିଏସଟି କାର୍ଯ୍ୟକାରୀ କରିବା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଯେଉଁ ୯୭ ହଜାର କୋଟି ଟଙ୍କାର ନିଅଣ୍ଟ ଦେଖାଦେବ ତାହାକୁ ରାଜ୍ୟଗୁଡ଼ିକ ଋଣ ମାଧ୍ୟମରେ ସଂଗ୍ରହ କରିପାରିବେ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ଋଣ କରିବା ଲାଗି ଏକ ସ୍ବତନ୍ତ୍ର ୱିଣ୍ଡୋ ଯୋଗାଇ ଦିଆଯିବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବି ଏଥିପାଇଁ ରାଜ୍ୟଗୁଡ଼ିକୁ ସହଯୋଗ ଯୋଗାଇବେ। ଏହାକୁ ରାଜ୍ୟର ଋଣ ଭାବେ ବିବେଚନା କରା ନଯାଇ ସେସ୍‌ ପାଣ୍ଠିରୁ ସମ୍ପୂର୍ଣ୍ଣ ଭରଣା କରିବା ସୁବିଧା ରହିବ।

ସମ୍ବନ୍ଧିତ ଖବର