ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମ ପ୍ରତିନିଧି ବାରଣ ପ୍ରସଙ୍ଗ: ସରକାରଙ୍କୁ ଘେରିଲେ ବିରୋଧୀ, ବିଭିନ୍ନ ମହଲରୁ ନିନ୍ଦା

ଭୁବନେଶ୍ବର : କୌଣସି ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ନେଇ ବିଦ୍ୟାଳୟ ଭିତରକୁ ପ୍ରବେଶ କରିପାରିବେନି। ଯଦି କେହି ଅନଧିକୃତ ଭାବେ ସ୍କୁଲକୁ କ୍ୟାମେରା ନେଇ ପ୍ରବେଶ କରନ୍ତି ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରନ୍ତି ତେବେ ସ୍କୁଲର ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଡାକି ସ୍ଥାନୀୟ ଥାନାରେ ମାନବାଧିକାର ଉଲ୍ଲଂଘନ ନେଇ ଅଭିଯୋଗ କରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନେ ଚିଠି କରିବା ପରେ ଏହାକୁ ଚାରିଆଡ଼ୁ ନିନ୍ଦା କରାଯାଇଛି। ଏହି ପ୍ରସଙ୍ଗରେ ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି।

livemint.com

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଦ୍ୟାଳୟରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ଠିକ୍‌ କଥା ନୁହେଁ। ଶିକ୍ଷାଦାନ ସମୟରେ କ୍ୟାମ୍ପସରେ କେହି ବିଶୃଙ୍ଖଳା ସୃଷ୍ଟି କରିବା ଠିକ୍‌ ନୁହେଁ। କୌଣସି ସମସ୍ୟା ବିଷୟରେ ସୂଚନା ସଂଗ୍ରହ କରିବା‌ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରିବା ଉଚିତ୍‌ ନୁହେଁ। ବିଦ୍ୟାଳୟଗୁଡ଼ିକ ନିଶ୍ଚିତ ଭାବେ ଏକ ସର୍ବସାଧାରଣ ସ୍ଥାନ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଏ ସମ୍ପର୍କରେ ଶୁଣି ମୁଁ ହତବାକ୍‌। ଏବେ ସରକାର ଯେଉଁ ନିର୍ଦ୍ଦେଶନାମା ଦେଇଛନ୍ତି, ତାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା। ସ୍କୁଲ ଭିତରେ କ’ଣ ଭୁଲ୍‌, ଠିକ୍ ହେଉଛି ପଦାକୁ ଆଣିବା ସାମ୍ବାଦିକଙ୍କ ଅଧିକାର। ଏଭଳି ନିର୍ଦ୍ଦେଶନାମା ଜାରି କରି ସରକାର ସାମ୍ବାଦିକଙ୍କ ଗଣତାନ୍ତ୍ରିକ ଅଧିକାରରେ ବାଧା ଦେଉଛନ୍ତି।

Odisha Bytes

ଖବର ସଂଗ୍ରହ ପାଇଁ ସାମ୍ବାଦିକଙ୍କୁ ବାରଣ କରିବା ଉଚିତ ନୁହେଁ: ଧ‌ର୍ମେନ୍ଦ୍ର
ଚିଠି ସପକ୍ଷରେ ଯୁକ୍ତି ବାଢ଼ିଲେ ଗଣଶିକ୍ଷା ମନ୍ତ୍ରୀ

ସେହିପରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ନିନ୍ଦା କରିବା ସହ କହିଛନ୍ତି, ସାମ୍ବାଦିକଙ୍କୁ ସ୍କୁଲକୁ ଯିବା ଉପରେ ରୋକ୍‌ ଲଗାଇବା ଠିକ୍‌ ନୁହେଁ। ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ ପଦକ୍ଷେପ ନିଆଯାଉଛି। ପ୍ରଥମେ ଏସ୍‌ସିବି ମେଡିକାଲ, ପରେ ସଚିବାଳୟ, ତା’ପରେ ବିଧାନସଭାକୁ ମନା କଲେ। ଏବେ ସ୍କୁଲକୁ ମନା କରୁଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ନିନ୍ଦନୀୟ। ସଚିବାଳୟ, ବିଧାନସଭା, ମେଡିକାଲ, ସ୍କୁଲ୍‌ ଭିତରକୁ ସାମ୍ବାଦିକ ଯିବେନି। ଆଉ କ’ଣ ଗଛମୂଳେ ବସି ତପସ୍ୟା‌ କରିବେ? ସରକାର ଏ ପ୍ରହସନ ଛାଡ଼ନ୍ତୁ।

ଉତ୍କଳ ଅଭିଭାବକ ସଂଘର ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ, ରାଜ୍ୟ ସରକାର ନିଜର ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ମୁଖଲଜ୍ଜାରୁ ବଞ୍ଚିବା ପାଇଁ ଏକ ଅହଂକାର ତଥା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚିତ ସରକାରଙ୍କ ଏତାଦୃଶ କାର୍ଯ୍ୟ ସର୍ବଦା ନିନ୍ଦନୀୟ। ବାରମ୍ବାର ଭୋଟ୍‌ ପାଇ ପଞ୍ଚମ ଥର ଶାସନ କ୍ଷମତାରେ ରହିବାର ଅହଂକାର ରାଜ୍ୟ ସରକାରଙ୍କୁ ଏକଛତ୍ରବାଦୀ ଶାସକ ହେବା ଦିଗରେ ପ୍ରଚୋଦିତ କରୁଥିବା ମନେ ହୁଏ। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାର ଜୋର୍ ଜବରଦସ୍ତି କଣ୍ଠରୋଧ କରିବା ଉଦ୍ୟମକୁ ସଂଘ ଦୃଢ ନିନ୍ଦା କରୁଛି।

