ଅଭୟାରଣ୍ୟ ନିକଟରେ ହୋଟେଲ ମନା ପ୍ରସଙ୍ଗ: ଅନିଶ୍ଚିତତାରେ ୧୫ ପ୍ରକଳ୍ପ

ଭୁବନେଶ୍ବର : ଅଭୟାରଣ୍ୟ ଅଞ୍ଚଳର ଏକ କିଲୋମିଟର ମଧ୍ୟରେ ତାରକା ହୋଟେଲ ନିର୍ମାଣ କରାଇପାରିବ ନାହିଁ। ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟରେ ହୋଟେଲ ଶିଳ୍ପକୁ ବଡ଼ ଝଟ୍‌କା ଲାଗିଛି। ବିଶେଷକରି, ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଅଞ୍ଚଳରେ ନିବେଶ କରିବାକୁ ଚାହୁଥିବା ୧୫ରୁ ଅଧିକ ସଂସ୍ଥାଙ୍କୁ ଏବେ ନିରାଶ ହେବାକୁ ପଡ଼ିଛି। ଏଠାରେ ବାଲୁଖଣ୍ଡ ଅଭୟାରଣ୍ୟ ଥିବାରୁ ସମ୍ପୃକ୍ତ ସଂସ୍ଥା ପ୍ରକଳ୍ପ କରିବେ କି ନାହିଁ, ସେନେଇ ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷେ ଏଭଳି ନିଷ୍ପତ୍ତିକୁ ନେଇ ହୋଟେଲ ଆଣ୍ଡ୍‌ ରେସ୍ତୋରାଁ ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ହାରୋ) ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯେତେଶୀଘ୍ର ସମ୍ଭବ, ରାଜ୍ୟ ସରକାର ଏହାର ସମୀକ୍ଷା କରିବା ସହ ରିଟ୍‌ ପିଟିସନ୍‌ ଦାଖଲ କରିବାକୁ ଅନୁରୋଧ କରିଛନ୍ତି।

ହାରୋ ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି ଯେ ରାଜ୍ୟ ଉପକୂଳରେ ୪୮୦ କିମିର ବିସ୍ତୀର୍ଣ୍ଣ ବେଳାଭୂମି ରହିଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁ ତାରକା ହୋଟେଲ ନିର୍ମାଣ କରାଯାଇପାରିବ। ଓଡ଼ିଶାରେ ନିବେଶ କରିବାକୁ ବହୁ ହୋଟେଲ ଆଗ୍ରହ ପ୍ରକାଶ କରିଛନ୍ତି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ହୋଟେଲ କରିବାକୁ ୧୫ ସଂସ୍ଥା ଆଗ୍ରହୀ ଅଛନ୍ତି। ମାତ୍ର ବର୍ତ୍ତମାନର କଟକଣା ସମସ୍ୟା ସୃଷ୍ଟି କରିପାରେ। ଯଦି ମୁମ୍ବାଇ, ଗୋଆ, ଭାଇଜାଗ୍‌, କେରଳ ପରି ସ୍ଥାନର ବେଳାଭୂମି ନିକଟରେ ବଡ଼ ବଡ଼ ହୋଟେଲ ନିର୍ମାଣ କରାଯାଇପାରୁଛି, ଓଡ଼ିଶାରେ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ପ୍ରସଙ୍ଗରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ସହ ସର୍ବୋଚ୍ଚ ନ୍ୟାୟାଳୟରେ ରିଟ୍‌ ପିଟିସନ୍‌ ଦାଖଲ କରନ୍ତୁ। ଓଡ଼ିଶାର ବହୁ ସ୍ଥାନରେ ପରିବେଶ ଓ ପର୍ଯ୍ୟଟନ ମିଳିତ ଭାବେ ଆଗକୁ ବଢ଼ି ପାରୁଛି। ପରିବେଶ ଉପରେ କୌଣସି ପ୍ରକାର କୁ-ପ୍ରଭାବ ପଡ଼ୁନାହିଁ, ବରଂ ପର୍ଯ୍ୟଟନ ଶିଳ୍ପ ବଢ଼ିବା ସହ ପରିବେଶର ସୁରକ୍ଷା ହୋଇପାରୁଛି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌‌ରେ ସେଭଳି ବ୍ୟବସ୍ଥା ହେଉ। ନହେଲେ ତାରକା ହୋଟେଲ ପ୍ରତିଷ୍ଠା କରିବାକୁ ଅଗ୍ରହ ପ୍ରକାଶ କରିଥିବା ସଂସ୍ଥା ମୁହଁ ଫେରାଇବେ।

ମେରାଇନ ଡ୍ରାଇଭ୍‌ ଅଞ୍ଚଳରେ ଖୋଲିଥା’ନ୍ତେ ହୋଟେଲ
ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲା ହାରୋ
ବିମାନ ସେବା ନ ଥିବାରୁ ପର୍ଯ୍ୟଟକ ଆସୁନାହାନ୍ତି: ଟୁର୍‌ ଅପରେଟର୍‌

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ଯେ ଉଭୟ ପରିବେଶ ଓ ପର୍ଯ୍ୟଟନକୁ ନେଇ ଆମେ ଆଗକୁ ବଢ଼ିବା। ପର୍ଯ୍ୟଟନର ପ୍ରଭାବ ଯେପରି ପରିବେଶ ଉପ‌ରେ ନ ପଡ଼େ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ପରିବେଶ ପର୍ଯ୍ୟଟନ ତଥା ଇକୋ-ଟୁରିଜିମ୍‌ ମାଧ୍ୟମରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗକୁ ଉପାନ୍ତ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବ୍ୟାପକ ବିଚାରବିମର୍ଶ କରାଯାଇ ପଦକ୍ଷେପ ନିଆଯିବ।

ଟୁର୍‌ ଅପରେଟର୍‌ ଭିନିଲ୍‌ କହିଛନ୍ତି ଯେ ସମୁଦ୍ରକୂଳ ପରିବେଶ ଓ ପର୍ଯ୍ୟଟନ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କ‌ରେ। ଏଥିପାଇଁ କେରଳ, ଗୋଆ ଆଜି ବହୁ ଆଗରେ। ବିମାନ ସୁବିଧା ନ ଥିବାରୁ ଓଡ଼ିଶାକୁ ପର୍ଯ୍ୟଟନ ଆସିବାକୁ ଉଚିତ ମଣୁନାହାନ୍ତି। ନଭେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଗୋଆ, ଜୟପୁର, ଆଗ୍ରା, କେରଳ, ଦିଲ୍ଲୀ ପରି ସ୍ଥାନରେ ଥିବା ହୋଟେଲଗୁଡ଼ିକ ରୁମ୍‌ ବୁକ୍‌ ହୋଇସାରିଛି। ତେଣୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିବାର ଭରପୂର ସୁଯୋଗ ରହିଛି। ଭିତ୍ତିଭୂମି ସଜାଡ଼ିଲେ ପର୍ଯ୍ୟଟକ ନିହାତି ଆସିବେ।

ସମ୍ବନ୍ଧିତ ଖବର