ଓଡ଼ିଶା ଅଭିଭାବକ ମହାସଂଘ ବି ଡିଇଓ ଓ ବିଇଓମାନଙ୍କ ନିର୍ଦ୍ଦେଶକୁ ନିନ୍ଦା କରିଛନ୍ତି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଆମେ ଭାବୁଛୁ ଯେ ଶିକ୍ଷକଙ୍କ ଦକ୍ଷତା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଥିବା ତ୍ରୁଟି, ଗୁଣାତ୍ମକ ଶିକ୍ଷା ଦିଆଯାଉନଥିବା ଘଟଣାଗୁଡ଼ିକୁ ଲୁଚାଇବା ପାଇଁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି। ଯଦି ସ୍କୁଲରେ ଶିକ୍ଷକ ନଥିବେ ଆମେ ତାଲା ପକାଇଦେବୁ ବୋଲି ଆହ୍ବାନ ଦେଇଛୁ। ଅଭିଭାବକ ଓ ଛାତ୍ରଛାତ୍ରୀ ପ୍ରାୟ ୨୦୦ ସ୍କୁଲରେ ତାଲା ପକାଇସାରିଲେଣି। ତେଣୁ ଗଣମାଧ୍ୟମକୁ ସ୍କୁଲ ଭିତରକୁ ଛାଡ଼ିବାକୁ ସରକାର ଚାହୁଁନାହାନ୍ତି। ଯଦି ସରକାର ୭ଦିନ ଭିତରେ ଏହି ନିର୍ଦ୍ଦେଶ ପ୍ରତ୍ୟାହାର ନକରନ୍ତି ତେବେ ଆମେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ‌ଲୋକଙ୍କ କହିବାର ଅଧିକାରକୁ ବନ୍ଦ କରାଯାଉଥିବା ନେଇ ଚିଠି ଲେଖିବୁ ବୋଲି ଶ୍ରୀ ଭଟ୍ଟ କହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ମଧ୍ୟ ଦୃଢ଼ ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି। ଓୟୁଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ କହିଛନ୍ତି ଯେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କ ପ୍ରତି ଏହା ଚରମ ଅପମାନ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମ ପ୍ରତି ଏଭଳି କଟକଣା ଆଦୌ ସ୍ପୃହଣୀୟ ନୁହେଁ। ରାଜ୍ୟବ୍ୟାପୀ ଓୟୁଜେ ଏହାର ଦୃଢ ପ୍ରତିବାଦ କରୁଥିବାବେଳେ ୟୁନିଅନର ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଏଭଳି ଗଣମାଧ୍ୟମ ବିରୋଧୀ ସର୍କୁଲାର୍‌କୁ ପ୍ରତ୍ୟାହାର କରିବା ଲାଗି ଦାବି ଜଣାଇଛନ୍ତି।

ଅପରପକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୁକ୍ତି ବାଢ଼ିଛନ୍ତି ‌ଯେ, ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ପ୍ରତିନିଧି ସ୍କଲକୁ ପ୍ରବେଶ କରୁଛନ୍ତି। କିଛି ସ୍ଥାନରେ ଏପରି ଘଟଣା ଘଟିବା ପରେ ବିଇଓମାନେ ଏନେଇ ଚିଠି ଜାରି କରିଛନ୍ତି, ଯାହାର ଆବଶ୍ୟକତା ରହିଛି। ଯାହା ସମସ୍ୟା ରହିଛି ତାକୁ ନଜରକୁ ଆଣିବା ପାଇଁ ଗଣମାଧ୍ୟମର ଅଧିକାର ରହିଛି। କିନ୍ତୁ କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ମଧ୍ୟ ଆବଶ୍ୟକଠୁ ଅଧିକ ହେଉଛି। ସେହି କଥାକୁ ଆଧାର କରି ସ୍ଥାନୀୟ କ୍ଷେତ୍ରରେ ବିଇଓମାନେ ଚିଠି କରିଥିବା ମୋ ନଜରକୁ ଆସିଛି। ଆହୁରି ମଧ୍ୟ ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ବାଦ୍‌ ମଧ୍ୟ ଅନେକ ୱେବ୍‌ ଚ୍ୟାନେଲ ହୋଇଗଲେଣି। ସେମାନେ ପ୍ରେସ୍‌ ଲେଖିକି ବୁଲୁଛନ୍ତି। ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି। ଗଣମାଧ୍ୟମ ନାଁରେ ପିଲା ଓ ଶିକ୍ଷକମାନଙ୍କୁ ଏପରି ହଇରାଣ କରିବା ଅନୁଚିତ। ତେଣୁ ଅନୁମତି ନେଇ ସ୍କୁଲରେ ପଶିବାକୁ ଚିଠି କରାଯାଇଛି। ସେହିପରି ଯାହା ଆମର ଦୋଷ ଦୁର୍ବଳତା ଆମେ ଜାଣିଛୁ। କେବଳ ଗଣମାଧ୍ୟମ କ‌ହିଲେ ଆମେ ଜାଣୁଛୁ ସେ କଥା ନୁହେଁ। ଆମର ବ୍ୟବସ୍ଥା ଭିତରେ ଆମେ ଚାଲୁଛୁ। ଯାହା ସମ୍ଭବ ଆମେ କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର